ଓଡ଼ିଶାଲାଇଭ୍ ବ୍ୟୁରୋ

(ଅଭିପ୍‌ସା ବରାଳ) : ଦିଆସିଲି କାଠିରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି, ପ୍ରଭୁ ଗଜାନନଙ୍କ ମୂର୍ତ୍ତି, ହକି ଷ୍ଟିକ, ବାଇ ସାଇକେଲ, ଶିବ ଲିଙ୍ଗ ଇତ୍ୟାଦି ଅନେକ କଳାକୃତି କରି ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟିଛନ୍ତି ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ। ଏବେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ୫ ହଜାର ୬୨୧ଟି ଦିଆସିଲି କାଠିକୁ ଯୋଡ଼ି ନିର୍ମାଣ କରିଛନ୍ତି ଭଗବାନ ଗଣେଶଙ୍କ ମୂର୍ତ୍ତି। ସବୁବେଳେ କିଛି ଭିନ୍ନ କରିବାକୁ ଚାହୁଁଥିବା ଏହି ଯୁବକ ଜଣକ ଦିଆସିଲି କାଠିର କାଳକୃତି ପାଇଁ ଏବେ ସବୁଠି ଚର୍ଚ୍ଚାରେ ରହିଛନ୍ତି।

ଶାଶ୍ୱତ ରଞ୍ଜନ ସାହୁଙ୍କ ବୟସ ୧୮ ବର୍ଷ। ସେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି। କରୋନା ମହାମାରୀ କାଳରେ କଲେଜ ବନ୍ଦ କାରଣରୁ ଶାଶ୍ୱତ ଘରେ ରହୁଥିଲେ। ସେହି ସମୟରେ ପାଠ ପଢ଼ିବା, ଘର ଲୋକଙ୍କୁ ସହଯୋଗ କରିବା ବ୍ୟତୀତ ଅନ୍ୟ କୌଣସି କାମ ନଥିବାରୁ ତାଙ୍କ ମନରେ ଦିଆସିଲିକୁ ନେଇ କଳାକୃତି କରିବାର ଚିନ୍ତାଧାରା ଆସିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଦିଆସିଲି ସାହାଯ୍ୟରେ ଅନେକ କଳାକୃତି କରିସାରିଛନ୍ତି। ଏମିତିକି ତାଙ୍କ କଳାକୃତିକୁ ଜାତୀୟ ସ୍ତରରେ ମଧ୍ୟ ବେଶ୍ ପ୍ରଶଂସା କରାଯାଇଛି।“ଛୋଟବେଳୁ ମୋର ଚିତ୍ର କରିବା, କ୍ରାପ୍ଟ କରିବା ପ୍ରତି ଆଗ୍ରହ ରହିଛି। ସ୍କୁଲ ସମୟରେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ମଧ୍ୟ ପାଇଛି। କିନ୍ତୁ କିଛି ବ୍ୟକ୍ତିଗତ ସମସ୍ୟା କାରଣରୁ ଏବସୁ କରିବା ବନ୍ଦ କରି ଦେଇଥିଲି। ଲକଡାଉନ ସମୟରେ ସମୟ ଅତିବାହିତ କରିବା ପାଇଁ ମୁଁ ପୁଣିଥରେ କ୍ରାପ୍ଟ କରିବା ଆରମ୍ଭ କରିଛି”, କହିଛନ୍ତି ଶାଶ୍ୱତ ରଞ୍ଜନ।

ପବିତ୍ର ରଥଯାତ୍ରା ଅବସରରେ ଦିଆସିଲି କାଠିରେ କରିଥିବା ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଇଥିଲା। ସେହି ରଥଟିକୁ ସେ ସମୁଦାୟ ୧୦ହଜାର ୨୨୦ଟି ଦିଆସିଲି କାଠିରେ ନିର୍ମାଣ କରିଥିଲେ। ତାହାର ଉଚ୍ଚତା ୩୨ଇଞ୍ଚ ଓସାର ୧୪ ଇଞ୍ଚ ରହିଥିଲା, ଆଉ ଏହି ରଥଟିକୁ ତିଆରି କରିବା ପାଇଁ ତାଙ୍କୁ ୧୧ ଦିନ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।ସେହିପରି ଟୋକିଓରେ ଅଲିମ୍ପକ୍ସ ଚାଲିଥିବା ସମୟରେ ଭାରତୀୟ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ୯୩୦ଟି ଦିଆସିଲି କାଠିରେ ଅଲିମ୍ପିକ୍ ଲୋଗୋ ତିଆରି କରିଥିଲେ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୫୫୦ଟି ଦିଆସିଲି କାଠିରେ ରାକ୍ଷୀ ପ୍ରସ୍ତୁତ କରିଥିଲେ। ସେହିପରି ବିଶ୍ବ ବାଇ ସାଇକେଲ ଦିବସ ଦିନ ୩୬୫୩ଟି ଦିଆସିଲି କାଠିକୁ ସଂଯୋଗ କରି ୫୦ ଇଞ୍ଚ ଲମ୍ବ ଓ ୨୫ ଇଞ୍ଚ ଚଉଡ଼ାର ଏକ ବାଇ ସାଇକେଲ ତିଆରି କରି ଜନସାଧାରଣଙ୍କୁ ପରିବେଶ ପ୍ରଦୂଷଣ ମୁକ୍ତ କରିବା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ।

ସେହିଭଳି ବିଭିନ୍ନ ପର୍ବ ପର୍ବାଣୀ ଓ ପ୍ରସିଦ୍ଧ ଦିବସଗୁଡ଼ିକରେ ଦିଆସିଲି କଳାକୃତି ମାଧ୍ୟମରେ ଶୁଭେଚ୍ଛା ଓ ସଚେତନତାର ବାର୍ତ୍ତା ବାଣ୍ଟିଥାନ୍ତି ଶାଶ୍ୱତ।“ଥରେ ଦିଆସିଲି କଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କର ନାଗାର୍ଜୁନ ବେଶକୁ ନିର୍ମାଣ କରି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଉପହାର ଦେଇଥିଲି। ସେ ମୋ କଳାକୃତିକୁ ଦେଖି ଖୁବ୍ ପ୍ରଶଂସା କରିବା ସହ ଆଗକୁ ଏହିଭଳି କଳାକୃତି କରିବା ପାଇଁ ଉତ୍ସାହିତ କରିଥିଲେ”, କହିଛନ୍ତି ଶାଶ୍ୱତ।

ତେବେ ପାଠ ପଢ଼ିବା ସହିତ ଆଗକୁ ଏହିଭଳି ଦିଆସିଲି କଳାକୃତି କରି ସମସ୍ତଙ୍କଠାରୁ କିଛି ଭିନ୍ନ କରିବାର ଲକ୍ଷ୍ୟ ରଖିଛନ୍ତି ଶାଶ୍ୱତ ରଞ୍ଜନ ସାହୁ।

Comment