ଅଭିପ୍‌ସା ବରାଳ

ଟୋକିଓ ଅଲିମ୍ପିକ୍ସ ସହ ଅନେକ ଅନ୍ତର୍ଜାତୀୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଆସିଥିବା ଓଡ଼ିଆ ହକି ତାରକା ହେଉଛନ୍ତି ଦୀପ୍ ଗ୍ରେସ୍ ଏକ୍କା। ଦିନେ ଏହି ଖେଳାଳି ନିଜର ହକି ଅଭ୍ୟାସ ପାଇଁ ଜଙ୍ଗଲରୁ କାଠ ଏବଂ ରାସ୍ତାଘାଟରୁ ଛିଣ୍ଡା ଜରି ସଂଗ୍ରହ କରୁଥିଲେ।

ସୁନ୍ଦରଗଡ଼ର ସୁନା ଝିଅ ଦୀପ୍ ଗ୍ରେସ ଏକ୍କା। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଉପ-ଅଧିନାୟିକା ଭାବେ ଦାୟିତ୍ଵ ତୁଲାଇଥିଲେ। ଅଲିମ୍ପିକ୍ସରେ ଦଳର ଏତେ ଭଲ ପ୍ରଦର୍ଶନ ସତ୍ତ୍ଵେ ଯେତେବେଳେ ଦଳକୁ ଶେଷ ମୁହୂର୍ତ୍ତରେ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା, ସେହି ସମୟରେ ଗ୍ରାଉଣ୍ଡ ମଝିରେ ବସିଯାଇ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଏହି ଓଡ଼ିଆ ହକି ତାରକା। ଏକ ଛୋଟିଆ ମଫସଲ ଗାଁରୁ ନିଜର ହକି ଯାତ୍ରା ଆରମ୍ଭ କରିଥିବା ଏହି ତାରକାଙ୍କ ସଙ୍ଘର୍ଷପୂର୍ଣ୍ଣ କାହାଣୀ ଓ ସଫଳତା ସମ୍ପର୍କରେ ଜାଣନ୍ତୁ।ହକି ଖେଳରେ ସୁନାମ ଅର୍ଜନ କରି ଦେଶ ବିଦେଶରେ ନାଁ କରୁଥିବା ଏହି ହକି ତାରକାଙ୍କୁ ଦିନେ ହକି ଷ୍ଟିକ୍ ପାଇଁ ଜଙ୍ଗଲକୁ ଯିବାକୁ ପଡ଼ିଥିଲା। ହକି ଖେଳ ପ୍ରତି ଏତେ ଆଗ୍ରହ ଥିଲା ଯେ, ଜଙ୍ଗଲକୁ ଯାଇ ଧଉଁଲା ବା ଧଅଁରା ଗଛର କାଠ ସଂଗ୍ରହ କରି ସେଥିରେ ହକି ବାଡ଼ି ତିଆରି କରୁଥିଲେ। ଖାଲି ସେତିକି ନୁହେଁ ହକି ବଲ୍ ପାଇଁ ବି ତାଙ୍କୁ ରାସ୍ତାଘାଟରୁ ଛିଣ୍ଡା ଜରି ସଂଗ୍ରହ କରିବାକୁ ପଡ଼ୁଥିଲା। ପରେ ସବୁକୁ ଏକାଠି କରି ନିଜ ପାଇଁ ପ୍ରସ୍ତୁତ କରୁଥିଲେ ହକି ଷ୍ଟିକ୍ ଏବଂ ବଲ୍। କିନ୍ତୁ ଆଜି ସେହି ହକି ତାରକାଙ୍କ ପାଖରେ ଅଛି ଶହ ଶହ ହକି ଷ୍ଟିକ୍ ଏବଂ ହକି ବଲ୍।

ଧଉଁଲା ଗଛର କାଠ ଏବଂ ଛିଣ୍ଡା ଜରିରେ ପ୍ରସ୍ତୁତ ହକି ସାମଗ୍ରୀରେ କରିଥିବା ଅଭ୍ୟାସ ଆଜି ଦୀପ୍ ଗ୍ରେସଙ୍କୁ ଟୋକିଓ ହକି ମଇଦାନରେ ପହଁଞ୍ଚାଇଛି। ଓଡ଼ିଶା ସମେତ ସମଗ୍ର ଦେଶରେ ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ମିଳିଛି।ଟୋକିଓ ଅଲିମ୍ପିକ୍ସରେ ଉପ-ଅଧିନାୟିକା

ଚଳିତ ବର୍ଷ ଦୀପ୍ ଗ୍ରେସ ଏକ୍କାଙ୍କୁ ମିଳିଥିଲା ଟୋକିଓ ଟିକେଟ୍। ହକି ଇଣ୍ଡିଆ ତରଫରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷଣା କରାଯାଇଥିବା ୧୬ ଜଣିଆ ମହିଳା ହକି ଦଳ ତାଲିକାରେ ସାମିଲ ହୋଇଥିଲେ ଦୀପ୍ ଗ୍ରେସ ଏକ୍କା। ତାଙ୍କୁ ଦଳରେ ଉପଅଧିନାୟିକା ଭାବେ ଅବସ୍ଥାପିତ କରାଯାଇଥିଲା। ଜଣେ ଅଭିଜ୍ଞ ଖେଳାଳି ଭାବେ ଦୀପଗ୍ରେସ୍ ଅନେକ ଅନ୍ତର୍ଜାତୀୟ ମୁକାବିଲାରେ ନିଜ ଯାଦୁ ଦେଖାଇଛନ୍ତି।

