ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ତାଲିବାନ କବ୍‌ଜାରେ ଆଫଗାନିସ୍ତାନ
  • ୨୦ ବର୍ଷ ପରେ ଆଫଗାନରେ ତାଲିବାନ ରାଜ
  • ଭୟ ଓ ଆତଙ୍କରେ ଆଫଗାନବାସୀ
  • ଦେଶ ଛାଡ଼ିବାକୁ ବିମାନ ବନ୍ଦରରେ ଭିଡ଼

(ଶୁଭଶ୍ରୀ ନାୟକ): ଆଫଗାନିସ୍ତାନକୁ ତାଲିବାନିମାନେ ସମ୍ପୂର୍ଣ୍ଣ କବ୍‌ଜା କରିବା ପରେ ସେଠାରେ ଏବେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ୨୦ ବର୍ଷ ପରେ ଦେଶରେ ପୁଣିଥରେ ତାଲିବାନିମାନଙ୍କର ଆଧିପତ୍ୟ ବିସ୍ତାର ହୋଇଛି। ଏବେ ସେଠାରେ ଏହି ଚରମପନ୍ଥୀଙ୍କ ରାଜ୍‌ ଚାଲିବ। ଆଫଗାନର ସାଧାରଣ ଜନତା ଶୋଷଣର ଶିକାର ହେବେ। ତେବେ ଏହି ତାଲିବାନମାନେ କିଏ, ଆଫଗାନରେ କେମିତି ଏମାନେ ପ୍ରଭାବଶାଳୀ ହେଲେ, ଏହା ପଛରେ ଇତିହାସ କ’ଣ ରହିଛି?

ଆଫଗାନରେ ହାହାକାର ସ୍ଥିତି

ଧୀରେ ଧୀରେ କରି ସମଗ୍ର ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନ। ଆମେରିକା ସେନା ପ୍ରତ୍ୟାହାର କରିବା ପରେ ସେଠାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ତାଲିବାନ ଭୟରେ ରାଷ୍ଟ୍ରପତି ଅସରଫ୍‌ ଘନି ଦେଶ ଛାଡ଼ି ପଲାଇଛନ୍ତି। ଫଳରେ ରାଜଧାନୀ କାବୁଲକୁ ବିନା ବିରୋଧରେ କବ୍‌ଜା କରିବା ସହିତ କ୍ଷମତାକୁ ଫେରିଛନ୍ତି। ତାଲିବାନିଙ୍କ ଭୟରେ ଆଫଗାନବାସୀ ଏବେ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେବାକୁ ବାହାରିଛନ୍ତି। ଏଥିପାଇଁ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଦେଖାଯାଉଛି।

ଆଫଗାନ ସେନା ଓ ତାଲିବାନ ମଧ୍ୟରେ ୫ ମାସ ଲଢ଼େଇ

ଆଫଗାନ ସେନା ଓ ତାଲିବାନ ମଧ୍ୟରେ ଗତ ଏପ୍ରିଲ ମାସରୁ ଲଢ଼େଇ ଚାଲିଥିଲା। ପ୍ରଥମେ ତାଲିବାନିମାନେ ଦେଶର ଛୋଟ ଛୋଟ ସହରକୁ ଟାର୍ଗେଟ କରି ନିଜ ଅକ୍ତିଆରକୁ ଆଣିଲେ। ଏହି ୫ ମାସ ମଧ୍ୟରେ ଆଫଗାନର ୫୦,୦୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୦,୦୦୦ ହଜାରରୁ ଅଧିକ ଯବାନ ମୃତାହତ ହୋଇଛନ୍ତି। ସେହିପରି ୩୦,୦୦୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ସେଠାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

ତାଲିବାନିମାନଙ୍କ ଅତ୍ୟାଚାର ଆଶଙ୍କା କରି ଲୋକେ ଦେଶ ଛାଡି ପଳାଇବାକୁ ଚାହୁଁଛନ୍ତି। ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ ଅଧିକାରକୁ ନେବା ପରେ ବିଶେଷ କରି ମହିଳାମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଜଣାପଡ଼ିଛି । ଦେଶର ନାଗରିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୧୯୯୬ରୁ ୨୦୦୧ ଯାଏଁ ତାଲିବାନ ଆଫଗାନରେ ଯେଉଁ କ୍ରୁର ଶାସନ ଚଳାଇଥିଲେ ତାକୁ ମନେ ପକାଇ ଏବେ ଦେଶବାସୀ ଭୟ ଓ ଆତଙ୍କରେ ଅଛନ୍ତି।

