ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ରାଜ୍ୟ ସଙ୍ଗୀତ ସମ୍ପର୍କରେ ଏକ ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇଛି। ଏହାକୁ ଲେଖିଛନ୍ତି ଯୁବ ଗବେଷକ ତଥା କର୍ଣ୍ଣାଟକର ମୈସୂରୁସ୍ଥିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନରେ କାର୍ଯ୍ୟରତ ଡକ୍ଟର ସନ୍ତୋଷ କୁମାର ମହାନ୍ତି। ବହିଟି ଭୁବନେଶ୍ୱରର ଧଉଳି ବୁକ୍ସ ତଥା ବିଶିଷ୍ଟ ଲେଖକ ମନୁ ଦାଶଙ୍କ ଦ୍ଵାରା ପ୍ରକାଶ ପାଇଛି।

ଏହି ବହିରେ ସମୁଦାୟ ୨୫ଟି ଅଧ୍ୟାୟରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଏଥିସହ ବହି ପ୍ରସ୍ତୁତି ପାଇଁ ସରକାରୀ ବିବରଣୀ, ଉତ୍କଳ ସମ୍ମିଳନୀ ବିବରଣୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଦେଶ, ବିଭିନ୍ନ ଚିଠିପତ୍ର, ପୁରୁଣା ବହି, ପତ୍ରପତ୍ରିକା, ପୂରାତନ ଖବରକାଗଜ ‘ଉତ୍କଳ ଦୀପିକା’, ‘ସମ୍ବଲପୁର ହିତୈଷିଣୀ’ ଆଦିରୁ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଛି। ଦେଶର ୧୦ଟି ରାଜ୍ୟ ସଂଗୀତ ଓଡ଼ିଆ ଲିପିରେ ପ୍ରସ୍ତୁତ ହୋଇଛି। ବହିରେ ସମୁଦାୟ ୧୧୧ଟି ଫଟୋ ବା ପ୍ରତିଲିପି ସ୍ଥାନ ପାଇଛି। ଏହି ପ୍ରତିଲିପିଗୁଡ଼ିକ ମଧ୍ୟରେ ସରକାରୀ ବିବରଣୀ, ବିଭିନ୍ନ ଚିଠିପତ୍ର, ଉତ୍କଳ ସମ୍ମିଳନୀ ବିବରଣୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଦେଶ, କବିତାଟିର ୬ଟି ଭିନ୍ନଭିନ୍ନ ରୂପର ନମୁନା ଆଦି ଉଲ୍ଲେଖଯୋଗ୍ୟ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଲୋକଦଳରେ ଥିବାବେଳେ ସେହି ଦଳର ନିର୍ବାଚନୀ ପୋଷ୍ଟରରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଥିବା ଏକ ବିରଳ ପୋଷ୍ଟର ମଧ୍ୟ ଉକ୍ତ ବହିଟିରେ ସ୍ଥାନ ପାଇଛି।ଲେଖକ ଡକ୍ଟର ମହାନ୍ତି କବିତାଟିର ପ୍ରତ୍ୟେକ ଶବ୍ଦର ଅର୍ଥ ମଧ୍ୟ ଦେଇଛନ୍ତି ।ଏଥିସହ ‘ବନ୍ଦେ ଉତ୍କଳ ଜନନୀ’ କବିତା ସମ୍ପର୍କରେ ଥିବା କେତେକ ଭ୍ରମଧାରଣାକୁ ଐତିହାସିକ ତଥ୍ୟ ଆଧାରରେ ଦୂର କରିବାପାଇଁ ଚେଷ୍ଟା କରିଛନ୍ତି। ପୁଣି ଉତ୍କଳ ସମ୍ମିଳନୀରେ ବିଭିନ୍ନ ଅଧିବେଶନରେ ଗାନ କରାଯାଇଥିବା ଦେଶାତ୍ମବୋଧକ ସଙ୍ଗୀତଗୁଡ଼ିକୁ ସମ୍ମିଳନୀର ବିବରଣୀରୁ ସଂଗ୍ରହ କରି ଏକ ସ୍ୱତନ୍ତ୍ର ଅଧ୍ୟାୟରେ ତାହାକୁ ସ୍ଥାନ ଦେଇଛନ୍ତି। ସେହିପରି ୧୯୩୨ରେ ଗ୍ରାମଫୋନ୍ ରେକର୍ଡରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାଇଥିବା କଣ୍ଠଶିଳ୍ପୀ ଗୋକୁଳ ମହାନ୍ତିଙ୍କ ଏକ ସଂକ୍ଷିପ୍ତ ପରିଚୟ ସ୍ଥାନିତ ହୋଇଛି।

ବହିର ଆରମ୍ଭରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବଶା, ବିଶିଷ୍ଟ ଭାଷାବିଦ୍ ତଥା ସାହିତ୍ୟ ସମୀକ୍ଷକ ଡକ୍ଟର ନଟବର ଶତପଥୀ, ଲେଖକ କମଳାକାନ୍ତ ମହାପାତ୍ର, ପ୍ରଖ୍ୟାତ ସାହିତ୍ୟ ସମାଲୋଚକ ଦେବେନ୍ଦ୍ର କୁମାର ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜି ବିଭାଗର ପ୍ରାକ୍ତନ ମୁଖ୍ୟପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଓ ନୂଆଦିଲ୍ଲୀସ୍ଥିତ ଜାତୀୟ ଅଭିଲେଖାଗାରର ଉପ-ନିର୍ଦ୍ଦେଶକ ତଥା ଐତିହାସିକ ଡକ୍ଟର ଲଲାଟେନ୍ଦୁ ଦାସ ମହାପାତ୍ର ସେମାନଙ୍କ ଅଭିମତରେ ବହିର ଗୁରୁତ୍ୱ ସମ୍ପର୍କରେ ବିଶେଷ ଆଲୋକପାତ କରିଛନ୍ତି ।

Comment