ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସ୍ଵପ୍ନକୁ ସାକାର କରିବାକୁ ନିଷ୍ଠା ଓ ପରିଶ୍ରମ ତାଙ୍କୁ ବାଟ କଢ଼େଇ ନେଉଛି ସତ ମାତ୍ର ଅଭାବ ଓ ଦାରିଦ୍ର୍ୟତା ସ୍ଵପ୍ନରେ ବାଡ଼ ହୋଇ ଛିଡ଼ା ହେଲା। ହେଲେ ଡାକ୍ତର ହେବାର ସ୍ଵପ୍ନ ପୂରଣ ପାଇଁ ବିଲରେ ଖଟୁଥିବା ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଇଫୁଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଗ୍ରାମିଲା ଗାଁରେ। ଇଫୁଙ୍କ ବାପା ଅତି ଗରିବ ହୋଇଥିବାବେଳେ ସେ ହଷ୍ଟେଲ୍‍ ଏବଂ ଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକଭାବେ କାମ କରୁଥିଲେ। ଇଫୁ ଧାନବିଲରେ ଧାନ କାଟୁଥିବାର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଇଫୁ ମଲ୍ଲିକଙ୍କ ଆର୍ଥିକ ସମସ୍ୟା ବିଷୟରେ ଅବଗତ ହେଲା ପରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ତ୍ଵରିତ ପଦକ୍ଷେପ ନେଇଛି। ଇଫୁଙ୍କ ପ୍ରଥମ ବର୍ଷ ପାଠପଢ଼ା ଖର୍ଚ୍ଚ ପାଇଁ ୬୨,୯୫୦ ଟଙ୍କା ମଂଜୁର କରିଛନ୍ତି ରାଜ୍ୟ ସରକାର।

ଏହା ପୂର୍ବରୁ ଇଫୁ ମଲ୍ଲିକଙ୍କ ଡାକ୍ତରୀ ପାଠପଢା ଖର୍ଚ୍ଚ ପାଇଁ କିସ୍‍ ଫାଉଣ୍ଡେସନ୍‍ ସହାୟତା ଦେବା ନେଇ ପୂର୍ବରୁ ଘୋଷଣା କରିଛି। ଇଫୁଙ୍କୁ ଆବଶ୍ୟକ ଥିବା ସହାୟତା ସଂପର୍କରେ କିଟ୍‍, କିସ୍‍ ଓ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଇଫୁଙ୍କ ଆର୍ଥିକ ଅନାଟନ ସମ୍ପର୍କରେ ଜାଣିବା ପରେ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ତାଙ୍କର ଡାକ୍ତରୀ ପାଠପଢା ଖର୍ଚ୍ଚ ବହନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ।

ରାଜ୍ୟ ସରକାର ଓ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଇଫୁ ଭଳି ଜଣେ ଗରିବ ମେଧାବୀ ଛାତ୍ରଙ୍କୁ ସହାୟତାର ହାତ ବଢ଼ାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Tags: #IfuMallick #MedicalStudy #CMO #NaveenPatnaik #FinancialAid #MBBSStudy #Kandhamal #ScholarStudent #Odisha

Comment