ନୀଳାମ୍ବର ରଥ
ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି।
ଜଣେ ମୃତ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରା ଜଣେ ଦୃଷ୍ଟିହୀନ ବ୍ୟକ୍ତିର ଦୁନିଆ ଆଲୋକିତ ହୋଇପାରେ। ସେ ଏଇ ରଙ୍ଗୀନ ଦୁନିଆକୁ ଦେଖିପାରେ। ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି। ତେଣୁ ମୃତ୍ୟୁ ପରେ ଲୋକମାନେ ଚକ୍ଷୁଦାନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ମୃତ ବ୍ୟକ୍ତିର ଆଖିରୁ କର୍ନିଆ ବା ସ୍ୱଚ୍ଛପଟଳକୁ କାଢ଼ି ଜଣେ ଦୃଷ୍ଟିହୀନଙ୍କ ଆଖିରେ ପ୍ରତିରୋପଣ କରାଯାଉଛି। ସେ ଦୁନିଆ ଦେଖିବାର ସୁଯୋଗ ପାଉଛି।
“୨୦୦୪ ମସିହା ଗଣେଶ ପୂଜା। ଆମକୁ ଜଣେ ମହିଳା ଫୋନ କରି ତାଙ୍କ ମାଆଙ୍କ ଚକ୍ଷୁଦାନ ପାଇଁ ଡାକିଲେ। ତାଙ୍କ ମାଆ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଆଖି ବୁଜି ଦେଇଥିଲେ। ତାହା ଥିଲା ‘ଦୃଷ୍ଟିଦାନ’ର ପ୍ରଥମ ଚକ୍ଷୁସଂଗ୍ରହ”, ୨୦୧୮ରେ ଓଡ଼ିଶାଲାଇଭ୍ ସମ୍ପାଦକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଭାରତୀ ଗିରିଧର। ରାଜ୍ୟରେ ଚକ୍ଷୁଦାନ କାର୍ଯ୍ୟକ୍ରମକୁ ଏକ ଗୁରୁତ୍ୱପୂର୍ଣ୍ଣ ରୂପ ଦେଇଥିବା ‘ଦୃଷ୍ଟିଦାନ’ ସଂସ୍ଥାର ଭାରତୀ ଜଣେ ପ୍ରମୁଖ ସଦସ୍ୟା।
ସାରା ପୃଥିବୀରେ ଅନେକ ଲୋକ କର୍ନିଆ ବ୍ଲାଇଣ୍ଡନେସ୍ ବା ସ୍ୱଚ୍ଛପଟ୍ଟଳ ଅନ୍ଧତ୍ୱ ରୋଗର ଶିକାର ହୋଇଥା’ନ୍ତି। କିନ୍ତୁ ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଯଦି ସେମାନଙ୍କର କର୍ନିଆ ଟ୍ରାନ୍ସପ୍ଲାଣ୍ଟ କରାଯାଏ, ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁନିଆର ଆଲୋକ ଦେଖିପାରିବେ। ‘ଦୃଷ୍ଟିଦାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏହି କର୍ନିଆ ସଂଗ୍ରହ କରାଯିବା ଫଳରେ ଏଭଳି ଲକ୍ଷ ଲକ୍ଷ ଲୋକ ଦୃଷ୍ଟିଶକ୍ତି ଫେରିପାଇବା ସମ୍ଭବ ହେଉଛି।
ଓଡ଼ିଶାରେ ‘ଦୃଷ୍ଟିଦାନ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ୨୦୦୭ ମସିହାରେ ଏହି ସଂସ୍ଥା ଭୁବନେଶ୍ୱରରେ ଥିବା ଏଲ୍ ଭି ପ୍ରସାଦ ଚକ୍ଷୁଚିକିତ୍ସା କେନ୍ଦ୍ର ସହ ଯୋଡ଼ି ହେବା ପରେ ଏହି କାର୍ଯ୍ୟ ଅଧିକ ଗତିଶୀଳ ଓ ଲୋକପ୍ରିୟ ହୋଇପାରିଥିଲା। ସେଦିନଠାରୁ ଏଲ୍ ଭି ପ୍ରସାଦ ଆଇ ବ୍ୟାଙ୍କର ଏକ ପ୍ରମୁଖ ଅଙ୍ଗ ପାଲଟିଛି ‘ଦୃଷ୍ଟିଦାନ’।
