ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଜନିତ ମୃତ୍ୟୁ ସଂଖ୍ୟାର ସଠିକ ତଥ୍ୟ ଜାଣିବା ପାଇଁ ଚାଲିଛି ଅଡିଟ। ବର୍ତ୍ତମାନ ଚାଲିଥିବା ଅଡିଟ ପରେ ହିଁ କରୋନା ଜନିତ ମୃତ୍ୟୁ ସଂଖ୍ୟା କେତେ ରହିଛି ତାହା ଜଣାପଡ଼ିବ। ଏଭଳି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚା ଯାଉଛି ବୋଲି ଅଭିଯୋଗ ଆସିବା ପରେ ସରକାରଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଯେଉଁ ସବୁ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜଣାପଡିନାହିଁ ତାହାର ଅଡିଟ ହେବା ପାଇଁ ଆଉ ଏକ ମାସ ଲାଗିବ ବୋଲି କହିଛନ୍ତି ଅଧିକାରୀ।ସରକାର କିଛି ଲୁଚାଉନାହାନ୍ତି। ପ୍ରକୃତ ପକ୍ଷେ ମୃତ୍ୟୁ ସଂଖ୍ୟା କେତେ ତାହା ଅଡ଼ିଟ ହିଁ କହିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ସରକାରୀ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଯୋଗୁଁ ୪୦୬୩ ଜଣ ପ୍ରାଣ ହରାଇଛନ୍ତି। ସବୁ ହସ୍ପିଟାଲରୁ ମୃତକଙ୍କ ବିବରଣୀ ଆସିବା ପରେ ତାହାକୁ ବିଶ୍ଲେଷଣ କରାଯିବ ଓ ଏହା ସମୟ ସାପେକ୍ଷ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ଓ ଯେତେ ଶୀଘ୍ର ସମ୍ଭବ ପ୍ରକୃତ ମୃତ୍ୟୁ ସଂଖ୍ୟା ମିଳିଯିବ ବୋଲି ଅତିରିକ୍ତ ଶାସନ ସଚିବ ମତ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର କରୋନା ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି ବୋଲି ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଆସିଛନ୍ତି। ବାହାରେ ପ୍ରଶଂସା ପାଇବା ପାଇଁ ଏଭଳି କରାଯାଉଛି ବୋଲି ବିରୋଧୀ ଆକ୍ଷେପ କରିଛନ୍ତି। ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟନାୟକ ଏହି ପ୍ରସଙ୍ଗକୁ ନେଇ ତାଙ୍କ କାଗଜରେ ଏକ ସମ୍ପାଦକୀୟ ଲେଖିବା ପରେ ସରକାରଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଆସିଛି ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here