ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀରେ ୭୦ତମ ରାଜ୍ୟ ସିନିୟର୍ ପୁରୁଷ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏହାର ଫାଇନାଲ ମ୍ୟାଚରେ ସମ୍ବଲପୁରକୁ ୩-୦ ସେଟ୍‌ରେ ହରାଇ କିଟ୍‌ ଦଳ ଚାମ୍ପିୟନ ହୋଇଥିଲା। ରବିବାର ଟୁର୍ଣ୍ଣାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ କିଟ୍ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ରନରଅପ୍ ହୋଇଥିବା ସମ୍ବଲପୁର ଦଳକୁ ୨୦ ହଜାର ଟଙ୍କା ମିଳିଥିଲା। ଅନ୍ୟପଟେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ ଦଳ ବାଲେଶ୍ଵରକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା। ଏଥିପାଇଁ ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ମିଳିଛି।

କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ରାଜ୍ୟ ଭଲିବଲ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏହି ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ୩୨ଟି ଦଳ ଭାଗ ନେଇଥିଲେ। ଡିସେମ୍ବର ୭ ତାରିଖରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏହାର ଉଦଘାଟନ କରିଥିଲେ।

ଏହି ଟୁର୍ନାମେଣ୍ଟର ମ୍ୟାଚଗୁଡ଼ିକ ଫୁଲବାଣୀର କରୋନେସନ ପଡ଼ିଆ ସହ ରାଇକିଆର ଆଥଲେଟିକ ଆସୋସିଏସନ ପଡ଼ିଆ ଏବଂ ବାଲିଗୁଡ଼ାସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଖେଳାଯାଇଥିଲା।

ଟୁର୍ନାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଓଡ଼ିଶା ଭଲିବଲ୍‌ ଆସୋସିଏସନର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ପାଣ୍ଡେ ଏବଂ କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #VolleyballTournament #OdishaVolleyballAssociation #Phulbani #Kandhamal #Odisha

LEAVE A REPLY

Please enter your comment!
Please enter your name here