“ଦୃଷ୍ଟିଦାନ କରୁଥିବା ବ୍ୟକ୍ତିମାନଙ୍କଠାରୁ କେବଳ ଆଖିର ସ୍ୱଚ୍ଛପଟ୍ଟଳ ସଂଗ୍ରହ କରାଯାଏ। ଏହାକୁ ଏକ ଅତ୍ୟାଧୁନିକ ସଂରକ୍ଷଣ ମାଧ୍ୟମ ବା ପ୍ରିଜରଭେଟିଭ ମିଡିଆରେ ଅଣାଯାଇ ନିକଟସ୍ଥ କେନ୍ଦ୍ରରେ ପହଞ୍ଚାଯାଏ। ସେ କର୍ନିଆକୁ ପରୀକ୍ଷାକରି ତାହା ଅନ୍ୟ ରୋଗୀଙ୍କଠାରେ ଯୋଗ୍ୟ ହୋଇଥିଲେ ହିଁ କର୍ନିଆ ଟ୍ରାନ୍ସପ୍ଲାଣ୍ଟ ପାଇଁ ତାହା ବ୍ୟବହାର କରାଯାଇଥାଏ”, କହିଛନ୍ତି ଡାକ୍ତର ସୁଜାତା ଦାସ।
ଡାକ୍ତର ସୁଜାତା ଏଲ୍ ଭି ପ୍ରସାଦ ଆଇ ହସ୍ପିଟାଲ ସହ ଦୀର୍ଘ ଦିନ ଧରି ଯୋଡ଼ି ହୋଇ ଅଛନ୍ତି। ତା’ଛଡ଼ା କର୍ନିଆ ଟ୍ରାନ୍ସପ୍ଲାଣ୍ଟ କରୁଥିବା ଦେଶର ଡାକ୍ତରମାନଙ୍କ ମଧ୍ୟରେ ସେ ଜଣେ ଜଣାଶୁଣା ବିଶେଷଜ୍ଞ।
କର୍ନିଆ ସଂଗ୍ରହ ହୁଏ କିପରି?
ସ୍ୱେଚ୍ଛାକୃତ ଭାବେ ଚକ୍ଷୁଦାନ କରିବା ପାଇଁ ଅନେକ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଘୋଷଣା କରିଥା’ନ୍ତି। ସେହିପରି ଅନେକ କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଚକ୍ଷୁଦାନ ପାଇଁ ଆଗେଇ ଆସୁଥିବା ଏକ ଭଲ ଲକ୍ଷଣ। ତେବେ ଏବେ ବି ଅନେକ ଲୋକ ଭାବନ୍ତି ଯେ ଚକ୍ଷୁଦାନ ଅର୍ଥ ଜଣେ ବ୍ୟକ୍ତିର ଦୁଇଟି ଯାକ ଆଖିକୁ ତାଡ଼ି ନିଆଯାଏ। ଏହା ବାସ୍ତବରେ ସତ ନୁହେଁ। ଆଜିର ତାଲିମ୍ପ୍ରାପ୍ତ ଟେକ୍ନିସିଆନମାନେ ମାତ୍ର ୧୫ରୁ ୨୦ ମିନିଟ୍ ମଧ୍ୟରେ ଜଣେ ମୃତବ୍ୟକ୍ତିର ଆଖିରୁ କେବଳ କର୍ନିଆ ବା ସ୍ୱଚ୍ଛପଟ୍ଟଳ କାଢ଼ି ନେଇଥା’ନ୍ତି। ତେଣୁ ଆଖିରୁ କର୍ନିଆ କାଢ଼ିନେବା ପରେ ଆଖି କିମ୍ବା ଶରୀରର କୌଣସି ଅଂଶ ବିକୃତ ହୋଇନଥାଏ।
ମୃତବ୍ୟକ୍ତିଙ୍କଠାରୁ ସ୍ୱଚ୍ଛପଟ୍ଟଳ ସଂଗ୍ରହ କରିବା ପାଇଁ ଦୃଷ୍ଟିଦାନର ସ୍ୱେଚ୍ଛାସେବୀ ଓ ଟେକ୍ନିସିଆନମାନେ ଭୁବନେଶ୍ୱର, କଟକ, ରାଉରକେଲା ଭଳି ପ୍ରମୁଖ ସହରରେ ପ୍ରସ୍ତୁତ ରହିଛନ୍ତି। ସେହିପରି ପୁରୀ, ବାଲେଶ୍ୱର ଏବଂ ବାରିପଦା ଭଳି ସ୍ଥାନରେ ମଧ୍ୟ ଏହି ସଂସ୍ଥାର ସ୍ୱେଚ୍ଛାସେବୀମାନେ କାମ କରୁଛନ୍ତି। ସେହିପରି କଟକ ବଡ଼ ମେଡିକାଲ, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ରାଉରକେଲାର ଆଇଜିଏଚ୍ ତଥା ରାଜ୍ୟରେ ଥିବା ବଡ଼ ବଡ଼ ଘରୋଇ ଡାକ୍ତରଖାନାରେ ମଧ୍ୟ ଏଥିପାଇଁ ଗ୍ରିଫ୍ କାଉନସେଲର ରହିଛନ୍ତି। ସେମାନେ ମୃତବ୍ୟକ୍ତିଙ୍କ ପରିବାରବର୍ଗକୁ ଏ ସମ୍ପର୍କରେ ପରାମର୍ଶ ଦେଇ ଚକ୍ଷୁଦାନର ଗୁରୁତ୍ୱ ସମ୍ପର୍କରେ ବୁଝାଇଥା’ନ୍ତି।
ସ୍ୱଚ୍ଛପଟ୍ଟଳ ସମସ୍ତଙ୍କୁ ମିଳୁଛି କି?
