ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍-୨୦୨୦ ଖୁବ୍ ଶୀଘ୍ର ହେବାକୁ ଯାଉଛି।  ଏଥିପାଇଁ ଗୁରୁବାର ହକି ଇଣ୍ଡିଆ ତରଫରୁ ଭାରତୀୟ ମହିଳା ହକି ଟିମରେ ସ୍ଥାନ ପାଇଥିବା ୧୬ଜଣ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶା ପାଇଁ ଗର୍ବର ବିଷୟ, ଏହି ଟିମ୍‌ରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ଦୀପଗ୍ରେସ୍ ଏକ୍କା।ଟୋକିଓ ଅଲିମ୍ପିକରେ ୮ଜଣ ଅଭିଜ୍ଞତା ସମ୍ପନ୍ନ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ଅଭିଜ୍ଞତା ସମ୍ପନ୍ନ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଦୀପଗ୍ରେସ୍ ଏକ୍କା। ଏଥିସହ ଆଉ ୮ଜଣ ନବାଗତଙ୍କୁ ମଧ୍ୟ ଅଲିମ୍ପିକରେ ଖେଳିବା ପାଇଁ ସୁଯୋଗ ମିଳିଛି । ଏହି ଅଲିମ୍ପିକ୍ ଜୁଲାଇ ୨୪ରୁ ଅଗଷ୍ଟ ୬ତାରିଖ ପର୍ଯ୍ୟନ୍ତ ଚାଲିବ।

ସୁନ୍ଦରଗଡ଼ ଜିଲ୍ଲାର ୨୭ ବର୍ଷୀୟା ଦୀପଗ୍ରେସ୍, ଅଲିମ୍ପିକ୍-୨୦୨୦ ପାଇଁ ଚୟନ ହୋଇଥିବା ଘୋଷଣା ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Comment