ଆଫଗାନରୁ ସେନା ପ୍ରତ୍ୟାହାର କଲା ଆମେରିକା

ଆଫାଗାନିସ୍ତାନକୁ ସୁରକ୍ଷା ଯୋଗାଇ ଦେବା ପାଇଁ ୨୦୦୧ରୁ ଆମେରିକୀୟ ସେନା ଏଠାରେ ମୁତୟନ ଥିଲେ। ମାତ୍ର ଏବେ ଦେଶରେ ତାଲିବାନଙ୍କ ଆତଙ୍କ ବଢ଼ିଥିବା ବେଳେ ଆମେରିକା ନିଜର ସେନା ପ୍ରତ୍ୟାହାର କରି ନେଉଛି। ଚଳିତ ବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଯିବ। ପେଣ୍ଟାଗନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୯୦ ପ୍ରତିଶତ ସେନା ଆମେରିକା ଫେରିଗଲେଣି।

ଗତ ୨୦ ବର୍ଷ ଧରି ଆମେରିକା ଓ ଅନ୍ୟ ବିଦେଶୀ ସେନାଙ୍କ ଉପସ୍ଥିତିରେ ଆଫଗାନବାସୀ ଶାନ୍ତିରେ ଜୀବନ କାଟୁଥିଲେ। ଏବେ ବିଦେଶୀ ସେନା ପ୍ରତ୍ୟାହାର ପ୍ରକ୍ରିୟା ସରିବାକୁ ଆସୁଥିବା ବେଳେ ତାଲିବାନ ସକ୍ରିୟ ହୋଇଉଠୁଛି। ଆଜି ଆଫଗାନରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଆମେରିକା ହିଁ ଦାୟୀ ବୋଲି କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ସମାଲୋଚନା କରାଯାଉଛି।

 କେମିତି ସୃଷ୍ଟି ହୋଇଥିଲା ତାଲିବାନ?

ତାଲିବାନ ଶବ୍ଦ ଆରବୀୟ ଶବ୍ଦ ତାଲିବରୁ ଆସିଛି। ଯାହାର ଅର୍ଥ ହେଉଛି ବିଦ୍ୟାର୍ଥୀ। କିନ୍ତୁ ସମୟକ୍ରମେ ତାଲିବାନ ଏକ କଠୋର, ଚରମପନ୍ଥୀର ଇସଲାମିକ୍‌ ସଙ୍ଗଠନ ଭାବେ ଉଭା ହେଲା। ଏହି ତାଲିବାନଙ୍କ ପୃଷ୍ଠଭୂମି ଆଫଗାନର ଶାସକ ଜାହିର ଶାହାଙ୍କ ଗାଦିଚ୍ୟୁତ ପରେ ହୋଇଥିଲା।

୧୯୭୩ ମସିହାରେ ଆଫଗାନର ରାଜା ଜାହିର ଶାହାଙ୍କ ଗାଦିଚ୍ୟୁତ ପରେ ଆଫଗାନିସ୍ତାନରେ କନ୍ଦଳ, ଗୃହଯୁଦ୍ଧ, ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏହାପରେ ରୁଷିଆ ଆଫଗାନରେ ପ୍ରଭାବ ବିସ୍ତାର କରିଥିଲା। ୧୯୮୩ରେ ରୁଷ ଓ ଆଫଗାନ ଭିତରେ ଯୁଦ୍ଧ ହେଲା। ରୁଷ୍‌ ଆଫଗାନ ଉପରେ ଆକ୍ରମଣ କରି ଦେଶ ଅଧିକାର କରିଥିଲା। ସେଠାରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ସୁଦୃଢ଼ କରିବା ଲାଗି ସୋଭିଏତ ସରକାର କରିଥିଲା। ଏହି ସମୟରେ ଆମେରିକା ଓ ରୁଷରେ ଶୀତଳ ଯୁଦ୍ଧ ଚାଲିଥିଲା। ତେଣୁ ଆଫଗାନରେ ରୁଷର ପ୍ରଭାବ ହ୍ରାସ କରିବା  ଲାଗି ପାକିସ୍ତାନ ସହାୟତାରେ ଆମେରିକା ମୁଜାହିଦ୍ଦୀନ ସୃଷ୍ଟି କଲା।

ଅନ୍ୟପଟେ ରୁଷ୍‌ ସହାୟତାରେ ୧୯୯୧ ବେଳକୁ ଆଫଗାନର ପୂର୍ବ ରାଜା ଜାହିର ଶାହ ଦେଶର ବିକାଶ କରିବାକୁ ଚେଷ୍ଟା କରିଥିଲେ ହେଁ ମୁଜାହିଦ୍ଦୀନର ବିରୋଧ ଯୋଗୁଁ ସଫଳ ହୋଇପାରିନଥିଲେ। ଧୀରେ ଧୀରେ ଆଫଗାନରେ ମୁଜାହିଦ୍ଦୀନର ପ୍ରଭାବ ବଢ଼ିଲା। ୧୯୯୬ ବେଳକୁ ପାକିସ୍ତାନ ଓ ଆମେରିକା ସହାୟତାରେ ମୁଜାହିଦ୍ଦୀନ ଶାସନ କ୍ଷମତା ଅକ୍ତିଆର କରିଥିଲା। ଏହି ଗୋଷ୍ଠୀର ନେତା ଥିଲେ ବରହାନୁଦ୍ଦିନ ରବାନୀ ଓ ଗୁଲବୁଦ୍ଦିନ ହିକମତ୍ୟାର। ସେମାନେ ହିଁ ତାଲିବାନର କର୍ଣ୍ଣଧାର ଥିଲେ।

