ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ଦିନ ଭାରତ ତଥା କ୍ରୀଡ଼ା ଜଗତ ପାଇଁ ଏକ ସ୍ମରଣୀୟ ଦିବସ। ଗୁରୁବାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତ। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ଭାରତୀୟ ପୁରୁଷ ହକି ଟିମ୍। ସେମାନଙ୍କ ବିଜୟକୁ ସମଗ୍ର ଦେଶବାସୀ ନିଜ ନିଜ ଢ଼ଙ୍ଗରେ ପାଳନ କରୁଥିବାବେଳେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଏହି ଦଳରେ ସାମିଲ ଥିବା ଦୁଇ ଓଡ଼ିଆ ହକି ତାରକାଙ୍କ ପରିବାର ସହ ମଧ୍ୟ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି।ଗୁରୁବାର ଅପରାହ୍ନ ସମୟରେ ଓଡ଼ିଶାର ଦୁଇ ହକି ତାରକା ଅମିତ ରୋହିଦାସ ଏବଂ ବିରେନ୍ଦ୍ର ଲାକ୍ରାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରଥମେ ଅମିତ ରୋହିଦାସଙ୍କ ଭାଇ ନିରଞ୍ଜନ ରୋହିଦାସ ଏବଂ ମା’ ଲକ୍ ରୋହିଦାସଙ୍କ ସହ କଥା ହୋଇଥିଲେ।

“ଆମେ ବହୁତ ଖୁସି ଅଛୁ। ଦୀର୍ଘ ୪୧ବର୍ଷପରେ ଅଲିମ୍ପିକ୍ସ ହକିରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଆଣିଛନ୍ତି ଏହି ତାରକାମାନେ। ଖାଲି ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ବିଜୟ ଉତ୍ସବ ପାଳନ କରାଯାଉଛି। ଆଜିର ଏହି ସଫଳତା ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ”, କହିଛନ୍ତି ଅମିତ ରୋହିତ ଦାସଙ୍କ ଭାଇ ଏବଂ ମା’।

ସେହିପରି ଅନ୍ୟତମ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ମା’ କହିଛନ୍ତି, “ବହୁତ୍ ଖୁସି ଲାଗୁଛି। ସେହିପରି ମୋ ପୁଅ ଆଗକୁ ଖେଳି ଅନ୍ତର୍ଜାତୀୟ ସ୍ତରରେ ଦେଶ ଓ ରାଜ୍ୟର ନାଁ ରଖୁ।”

“ଆପଣଙ୍କ ପିଲା ଭଲ ଖେଳୁଛନ୍ତି। ଏଥିପାଇଁ ଆପଣଙ୍କୁ ଶୁଭେଚ୍ଛା। ମୁଁ ମଧ୍ୟ ଉଭୟ ପରିବାର ସହ କଥା ହୋଇ ବେଶ୍ ଖୁସି ଅଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସେପଟେ ଭାରତୀୟ ହକି ପୁରୁଷ ଖେଳାଳିଙ୍କ ବିଜୟକୁ ନେଇ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମହିଳା ହକି ଖେଳାଳିମାନେ ଉତ୍ସବ ମନାଉଛନ୍ତି। ପରସ୍ପର ପରସ୍ପରକୁ ମିଠା ଖୁଆଇ, ଆଲିଙ୍ଗନ କରି, ନାଚି ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ବିଜୟ ଅନ୍ୟ ଖେଳାଳିମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କ୍ରୀଡ଼ାବିତମାନେ ମତ ରଖିଛନ୍ତି।

Comment