ଓଡ଼ିଶାଲାଇଭ୍‌ ବ୍ୟୁରୋeyebrows-2

ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ କରାଯାଉଛି। ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ।

ଚକ୍ଷୁଦାନ ଦ୍ଵାରା ଜଣେ ବ୍ୟକ୍ତି ମୃତ୍ୟୁ ପରେ ଅନ୍ୟ ଜଣେ ସ୍ୱଚ୍ଛପଟଳ ଅନ୍ଧତ୍ୱର ଶିକାର ହୋଇଥିବା ବ୍ୟକ୍ତିଙ୍କ ଜୀବନରେ ଆଶାର କିରଣ ଭରିପାରିବେ। ଏଥିପାଇଁ ଜୀବନକାଳ ମଧ୍ୟରେ ଯେକୌଣସି ସମୟରେ ସ୍ଵ-ଇଚ୍ଛାରେ ଚକ୍ଷୁଦାନ ପାଇଁ ଜଣେ ସମ୍ମତି ଦେଇପାରିବେ। ଆମ ରାଜ୍ୟ ଓଡ଼ିଶା ଚକ୍ଷୁଦାନ ଓ କର୍ନିଆ ଟ୍ରାନ୍ସପ୍ଲାଣ୍ଟ ବା ସ୍ୱଚ୍ଛପଟଳ ପ୍ରତିରୋପଣ କ୍ଷେତ୍ରରେ ଆଗକୁ ବଢ଼ିଛି। ‘ଦୃଷ୍ଟିଦାନ’ ଅନୁଷ୍ଠାନର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହେଉଛି।

ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ‘ଦୃଷ୍ଟିଦାନ’ ଚକ୍ଷୁ ବ୍ୟାଙ୍କ ମୃତ ବ୍ୟକ୍ତିଙ୍କଠାରୁ କର୍ନିଆ ବା ସ୍ୱଚ୍ଛପଟଳ ଗ୍ରହଣ କରୁଛି। ଏହାସହିତ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟରେ ସ୍ୱଚ୍ଛପଟଳ ଅନ୍ଧତ୍ୱର ଶିକାର ହୋଇଥିବା ବ୍ୟକିଙ୍କଠାରେ କର୍ନିଆ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଉଛି।

ମୃତବ୍ୟକ୍ତିଙ୍କଠାରୁ ସ୍ୱଚ୍ଛପଟ୍ଟଳ ସଂଗ୍ରହ କରିବା ପାଇଁ ‘ଦୃଷ୍ଟିଦାନ’ର ସ୍ୱେଚ୍ଛାସେବୀ ଓ ଟେକ୍ନିସିଆନମାନେ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର, କଟକ ବଡ଼ ମେଡିକାଲ, ଏମ୍‌ସଏଚ୍‌ ବାରିପଦାରେ ପ୍ରସ୍ତୁତ ରହିଛନ୍ତି। ସେହିପରି ପୁରୀ, ବାଲେଶ୍ୱର ଏବଂ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଏହି ସଂସ୍ଥାର ସ୍ୱେଚ୍ଛାସେବୀମାନେ କାମ କରୁଛନ୍ତି। ଏହାଛଡ଼ା ରାଉରକେଲାର ଆରଜିଏଚ୍‌ ଓ ଆଇଜିଏଚ୍‍ ତଥା ରାଜ୍ୟରେ ଥିବା ବଡ଼ ବଡ଼ ଘ‌ରୋ‌ଇ ଡାକ୍ତରଖାନାରେ ମଧ୍ୟ କର୍ମୀମାନେ କରୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ‘ଦୃଷ୍ଟିଦାନ’ ମାଧ୍ୟମରେ ୨୦୦୭ରୁ ୨୦୨୧ ମଧ୍ୟରେ ସାରାରାଜ୍ୟରୁ ୯,୭୯୪ କର୍ନିଆ ସଂଗ୍ରହ କରାଯାଇଛି।

“ଜଣେ ବ୍ୟକ୍ତି ମୃତ୍ୟୁପରେ ଚକ୍ଷୁଦାନ କରି ସେ ଆଉ ଜଣେ ବା ଏକାଧିକ ବ୍ୟକ୍ତିଙ୍କୁ ଦୁନିଆର ଆଲୋକ ଦେଖାଇବାରେ ସାହାଯ୍ୟ କରିପାରନ୍ତି। ତେଣୁ ସମସ୍ତଙ୍କୁ ଅନୁରୋଧ ସେମାନେ ଭୟ ନକରି ଚକ୍ଷୁଦାନ କରିବାକୁ ଆଗେଇ ଆସନ୍ତୁ। ଚକ୍ଷୁଦାନ କରୁଥିବା ବ୍ୟକ୍ତି ଓ ତାଙ୍କ ପରିବାର ଉଭୟ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ। ତେଣୁ ଚକ୍ଷୁଦାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବ୍ୟକ୍ତିଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ସହଯୋଗ କରିବାକୁ ଅନୁରୋଧ। ଏଭଳି ମହତ୍ କାର୍ଯ୍ୟ କରିବା ଦ୍ଵାରା ଜଣେ ଦୃଷ୍ଟିହୀନ ବ୍ୟକ୍ତି ତାଙ୍କର ଦୃଷ୍ଟିଶକ୍ତି ଫେରିପାଇବେ ଏବଂ ଚକ୍ଷୁଦାନ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ଭିତରେ ଜୀବନ୍ତ ହୋଇରହିବେ”, କହିଛନ୍ତି ଡାକ୍ତର ସୁଜାତା ଦାସ।

