ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ପାଇଁ ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ରହିବାପରେ ସୋମବାର ଦିନ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢ଼ା ନିମନ୍ତେ ସ୍କୁଲ ଖୋଲିଥିଲା। ଅନେକ ଅଞ୍ଚଳର ପିଲାମାନେ ଶୃଙ୍ଖଳାର ସହ କରୋନା କଟକଣା ଭିତରେ ସ୍କୁଲ ଯାଇ ପାଠ ପଢ଼ିଥିବାବେଳେ ନୟାଗଡ଼ ଜିଲ୍ଲାରୁ ଆସିଛି ଅଲଗା ଚିତ୍ର।

ନୟାଗଡ଼ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ପାଠ ପଢ଼ିବା ପରିବର୍ତ୍ତେ ଧାରଣାରେ ବସିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଲମ୍ବନ ଏବଂ ବଦଳି ପ୍ରତ୍ୟାହାର ଦାବିରେ ସୋମବାର ଦିନ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣାସ୍ଥଳରେ ଛାତ୍ରଛାତ୍ରୀମାନଙ୍କ ସହିତ କିଛି ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ।

ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ କହିଥିଲେ, ବିଭିନ୍ନ କାରଣରୁ ବିଦ୍ୟାଳୟ ପରିଚାଳନାରେ ବିଶୃଙ୍ଖଳା ଦେଖାଯାଉଛି। ଯାହା ବିଦ୍ୟାଳୟରେ ପାଠପଢ଼ା ପରିବେଶକୁ ନଷ୍ଟ କରୁଛି। କିଛି ଦିନ ତଳେ ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଆଉ ୩ଜଣ ଶିକ୍ଷକଙ୍କୁ ମଧ୍ୟ ଏକା ସମୟରେ ବଦଳି କରାଯାଇଛି। ଏଭଳି ହେବା ଦ୍ଵାରା ପାଠ ପଢ଼ାରେ ବାଧା ଉପୁଜିବ।

ତେଣୁ ଏହି ସମସ୍ୟାର ଶୀଘ୍ର ସମାଧାନ କରାଯାଉ ଦାବି କରି ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଧାରଣାକୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାଁନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ।

LEAVE A REPLY

Please enter your comment!
Please enter your name here