ଆଜି କର୍ନିଆ ବ୍ଲାଇଣ୍ଡନେସ ରୋଗର ଶିକାର ହୋଇଥିବା ରୋଗୀ ଏବଂ ତାଙ୍କ ପରିବାରବର୍ଗଙ୍କ ମନରେ ପ୍ରଥମ ପ୍ରଶ୍ନ ଉଠେ ଯେ ସ୍ୱଚ୍ଛପଟ୍ଟଳ ମିଳିବ କେଉଁଠି?
“ଆଜିର ଦିନରେ ଯଦି ଜଣେ ରୋଗୀଙ୍କର କର୍ନିଆ ଦରକାର, ତାହା ତୁରନ୍ତ ମିଳିପାରୁଛି। ‘ଦୃଷ୍ଟିଦାନ’ ଭଳି ଅନୁଷ୍ଠାନର ପ୍ରଚେଷ୍ଟା ଏବଂ ଶହ ଶହ ପରିବାର ମୃତ ପ୍ରିୟ ପରିଜନଙ୍କ ଚକ୍ଷୁଦାନ କରିବାକୁ ଆଗେଇ ଆସୁଥିବା ଫଳରେ ଏହା ସମ୍ଭବ ହୋଇପାରୁଛି”, କହିଛନ୍ତି ଡାକ୍ତର ସୁଜାତା ଦାସ।
ଆଜି ଓଡ଼ିଶାରୁ ଯେଉଁ କର୍ନିଆ ସଂଗ୍ରହ କରାଯାଉଛି, ତାହା ମଧ୍ୟ ଆବଶ୍ୟକ ବେଳେ ଭାରତର ଅନ୍ୟ ସ୍ଥାନକୁ ପଠାଯାଉଛି। ତେବେ କର୍ନିଆ ପରିଚାଳନା ବେଳେ ଓଡ଼ିଶାର ରୋଗୀମାନଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଉଛି।
ମୁଖ୍ୟତଃ ଆଇ ବ୍ୟାଙ୍କ ଆସୋସିଏସନ ଅଫ୍ ଇଣ୍ଡିଆ ଏବଂ ସାଇଟ୍ ଲାଇଫ୍ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ଏହି କର୍ନିଆ ବିତରଣ ପରିଚାଳନା କରାଯାଇଥାଏ। ଆଜି ଦେଶରେ କେଉଁ ଆଇ ବ୍ୟାଙ୍କରେ କେତେ ପରିମାଣରେ କର୍ନିଆ ମହଜୁଦ ରହିଛି, ତାହା ମଧ୍ୟ ଜାଣିହେଉଛି। ଚକ୍ଷୁଦାନ ନେଟୱାର୍କ ସହିତ ଯୋଡ଼ି ହୋଇଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ଚକ୍ଷୁ ଚିକିତ୍ସା କେନ୍ଦ୍ର ଓ ଆଇ ବ୍ୟାଙ୍କ ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ କରୁଥିବା ଫଳରେ ଏହା ସମ୍ଭବ ହୋଇପାରୁଛି।
ଗୋଟିଏ ସ୍ୱଚ୍ଛପଟଳର ପାଞ୍ଚଟି ସ୍ତର ରହିଥାଏ। ଆଜି ଭାରତରେ ମିଳୁଥିବା ଚିକିତ୍ସା ସୁବିଧା ଅନୁଯାୟୀ ଜଣେ ବ୍ୟକ୍ତିଙ୍କଠାରୁ ସଂଗୃହୀତ କର୍ନିଆ ଦୁଇଜଣଙ୍କୁ ଦିଆଯାଇପାରୁଛି। ଅର୍ଥାତ୍ ଜଣେ ଦୃଷ୍ଟିଦାନ କଲେ ଦୁଇଜଣଙ୍କୁ ମିଳୁଛି ଆଲୋକ।
ବ୍ୟବହାର ପୂର୍ବରୁ କର୍ନିଆ ପରୀକ୍ଷା
