ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଭୁବନେଶ୍ଵର ପରେ ଏବେ କଟକ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ସୂଚନା ଅନୁସାରେ, କଟକ ସହରର ବିଭିନ୍ନ ସ୍ଥାନରୁ ଶନିବାର ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ଏମାନଙ୍କ ମଧ୍ୟରୁ କିଛି ଜଣଙ୍କର ଭୁବନେଶ୍ଵର ସହ ଲିଙ୍କ ଥିବା ଜଣାପଡ଼ିଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ସ୍ଵତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି।ଅନ୍ୟପଟେ ଭୁବନେଶ୍ଵରରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଏମସି ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୫ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜଧାନୀର ସମସ୍ତ ୱାର୍ଡରେ ସଫେଇ କାର୍ଯ୍ୟ ସହିତ ଲୋକମାନଙ୍କୁ ସଚେତନ କରାଯାଉଛି। ସବୁ ୱାର୍ଡର କାର୍ଯ୍ୟ ତଦାରଖ କରିବା ପାଇଁ ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।ଡେଙ୍ଗୁ ରୋଗର କୌଣସି ଲକ୍ଷଣ ଦେଖାଗଲେ ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା କରିବାକୁ ବାରମ୍ବାର ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। ଏଥିସହ ନିଜ ଘରର ଚାରିପାଖ ପରିଷ୍କାର ରଖିବାକୁ ମଧ୍ୟ କୁହାଯାଉଛି।

Comment