ସେହିପରି ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ ଏହି ଓଡ଼ିଆ ହକି ତାରକା। ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ରାଜ୍ୟରୁ ୪ ଜଣ ଓଡ଼ିଆ ଝିଅ ଭାରତୀୟ ମହିଳା ଟିମରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ଦୀପ୍ ଗ୍ରେସ ଏକ୍କା।ଟୋକିଓରୁ ଫେରିବାପରେ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା

ଟୋକିଓରୁ ଫେରିବାପରେ ଦୀପ୍ ଗ୍ରେସ ଏକ୍କାଙ୍କ ସମେତ ଆଉ ୩ ଓଡ଼ିଆ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ପୁରସ୍କାର ସ୍ଵରୂପ ଦୀପ୍ ଗ୍ରେସ ଏକ୍କାକୁ ୫୦ଲକ୍ଷ ଟଙ୍କା ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ତିନି ଥରର ଅଲିମ୍ପିକ ବିଜେତା ଅଷ୍ଟ୍ରେଲିଆ ଦଳକୁ ହରାଇ ଦଳ ସେମି ଫାଇନାଲକୁ ପ୍ରବେଶ କରିଥିଲା। ମହିଳା ହକି ଦଳର ଐତିହାସିକ ବିଜୟରେ ସାରା ଦେଶ ଗର୍ବିତ।ସୁନ୍ଦରଗଡ଼ର ସୁନା ଝିଅ

ସୁନ୍ଦରଗଡ଼ ଜିଲ୍ଲାର ମଫସଲ ଗାଁ ଲୁଲକିଡିହି ବାମନିବାହାଲର ଗାଁର ଝିଅ ହେଉଛନ୍ତି ଦୀପ୍ ଗ୍ରେସ ଏକ୍କା। ଦେଶ ବିଦେଶରେ ଏହି ଝିଅର ସଫଳତାକୁ ନେଇ ବାପା ମା’ଙ୍କ ସମେତ ଗାଁର ପ୍ରେତ୍ୟେକ ବ୍ୟକ୍ତି ଗର୍ବ କରନ୍ତି। ଟୋକିଓ ଅଲିମ୍ପିକ୍ସ ଥିଲା ଦୀପ୍ ଗ୍ରେସଙ୍କ ପାଇଁ ଅଲିମ୍ପିକ୍ସ ଖେଳିବାର ଦ୍ଵିତୀୟ ସୁଯୋଗ।

ଏକ ଗରିବ ଚାଷୀ ପରିବାରରେ ତାଙ୍କର ଜନ୍ମ। ବାପା ଚାଲେଶ ଏକ୍କା ଚାଷ ବାସ କରି ପରିବାର ଚଳାନ୍ତି। ଦୀପ୍ ଗ୍ରେସ ହେଉଛନ୍ତି ପରିବାରର ସାନ ଝିଅ। ତାଙ୍କର ତିନି ଭାଇ ଏବଂ ଜଣେ ଭଉଣୀ ମଧ୍ୟ ରହିଛନ୍ତି।ବାପା ଓ ଭାଇଙ୍କଠାରୁ ଶିଖିଛି ହକି

୨୭ ବର୍ଷିୟା ଦୀପ୍ ଗ୍ରେସ ନିଜ ବାପା ଓ ଭାଇଙ୍କଠାରୁ ପ୍ରଥମେ ହକି ଖେଳ ଶିଖିଥିଲେ। ବାପା ଚାଲେଶ ଏକ୍କା ମଧ୍ୟ ଜଣେ ହକି ଖେଳାଳି ଥିଲେ। ତାଙ୍କ ସମୟରେ ଚାଲେଶ ଝାରଖଣ୍ଡ ଓ ଛତିଶଗଡ଼ ଅଞ୍ଚଳରେ ମ୍ୟାଚ ଖେଳିବାକୁ ଯାଉଥିଲେ। କିନ୍ତୁ ପରେ ପରିବାରିକ ସମସ୍ୟା ଏବଂ ତାଲିମ ଅଭାବରୁ ସେ ଆଉ ଆଗକୁ ଖେଳି ପାରିନଥିଲେ।

