ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସହ ଲଢ଼ିବା ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏବେ ୧୮-୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ସେହିପରି ରାଜଧାନୀ ଭୁବନେଶ୍ଵରର ବିଭିନ୍ନ କେନ୍ଦ୍ରରେ ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ବିଏମସି ପକ୍ଷରୁ ଟିକା ଦିଆଯାଉଛି। ବିଏମସିର ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵରରେ ସମୁଦାୟ ୧୦ଲକ୍ଷ ହିତାଧିକାରୀଙ୍କୁ ଟିକା ଦିଆ ସରିଲାଣି।

ଜୁଲାଇ ୧୫ ତାରିଖ ସୁଦ୍ଧା ସମସ୍ତ ରାଜଧାନୀବାସୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଯୋଜନା କରିଛି ବିଏମ୍‌ସି। ଜୁନ୍ ୧୪ତାରିଖ ସୁଦ୍ଧା ଉଭୟ ସରକାରୀ ଓ ବେସରକାରୀ ଟିକାକେନ୍ଦ୍ରରେ ୬ଲକ୍ଷ ୩୦ହଜାର ୧୯୧ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ, ୩ଲକ୍ଷ ୭୯ହଜାର ୫୦୫ଜଣଙ୍କୁ ଦ୍ଵିତୀୟ ଡୋଜ୍ ଟିକା ଦିଆଯାଇଛି।ବିଏମ୍‌ସି କମିସନର ସଂଜୟ ସିଂ କହିଛନ୍ତି, “ରାଜଧାନୀରେ ସବୁ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ଏଠାରେ ଯେପରି ଖୁବ୍‌ ଶୀଘ୍ର କରୋନା ସ୍ଥିତି ସ୍ଵାଭାବିକ ହେବ ସେଥିପାଇଁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯାଉଛି। ଏଥିସହ ଟିକା ନେବାପରେ ବି କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି।”

ରାଜଧାନୀରେ ବର୍ତ୍ତମାନ ପ୍ରାୟ ୩୫ହଜାର ସ୍ଵାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି। ୩୪ହଜାର ୦୪୦ ଜଣ ଦ୍ଵିତୀୟ ଡୋଜ୍ ଟିକା ନେଇସାରିଲେଣି। ସେହିପରି ୫୧ହଜାର ୭୧୩ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ୩୨ହଜାର ୯୩୯ଜଣ ଦ୍ଵିତୀୟ ଡୋଜ୍ ଟିକା ନେଇସାରିଲେଣି।ମେ’ ୧ରୁ ରାଜଧାନୀରେ ଯୁବବର୍ଗଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି। ବିଏମସିର ତଥ୍ୟ ଅନୁସାରେ, ସୋମବାର ସୁଦ୍ଧା ୧ଲକ୍ଷ ୯୦ହଜାର ୪୩୯ଜଣ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିଲା। ଏଥିସହ ୮୧ହଜାର ୬୪୫ଜଣଙ୍କୁ ଦ୍ଵିତୀୟ ଡୋଜ୍ ଟିକା ଦିଆସରିଛି। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସମସ୍ତ ଯୁବବର୍ଗଙ୍କୁ ଟିକା ଦେବାକୁ ବିଏମ୍‌ସି ଯୋଜନା କରିଛି।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ପକ୍ଷରୁ ୪୫ବର୍ଷରୁ ଊର୍ଦ୍ଧ୍ବ ୩ଲକ୍ଷ ୪୫ହଜାର ୩୪୨ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ୨ଲକ୍ଷ ୨୭ହଜାର ୯୯୫ଜଣଙ୍କୁ ଦ୍ଵିତୀୟ ଡୋଜ୍ ଦିଆଯାଇଛି। ଉଭୟ ଘରୋଇ ଓ ସରକାରୀ କେନ୍ଦ୍ରଗୁଡ଼ିକରେ ଏହି ବର୍ଗର ଲୋକମାନେ ଟିକା ନେଇଛନ୍ତି।

Comment