ଡାକ୍ତର ସୁଜାତା ଭୁବନେଶ୍ୱରର ଏଲ୍‌ ଭି ପ୍ରସାଦ ଆଇ ହସ୍ପିଟାଲ ସହ ଦୀର୍ଘ ଦିନ ଧରି ଯୋଡ଼ି ହୋ‌ଇ ଅଛନ୍ତି। ତା’ଛଡ଼ା କର୍ନିଆ ଟ୍ରାନ୍ସପ୍ଲାଣ୍ଟ କରୁଥିବା ଦେଶର ଡାକ୍ତରମାନଙ୍କ ମଧ୍ୟରେ ସେ ଜଣେ ଜଣାଶୁଣା ବିଶେଷଜ୍ଞ।

ସେହିପରି ‘ଦୃଷ୍ଟିଦାନ’ ଚକ୍ଷୁ ବ୍ୟାଙ୍କର ମ୍ୟାନେଜର ଜ୍ୟୋତି ମହାନ୍ତି କହିଛନ୍ତି,‘‘ରାଜ୍ୟରେ କେତେ ଲୋକଙ୍କୁ କର୍ନିଆର ଆବଶ୍ୟକତା ରହିଛି ତାହା ଜାଣିବା କଷ୍ଟ। ଦୁଃଖର କଥା ଅନେକ ଲୋକ ସ୍ୱଚ୍ଛ ପଟଳ ଅନ୍ଧତ୍ୱର ଶିକାର ହୋଇଥିଲେ ବି ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁନାହାନ୍ତି।  କିନ୍ତୁ ଜାଣିବା ଦରକାର ଆଗ ଭଳି ଜଣେ ରୋଗୀଙ୍କୁ ସ୍ୱଚ୍ଛପଟ୍ଟଳ ରୋପଣ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁନାହିଁ। ଭୁବନେଶ୍ୱରରେ ଥିବା ଏଲ୍‌ ଭି ପ୍ରସାଦ ଚକ୍ଷୁ ଚିକିତ୍ସା ଗବେଷଣା ସମୟରେ ଅପେକ୍ଷା ସମୟ ‘ଶୂନ’ ବୋଲି କହିଲେ ଭୁଲ ହେବ ନାହିଁ’’।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଅନେକ ଲୋକ ସ୍ୱଚ୍ଛପଟଳ ଅନ୍ଧତ୍ୱ ରୋଗର ଶିକାର ହୋଇବି ହସ୍ପିଟାଲକୁ ଆସୁନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି ସଚେତନତାର ଅଭାବ। ତେଣୁ ‘ଦୃଷ୍ଟିଦାନ’ ପକ୍ଷରୁ ଏ ସମ୍ପର୍କରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି।

ଚକ୍ଷୁଦାନ ପାଇଁ ସାଧାରଣରେ ସଚେତନତା ଆବଶ୍ୟକ। ସୂଚନା ଅନୁଯାୟୀ ଆଜିର ଦିନରେ ମିଳୁଥିବା କର୍ନିଆ ମୁଖ୍ୟତଃ ବିଭିନ୍ନ ସଡ଼କ ଦୁର୍ଘଟଣା ଏବଂ ହୃଦ୍‌ରୋଗଜନିତ ଆକସ୍ମିକ ମୃତ୍ୟୁ ଘଟଣାରେ ଆଖି ବୁଜିଦେଉଥିବା ଲୋକଙ୍କଠାରୁ ଆସୁଛି। ତେବେ ଆଗାମୀ ଦିନରେ କିଭଳି ଅଧିକ ସଂଖ୍ୟାରେ ଦୃଷ୍ଟିଦାନ କରିବା ପାଇଁ ଲୋକେ ଆଗେଇ ଆସିବେ, ସେଥିପାଇଁ ସରକାରୀ ଏବଂ ସ୍ୱେଚ୍ଛାସେବୀ ଉଭୟ ସ୍ତରରେ ଉଦ୍ୟମ ଆରମ୍ଭ କରିବାର ଆବଶ୍ୟକତା ରହିଛି।

ଯଦି କେହି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଚକ୍ଷୁଦାନ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ଚକ୍ଷୁ ବ୍ୟାଙ୍କ୍‌ ପକ୍ଷରୁ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ନମ୍ବର ରହିଛି। ନମ୍ବରଟି ହେଲା ୮୨୮୦୦୪୫୮୦୦। ଏହି ନମ୍ବର ମାଧ୍ୟମରେ ଯେକୌଣସି ବ୍ୟକ୍ତି ଚକ୍ଷୁଦାନ ପାଇଁ ଘୋଷଣା କରିପାରିବେ। ଚକ୍ଷୁଦାନ ପାଇଁ ଘୋଷଣା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଚକ୍ଷୁବ୍ୟାଙ୍କ ପକ୍ଷରୁ ଏକ ସାର୍ଟିଫିକେଟ୍‌ ଦିଆଯାଉଛି। ଯାହାଦ୍ୱାରା ସେ ଆଖି ବୁଜିଦେବା ପରେ ତାଙ୍କ ପରିବାର ଲୋକ ଚକ୍ଷୁଦାନ ପାଇଁ ଚକ୍ଷୁ ବ୍ୟାଙ୍କ ସହିତ ଯୋଗାଯୋଗ କରିପାରୁଛନ୍ତି। ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ମାଧ୍ୟମରେ ଯେତିକି କର୍ନିଆ ସଂଗ୍ରହ କରାଯାଉଛି, ତାହା ମଧ୍ୟ ଆବଶ୍ୟକ ବେଳେ ଅନ୍ୟ ହସ୍ପିଟାଲକୁ ପଠାଯାଉଛି।

Comment