ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ଦେ ଉତ୍କଳ ଜନନୀ ଓଡ଼ିଆଙ୍କ ଭାବନା ସହ ଜଡ଼ିତ ଗୀତ। ଏହାକୁ ରଚନା କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର।

ବନ୍ଦେ ଉତ୍କଳ ଜନନୀ। ପ୍ରତିଟି ଓଡ଼ିଆଙ୍କ ଭାବନା ସହ ଜଡ଼ିତ ଏହି ଗୀତ। ଏହା କେବଳ ଗୋଟିଏ ଗୀତ ନୁହେଁ, ଏହା ଏକ ଜାତିର ଆତ୍ମପ୍ରତ୍ୟୟ। ବ୍ରିଟିଶ ଭାରତରେ ବିଖଣ୍ଡିତ ଓଡ଼ିଶାକୁ ଏକଜୁଟ କରିବାରେ ଏହି ଗୀତ ପ୍ରମୁଖ ଭୂମିକ ଗ୍ରହଣ କରିଥିଲା। ଏହି ଗୀତ ଶୁଣିବା ମାତ୍ରେ ପ୍ରତି ଓଡ଼ିଆଙ୍କ ମନରେ ନିଜ ଜାତି ଓ ଭାଷା ପାଇଁ ଆତ୍ମୀୟତା ସୃଷ୍ଟି ହୋଇଥାଏ।

ବନ୍ଦେ ଉତ୍କଳ ଜନନୀକୁ ରଚନା କରିଥିଲେ ଜାତୀୟବାଦୀ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଏହି ଗୀତ ବିଖଣ୍ଡିତ ଓଡ଼ିଶାକୁ ଏକାଠୀ କରିବାକୁ ଓଡ଼ିଆଙ୍କୁ ଦେଇଥିଲା ବଳ। ଏହାକୁ ପ୍ରଥମଥର କରି ୧୯୧୨ ମସିହା ବାଲେଶ୍ଵରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ଗାନ କରାଯାଇଥିଲା।

୧ ଏପ୍ରିଲ ୧୯୩୬ରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପରେ ଏହି ଗୀତଟି ରାଜ୍ୟରେ ରାଜ୍ୟଗାନ ଭାବେ ପରିଚୟ ପାଇଥିଲା, ହେଲେ ରାଜ୍ୟଗାନ ଭାବେ ଏଯାଏଁ ଏହି ଗୀତକୁ ସରକାରୀ ମାନ୍ୟତା ମିଳିନାହିଁ। ୧୯୯୪ ମସିହାରେ ବାଚସ୍ପତି ଯୁଧିଷ୍ଠିର ଦାସ ଏହାକୁ ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ଦେବା ପାଇଁ ବିଧାନସଭାରେ ନିଷ୍ପତ୍ତି ନେଇଥିଲେ।

ସେହି ବର୍ଷ ବିଧାନସଭାରେ ସମସ୍ତ ସଦସ୍ୟ ଛିଡ଼ା ହୋଇ ଏହି ଗୀତକୁ ଜାତୀୟ ସଙ୍ଗୀତ ଭାବେ ଗାନ କରିଥିଲେ। ସେବେଠାରୁ ଏହି ପରମ୍ପରା ଚାଲିଆସିଛି। ସବୁ ସ୍କୁଲମାନଙ୍କରେ ମଧ୍ୟ ଏହି ଗୀତ ଗାନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା।

ପରେ ୨୦୦୬ ଜୁଲାଇ ୧୨ ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନ ସମ୍ମତ ନୁହେଁ। ୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନସଭାରେ ଏକ ବିଲ ଆଗତ କରାଯିବ। ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

୯ ଡିସେମ୍ଵର ୧୮୮୮ ମସିହାରେ ଭଜ୍ରକ ଜିଲ୍ଲାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜନ୍ମଗ୍ରହଣ କରିଥିଲେ। ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି। ଏହାସହ ଓଡ଼ିଆ ସାହିତ୍ୟରେ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ ଆଦି ରଚନା କରିଛନ୍ତି। ଲକ୍ଷ୍ମୀକାନ୍ତ ହାଇସ୍କୁଲରେ ପଢ଼ିଲା ବେଳେ ଇଂରେଜମାନଙ୍କ ବିରୋଧରେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସୈନ୍ୟମାନଙ୍କ ଦ୍ଵାରା ବନ୍ଦୀ ହୋଇ ଜେଲ ମଧ୍ୟ ଯାଇଥିଲେ।

ପରେ ସେ ଜମିଦାର ଲାଲମୋହନ ଦାସଙ୍କ କନ୍ୟାକୁ ବିବାହ କରିଥିଲେ। ପରେ ୧୯୧୩ ମସିହାରେ ସେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କଲେ। ତାଙ୍କ ଦେଶପ୍ରେମ କବିତା ଗଳ୍ପ ପାଇଁ ୧୯୩୩ ମସିହାରେ ଭଦ୍ରକ ହାଇସ୍କୁଲରେ ତାଙ୍କୁ ସମ୍ବର୍ଦ୍ଧିତ କରାଗଲା। ଏହି ସଭାରେ ତାଙ୍କୁ କାନ୍ତକବି ଉପାଧି ମଧ୍ୟ ମିଳିଥିଲା।

Comment