ସେହିପରି ଆମେରିକାରେ ରୁଷର ପ୍ରଭାବ ହ୍ରାସ ଲାଗି ଆମେରିକା ସାଉଦି ଆରବର କୁଖ୍ୟାତ ଆତଙ୍କବାଦୀ ତଥା ଅଲକାଏଦା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଓସାମା ବିନ ଲାଡେନର ସହାୟତା ନେଇଥିଲା। ଓସାମା ବିନ ଲାଡେନଙ୍କୁ ଶକ୍ତିଶାଳୀ କରିବା ପାଇଁ ଆମେରିକା ଅସ୍ତ୍ରଶସ୍ତ୍ର, ଆର୍ଥିକ ସହାୟତା ଯୋଗାଇ ଦେଉଥିଲା। ଫଳରେ ଲାଡେନର ଛତ୍ରଛାୟ ତଳେ ତାଲିବାନ ଆହୁରି ପ୍ରଭାବଶାଳୀ ହୋଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଲାଡେନ୍‌ ମନମୁଖୀ କାର୍ଯ୍ୟ ଆରମ୍ଭ କରିଥିଲା। ଆମେରିକା ଲାଡେନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା। ତା’ ପରେ ଆତଙ୍କୀ ସଙ୍ଗଠନ ଓ ଆମେରିକା ମଧ୍ୟରେ ଲଢ଼େଇ ହେଲା। ଏହାର ପରିଣାମ ସ୍ୱରୂପ ୨୦୦୧, ସେପ୍ଟେମ୍ବର ୧୧ରେ ଓସାମା ବିନ ଲାଡେନ ଆମେରିକାର ଓ୍ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆମେରିକା ଲାଡେନ୍‌କୁ ଖୋଜି ବୁଲିଥିଲା। ଏମିତିକି ଆମେରିକାର ତତକାଳୀନ ରାଷ୍ଟ୍ରପତି ଜର୍ଜ ବୁଶ୍‌ ଆଫଗାନିସ୍ତାନ ଉପରେ ଆକ୍ରମଣ ଘୋଷଣା କରିଥିଲେ।

୨୦୧୧ ମସିହା ମେ’ ମାସ ୨ ତାରିଖରେ ଆମେରିକାର ସ୍ପେଶାଲ କମାଣ୍ଡୋ ଫୋର୍ସମାନେ ପାକିସ୍ତାନର ଇସଲାମାବାଦସ୍ଥିତ ଏବଟାବାଦରେ ଲାଡେନକୁ ଠାବ କରିବା ସହ ହତ୍ୟା କରିଥିଲେ।

ତେବେ ଆଜିର ଆଫଗାନ ସମସ୍ୟା ପାଇଁ ଆମେରିକା ଓ ପାକିସ୍ତାନ ସବୁଠୁ ଅଧିକ ଦାୟୀ ବୋଲି କୁହାଯାଉଛି। କାରଣ ଏହି ଦୁଇ ଦେଶର ସଂକୀର୍ଣ୍ଣ ମନୋଭାବ ଯୋଗୁଁ ଆଫଗାନିସ୍ତାନ ସଙ୍କଟ ସମ୍ମୁଖୀନ ହୋଇଛି।

ତାଲିବାନର କଠୋର ନୀତି

ତାଲିବାନ ଦୀର୍ଘ ବର୍ଷ ହେଲା କଠୋର ନୀତି ଆପଣେଇ ଆଗକୁ ବଢ଼ି ଚାଲିଛି। ଝିଅମାନେ ପାଠ ପଢ଼ିପାରିବେନି, ମହିଳାମାନେ ବାହାରେ କାମ କରିବେନି, ସର୍ବଦା ବୁର୍ଖା ତଳେ ରହିବେ, ପୁଅମାନଙ୍କ ଲାଗି ନମାଜ ପଢ଼ିବା, ଲମ୍ବା ଦାଢ଼ି ରଖିବା ବାଧ୍ୟତାମୂଳକ। ଏଭଳି କିଛି କଠୋର ନିୟମ ରଖି ତାଲିବାନ ଆଫଗାନରେ ୧୯୯୬ରୁ ୨୦୦୧ ଯାଏଁ ଆଫଗାନରେ ଆତଙ୍କ ଖେଳାଇଥିଲା। ଯିଏ ବି ଏ ନିୟମ ଉଲ୍ଲଙ୍ଘନ କରୁଥିଲେ ସେମାନଙ୍କୁ ଦଣ୍ଡିତ କରାଯାଉଥିଲା। ଏବେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ହେଉଛି।

Comment