ଓଡ଼ିଶାଲାଇଭ୍ ବ୍ୟୁରୋ
- ଗୁରୁତର ରୋଗୀଙ୍କ ପାଇଁ ଏକ୍ମୋ ଚିକିତ୍ସା
- କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଏକ୍ମୋର ବ୍ୟବହାର
- ଭୁବନେଶ୍ଵର ଏମ୍ସରେ ଏକ୍ମୋ ଚିକିତ୍ସା
- ଗରିବ ଓ ରାସନକାର୍ଡ଼ଧାରୀଙ୍କ ପାଇଁ ମାଗଣା
ଏଣିକି ଭୁବନେଶ୍ଵର ଏମ୍ସରେ ବିନା ମୂଲ୍ୟରେ ହେବ ଏକ୍ମୋ ଚିକିତ୍ସା। କେବଳ ରାସନ କାର୍ଡଧାରୀ ଏବଂ ବିପିଏଲ କାର୍ଡଧାରୀ ଏହାର ସୁବିଧା ପାଇପାରିବେ। ଜୁଲାଇ ୧୫ରୁ ଏହି ମେସିନ ଏମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ କରାଯାଇଛି। ଏନେଇ ଶନିବାର ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।
କରୋନା କାଳରେ ଏକ୍ମୋ ଚିକିତ୍ସାର ଆବଶ୍ୟକତା ଅଧିକ ବଢ଼ିଯାଇଥିଲା। ମୁଖ୍ୟତଃ କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ସଂକ୍ରମଣ ସମୟରେ ରାଜ୍ୟର ଅନେକ ରୋଗୀଙ୍କୁ ଏହି ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ଏଥିପାଇଁ ସେମାନଙ୍କୁ କୋଲକାତା ଏବଂ ଚେନ୍ନାଇ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ଵର ବିମାନ ବନ୍ଦରରୁ ବାହାର ରାଜ୍ୟକୁ ପଠାଯାଇଥିଲା।
କିନ୍ତୁ ଏହି ଚିକିତ୍ସା ପାଇଁ ସର୍ବଦା ବାହାର ରାଜ୍ୟକୁ ଯିବା ସବୁ ବର୍ଗର ଲୋକମାନଙ୍କ ପାଇଁ ସମ୍ଭବ ହୋଇନଥିବାରୁ ଓଡ଼ିଶାର ଏମ୍ସ ହସ୍ପିଟାଲରେ ପ୍ରଥମେ ଏହି ମେସିନ ସ୍ଥାପନ କରାଯାଇଥିଲା।ଏକ୍ମୋ କ’ଣ?
ଏହା ହେଉଛି ଏକ ମେସିନ୍। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ମେସିନ୍ର ଆବଶ୍ୟକ ପଡ଼ିଥାଏ। ଏଥିସହ ଗୁରୁତର କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଏହି ମେସିନର ବ୍ୟବହାର କରାଯାଏ। ଏହି ମେସିନ୍କୁ କୃତ୍ରିମ ଫୁସ୍ଫୁସ୍ ମଧ୍ୟ କୁହାଯାଇଥାଏ। ପୂର୍ବରୁ ଏହାକୁ ମଣିଷ ଶରୀରରେ ଫୁସ୍ଫୁସ୍ ପ୍ରତିରୋପଣ ପାଇଁ ବ୍ୟବହାର କରାଯାଉଥିଲା।
ଶରୀରର ସମସ୍ତ ଅଙ୍ଗ କିଡ୍ନୀ, ହାର୍ଟ, ବ୍ରେନ, ଲିଭର ଆଦି କାର୍ଯ୍ୟ କରିବା ପାଇଁ ଅମ୍ଳଜାନ ଦରକାର ପଡିଥାଏ। ଆଉ ଫୁସ୍ଫୁସ୍ ସମସ୍ତ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ। ଯଦି କୌଣସି କାରଣରୁ ଫୁସ୍ଫୁସ୍ ଅକାମୀ ହୋଇଯାଏ, ତେବେ ସେହି କ୍ଷେତ୍ରରେ ଏକ୍ମୋ ମେସିନ୍ର ଆବଶ୍ୟକତା ପଡ଼ିଥାଏ। ଯାହାଦ୍ୱାରା ରୋଗୀର ଶରୀରରୁ ରକ୍ତ ବାହାରକୁ କଢ଼ାଯାଇ, ତାହା ପରିଷ୍କାର କରାଯିବା ପରେ ପୁଣିଥରେ ଅମ୍ଳଜାନ ସହିତ ଶରୀର ଭିତରକୁ ଛଡା ଯାଇଥାଏ।
କେଉଁ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଏ?
ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ, ଯେଉଁମାନଙ୍କର ଫୁସ୍ଫୁସ୍ ପ୍ରତ୍ୟାରୋପଣ ହୁଏ ସେମାନଙ୍କଠାରେ ଏହି ମେସନର ଆବଶ୍ୟକ ପଡ଼ିଥାଏ। କିଛି ଗୁରୁତର କରୋନା ରୋଗୀଙ୍କଠାରେ ଅକ୍ସିଜେନର ଅଭାବ ଓ ଅସାଧାରଣ ନିମୋନିଆ କାରଣରୁ ସେମାନଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ମଧ୍ୟ କାମ କରିନଥାଏ। ତେଣୁ ସେହି କ୍ଷେତ୍ରରେ ଏକ୍ମୋ ଯନ୍ତ୍ର ନିହାତି ଆବଶ୍ୟକ ପଡ଼ିଥାଏ। ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଗୁରୁତର ରୋଗୀମାନେ ଏହି ଚିକିତ୍ସା ଦରକାର କରିଥାନ୍ତି। ତେବେ ଡାକ୍ତର ମହାନ୍ତି ଆଉ ମଧ୍ୟ କହିଥିଲେ, ଏହା ସମ୍ପୂର୍ଣ୍ଣ ସୁସ୍ଥ ହେବାର କୌଣସି ଗ୍ୟାରେଣ୍ଟି ଦେଇନଥାଏ।ଏକ୍ମୋ ମେସିନ୍ର ଦାମ୍
ଗୋଟିଏ ଏକ୍ମୋ ମେସିନର ଦାମ ପ୍ରାୟ ୩୫ଲକ୍ଷ ଟଙ୍କା। ଏକ୍ମୋ କିଟ୍ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀକୁ ଯଦି ହିସାବକୁ ନିଆଯାଏ ତେବେ ଯନ୍ତ୍ରର ଦାମ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ।
ଏକ୍ମୋ ଚିକିତ୍ସାର ଫାଇଦା
କୋରୋନା ଭାଇରସ୍ ଅନେକ ଲୋକଙ୍କ ଫୁସ୍ଫୁସ୍କୁ ସଂକ୍ରମିତ କରିଥାଏ। ଶରୀରରେ ଅମ୍ଳଜାନ ସ୍ତର କମିଯାଉଥିବା ସହ କୋଭିଡ୍ ପଜିଟିଭ୍ ରୋଗୀଙ୍କର ଫୁସ୍ଫୁସ୍ ଖୁବଶୀଘ୍ର ଅକାମୀ ହେଇଯାଉଥିବା ମଧ୍ୟ ନଜିର ରହିଛି। ତେଣୁ ଏହି ମେସିନର ଆବଶ୍ୟକତା ବଢିଛି।
ଏହି ଚିକିତ୍ସା ପରେ କୌଣସି ଆଭ୍ୟନ୍ତରୀଣ ଅଙ୍ଗ ଅକାମୀ ହୁଏ ନାହିଁ। ଧିରେ ଧିରେ ଫୁସ୍ଫୁସ୍ ମଧ୍ୟ ସଂକ୍ରମଣରୁ ସୁସ୍ଥ ହୋଇଥାଏ। ଏହା କେବଳ ଯେ, କୋଭିଡ ରୋଗୀଙ୍କ ପାଇଁ ବ୍ୟବହାର କରାଯାଇଥାଏ, ତା’ନୁହେଁ ବରଂ ଅନ୍ୟ କୌଣସି ରୋଗୀଙ୍କ ଫୁସ୍ଫୁସ୍ ଅକାମୀ ହେଲେ ଏହି ଏକ୍ମୋ ମେସିନକୁ ବ୍ୟବହାର କରାଯାଇଥାଏ।