ସେହିପରି ଦୀପ୍ ଗ୍ରେସଙ୍କ ଜଣେ ଭାଇ ଡେନିସ ମଧ୍ୟ ହକି ଖେଳନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମରେ ନିଯୁକ୍ତି ପାଇ କମ୍ପାନି ଟିମରେ ଖେଳୁଛନ୍ତି। ବାପା ଓ ଭାଇଙ୍କୁ ଦେଖି ଦୀପଗ୍ରେସଙ୍କର ମଧ୍ୟ ହକି ଖେଳ ପ୍ରତି ଆଗ୍ରହ ବଢ଼ିଥିଲା। କିନ୍ତୁ ହକି ଷ୍ଟିକ୍ ଏବଂ ବଲ୍ କିଣିବାକୁ ସକ୍ଷମ ନଥିବାରୁ ସେ ତା’ର ବିଳକ୍ପ ସଦୃଶ ଧଉଁଲା କାଠ ଓ ଛିଣ୍ଡା ଜରିକୁ ବ୍ୟବହାର କରି ହକି ସାମଗ୍ରୀ ପ୍ରସ୍ତୁତ କରିଥିଲେ। ସେଥିରେ ଆରମ୍ଭ କରିଥିଲେ ନିଜର ହକି ଅଭ୍ୟାସ।ବାପାଙ୍କ ଅଧୁରା ସ୍ଵପ୍ନ ପୂରା କଲେ ଦୀପ୍ ଗ୍ରେସ

ଦୀପ୍ ଗ୍ରେସଙ୍କ ବାପା ଚାଲେଶ ଏକ୍କା ସ୍ଵପ୍ନ ଥିଲା, ସେ ଜଣେ ପଦକ ବିଜେତା ହକି ଖେଳାଳି ହେବେ। ହକି ଖେଳି ନିଜ ଅଞ୍ଚଳ, ରାଜ୍ୟ ଓ ଦେଶକୁ ଗର୍ବିତ କରିବେ। କିନ୍ତୁ ପାରିବାରିକ ଓ ଆର୍ଥିକ ସମସ୍ୟା କାରଣରୁ ତାଙ୍କ ସ୍ଵପ୍ନ ଅଧାରେ ରହିଗଲା।

ବାପାଙ୍କ ଏହି ଅଧୁରା ସ୍ଵପ୍ନକୁ ପୂରା କରିଛନ୍ତି ଦୀପ୍ ଗ୍ରେସ। ଝିଅକୁ ଭଲ ହକି ଖେଳାଳି ଭାବେ ଗଢ଼ି ତୋଳିବାକୁ ସେ ୨୦୦୪ରେ ସୁନ୍ଦରଗଡ଼ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଛାଡ଼ିଥିଲେ। ସେଠାରେ ଦୁଇ ବର୍ଷ ଅଭ୍ୟାସ କରିବା ପରେ ୨୦୦୬ରେ ସାଇ ଏକାଡେମୀରେ ପ୍ରବେଶ କରିଥିଲେ ଦୀପଗ୍ରେସ।

୨୦୦୮ ପର୍ଯ୍ୟନ୍ତ ତାଙ୍କୁ କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ ହକି ତାଲିମ ଦେଇଥିଲେ। ପରବର୍ତ୍ତୀ ସମୟରେ ମହିଳା ହକି କୋଚ୍ ଲୁସେଲ ଏକ୍କା ତାଙ୍କୁ ତାଲିମ ଦେଇଥିଲେ।ଦୀପ୍ ଗ୍ରେସଙ୍କ ହକି ଯାତ୍ରା

ଦୀପ୍ ଗ୍ରେସ ୨୦୧୧ ମସିହାରେ ଜାତୀୟ ମହିଳା ହକି କ୍ୟାମ୍ପକୁ ମନୋନୀତ ହୋଇଥିଲେ। ସେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି। ୨୦୧୪ରେ ସେ ଗ୍ଲାସଗୋ ଓ ୨୦୧୮ରେ ଗୋଲ୍ଡ କୋଷ୍ଟ ଗେମ୍ ଖେଳିଛନ୍ତି। ଏଥିସହ ଏହି ଦୁଇ ବର୍ଷ ସେ ଦୁଇଟି ଏସିଆନ ଗେମରେ ମଧ୍ୟ ଭାଗ ନେଇଥିଲେ।

୨୦୧୬ରେ ସେ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ, ଆଉ ୨୦୨୧ରେ ସେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଉପ-ଅଧିନାୟିକା ଭାବେ ଖେଳିଛନ୍ତି।

ଦୀପ୍ ଗ୍ରେସ ପାଇଥିବା ସମ୍ମାନ

୨୦୧୪ ଏସିଆନ ଗେମ୍ସରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏବଂ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା ହୋଇଥିଲେ। ବ୍ୟାଙ୍କକକରେ ଖେଳାଯାଇଥିଲା ଅଣ୍ଡର-୧୮ ଏସିଆ ହକିରେ ଦେଶକୁ ବ୍ରୋଞ୍ଜ ପଦକ ଉପହାର ଦେଇଥିଲେ। ନିଜର ହକି କ୍ୟାରିୟରରେ ଏମିତି ଏକାଧିକ ପଦକ ହାସଲ କରିଛନ୍ତି ଦୀପ୍ ଗ୍ରେସ ଏକ୍କା।

Comment