ଜଣେ ବ୍ୟକ୍ତିଙ୍କଠାରୁ ସଂଗୃହୀତ କର୍ନିଆ ସିଧାସଳଖ ଭାବେ ଆଉ ଜଣଙ୍କୁ ଦିଆଯାଇନଥାଏ। ସଂଗୃହୀତ କର୍ନିଆ ସୁରକ୍ଷିତ ଏବଂ ବ୍ୟବହାର ପାଇଁ ଉପଯୋଗୀ କି ନୁହେଁ, ପ୍ରଥମେ ତାହା ପରୀକ୍ଷା କରାଯାଇଥାଏ। ତା’ ସହିତ ମୃତବ୍ୟକ୍ତିଙ୍କଠାରୁ ସଂଗୃହୀତ ରକ୍ତନମୁନାର ମଧ୍ୟ ପରୀକ୍ଷା କରି ତାହା ଏଚ୍ଆଇଭି ଏବଂ ହେପାଟାଇଟିସ୍ ବି ଓ ସି ମୁକ୍ତ କି ନୁହେଁ, ଦେଖାଯାଇଥାଏ।
କେବଳ ସେତିକି ନୁହେଁ, ଜଣେ ବ୍ୟକ୍ତିଙ୍କଠାରୁ କର୍ନିଆ ସଂଗ୍ରହ କରିବା ପୂର୍ବରୁ କେତେକ ବିଷୟ ମଧ୍ୟ ବିଚାର କରାଯାଇଥାଏ। ଅର୍ଥାତ୍ ଯଦି କୌଣସି କାରଣରୁ ମୃତବ୍ୟକ୍ତିଙ୍କ ଆଖିରେ ଆଘାତ ଲାଗିଥାଏ, କିମ୍ବା ସଂପୃକ୍ତ ବ୍ୟକ୍ତି ଯଦି ୨୪ ଘଣ୍ଟାରୁ ଅଧିକ ସମୟ ଭେଣ୍ଟିଲେଟରରେ ରହିଥା’ନ୍ତି, ତେବେ ସେ କ୍ଷେତ୍ରରେ ସାନି ବ୍ୟବହାରଯୋଗ୍ୟ ହୋଇନଥାଏ।
କର୍ନିଆ ବ୍ଲାଇଣ୍ଡନେସର କାରଣ
କର୍ନିଆ ବ୍ଲାଇଣ୍ଡନେସ ବା ସ୍ୱଚ୍ଛପଟ୍ଟଳ ଅନ୍ଧତ୍ୱ କେବଳ ଜନ୍ମଗତ ନୁହେଁ। ଅନେକ ସମୟରେ ଆଖିରେ ଆଘାତ ଲାଗିବା, ଆଖି ଅପରେସନଜନିତ ଜଟିଳତା, ସଂକ୍ରମଣ ଏବଂ ମୋତିଆବିନ୍ଦୁ ଅପରେସନ ପରବର୍ତ୍ତୀ ଜଟିଳତା କାରଣରୁ ସ୍ୱଚ୍ଛପଟ୍ଟଳ ନଷ୍ଟ ହୋଇଯାଇପାରେ। ବିଶେଷକରି ଭାରତରେ ସଚେତନତା ଅଭାବ ବା ଠିକଣା ସମୟରେ ଚିକିତ୍ସା ସହାୟତା ନ ମିଳିବା କାରଣରୁ ଅନେକ କ୍ଷେତ୍ରରେ ଏହି ଅନ୍ଧତ୍ୱ ସୃଷ୍ଟି ହୋଇଥାଏ।
ଆଜି ଦେଶରେ କର୍ନିଆ ପ୍ରୋସେସିଂ ପ୍ରି-କଟ୍ ମେସିନ୍ ଏବଂ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ଯନ୍ତ୍ର ବ୍ୟବହାର ହେବା ଫଳରେ ‘ଦୃଷ୍ଟିଦାନ’ ସୂତ୍ରରୁ ସଂଗ୍ରହ ହେଉଥିବା ସ୍ୱଚ୍ଛପଟ୍ଟଳ ରୋଗୀମାନଙ୍କୁ ସହଜରେ ଦିଆଯାଇପାରୁଛି।
“ଆଗ ଭଳି ଜଣେ ରୋଗୀଙ୍କୁ ସ୍ୱଚ୍ଛପଟ୍ଟଳ ରୋପଣ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁନାହିଁ। ଭୁବନେଶ୍ୱରରେ ଥିବା ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସା ଗବେଷଣା ସମୟରେ ଅପେକ୍ଷା ସମୟ ‘ଶୂନ’ ବୋଲି କହିଲେ ଭୁଲ ହେବ ନାହିଁ”, କହିଛନ୍ତି ଡାକ୍ତର ସୁଜାତା ଦାସ।
ଚକ୍ଷୁଦାନ ପାଇଁ ସାଧାରଣରେ ସଚେତନତା ଆବଶ୍ୟକ। ସୂଚନା ଅନୁଯାୟୀ ଆଜିର ଦିନରେ ମିଳୁଥିବା କର୍ନିଆ ମୁଖ୍ୟତଃ ବିଭିନ୍ନ ସଡ଼କ ଦୁର୍ଘଟଣା ଏବଂ ହୃଦ୍ରୋଗଜନିତ ଆକସ୍ମିକ ମୃତ୍ୟୁ ଘଟଣାରେ ଆଖି ବୁଜିଦେଉଥିବା ଲୋକଙ୍କଠାରୁ ଆସୁଛି। ତେବେ ଆଗାମୀ ଦିନରେ କିଭଳି ଅଧିକ ସଂଖ୍ୟାରେ ଦୃଷ୍ଟିଦାନ କରିବା ପାଇଁ ଲୋକେ ଆଗେଇ ଆସିବେ, ସେଥିପାଇଁ ସରକାରୀ ଏବଂ ସ୍ୱେଚ୍ଛାସେବୀ – ଉଭୟ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।
“ଆମ ମାଆ ଆମକୁ ଅସମୟରେ ଛାଡ଼ି ଚାଲିଗଲା। ହେଲେ ତା’ର ଚକ୍ଷୁଦାନ କରି ଆମେ ତାକୁ ଅନ୍ୟ ମଣିଷ ଭିତରେ ଜୀବନ୍ତ କରି ରଖିବାକୁ ଭାବିଲୁ। ଏହା ବୋଧେ ଆମ ପାଇଁ ଆମ ମାଆର ଆଶୀର୍ବାଦ”, ଓଡ଼ିଶାଲାଇଭ୍କୁ କହିଛନ୍ତି ମାନସ ରଞ୍ଜନ ମିଶ୍ର ଓ ତାପସ ରଞ୍ଜନ ମିଶ୍ର। ମାନସ ଜଣେ ଅଧ୍ୟାପକ। ତାପସ ଆଇଟିବିପିରେ ଇନ୍ସପେକ୍ଟର ଭାବେ ଚାକିରି କରନ୍ତି। ୨୦୧୮ରେ ତାଙ୍କ ମାଆ ଚାଲିଯିବା ପରେ ସେମାନେ ‘ଦୃଷ୍ଟିଦାନ’କୁ ଡାକି ଚକ୍ଷୁଦାନ କରାଇଥିଲେ।
ଚକ୍ଷୁଦାନ କରୁଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ସମ୍ମାନ ପ୍ରଦର୍ଶନ କରିବାକୁ ଆଗେଇ ଆସିଛି ‘ଦୃଷ୍ଟିଦାନ’ ସଂସ୍ଥା। ମୃତ ବ୍ୟକ୍ତିଙ୍କ ଦଶାହ ବା ଏକାଦଶାହ ଅବସରରେ ଦୃଷ୍ଟିଦାନର ପ୍ରମୁଖ ସଦସ୍ୟ ଓ ଟେକ୍ନିସିଆନମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇବା ଏକ ଭଲ ପରମ୍ପରା। ତା’ ସହିତ ଚକ୍ଷୁ ଦାନ କରୁଥିବା ବ୍ୟକ୍ତିଙ୍କୁ ଏବଂ ତାଙ୍କ ପରିବାରକୁ କୃତଜ୍ଞତା ଜଣାଇ ‘ଦୃଷ୍ଟିଦାନ’ ପକ୍ଷରୁ ଏକ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଉଛି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ)