ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ପନ୍ଦର ଦିନ ଧରି ସ୍ଥିର ରହିଛି। ଦେଶର ତିନୋଟି ସରକାରୀ ମାଲିକାନାରେ ଥିବା ତୈଳ କମ୍ପାନି ଯଥା ବିପିସିଏଲ, ଇଣ୍ଡିଆନ ଅଏଲ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ବିଗତ କିଛି ମାସ ଧରି ଦୈନିକ ପେଟ୍ରୋଲ ଓ ଡିଜେଲ ଦରରେ ସଂଶୋଧନ କରୁଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରକୁ ଭିତ୍ତି କରି ତେଲ ଦର ନିର୍ଦ୍ଧାରଣ କରୁଥିଲେ। ଯେତେବେଳେ ବି ତେଲ ଦରରେ ପରିବର୍ତ୍ତନ ହେଉଥିଲା ସକାଳ ୬ଟାରୁ ତାହା ଲାଗୁ ହେଉଥିଲା। କିନ୍ତୁ ଗତ ପନ୍ଦର ଦିନ ଧରି ତେଲ ଦର ସ୍ଥିର ରହିବାପରେ ଏବେ ଏହା ବଢ଼ିବା ଆଶଙ୍କା କରାଯାଉଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ବୃଦ୍ଧି ପାଇବାରେ ଲାଗିଛି। ଅଗଷ୍ଟରେ ବ୍ୟାରେଲ ପିଛା ଦର ଯାହା ଥିଲା ବର୍ତ୍ତମାନ ଦର ତା’ଠାରୁ ୪ରୁ ୫ ଡଲାର ଅଧିକ ରହିଛି। ତୈଳ କମ୍ପାନିଗୁଡ଼ିକ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ବୃଦ୍ଧି କରିନାହାନ୍ତି। ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବର୍ତ୍ତମାନ ସ୍ତରରେ ରହେ ତା’ହେଲେ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢ଼ାଇବେ, ଏହା ଏକ ପ୍ରକାର ନିଶ୍ଚିତ।ତଥ୍ୟ ଅନୁସାରେ ପୂର୍ବରୁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଦର ଏବଂ ଜୁଲାଇ ୧୫ ତାରିଖରେ ଡିଜେଲ ଦର ବୃଦ୍ଧି କରାଯାଇଥିଲା। ଜୁଲାଇ ତୁଳନାରେ ଅଗଷ୍ଟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ହାରାହାରି ୩ ଡଲାରରୁ ଅଧିକ କମିଥିଲା। ତେଣୁ ପେଟ୍ରୋଲ, ଡିଜେଲ ଦର ଶେଷଥର ପାଇଁ ସେପ୍ଟେମ୍ବର ୫ରେ କମିଥିଲା। କିନ୍ତୁ ଅଗଷ୍ଟ ଶେଷ ସପ୍ତାହରୁ ଅଶୋଧିତ ତେଲ ଦର ଲଗାତାର ବଢ଼ିବାରେ ଲାଗିଛି।

ଆମେରିକାରେ ଅଶୋଧିତ ତେଲ ଉତ୍ପାଦନ ବାଧାପ୍ରାପ୍ତ ହେବା ଦ୍ୱାରା ଦର ବଢ଼ିବାରେ ଲାଗିଛି ବୋଲି କୁହାଯାଉଛି। ଓପେକ୍ ବା ତୈଳ ଉତ୍ପାଦନକାରୀ ସଙ୍ଘ ପକ୍ଷରୁ କୁହାଯାଇଛି ଯେ ବିଶ୍ୱରେ ଟିକାକରଣ ବଢ଼ୁଥିବା ସହିତ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆସୁଥିବାରୁ ‌ଏବଂ ତୈଳର ଆବଶ୍ୟକତା ବଢ଼ୁଥିବା କାରଣରୁ ଦୈନିକ ତେଲ ଚାହିଦା ୬ ନିୟୁତ ବ୍ୟାରେଲ ଅଧିକ ରହିବ। ୨୦୨୨ରେ ବିଶ୍ୱର ଦୈନିକ ତେଲ ଚାହିଦା ୧୦୦ନିୟୁତ ବ୍ୟାରେଲରେ ରହିବ ବୋଲି ଓପେକ ଆକଳନ କରିଛି। ଯଦି ତେଲ ଚାହିଦା ଆକଳନ ଅନୁସାରେ ବୃଦ୍ଧି ପାଏ ଏବଂ ଉତ୍ପାଦନରେ ସୁଧାର ନଆସେ ତା’ହେଲେ ଆଗାମୀ ଦିନରେ ଏହାର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ପଡ଼ିବ। ଅନ୍ୟ ଅର୍ଥରେ ଭାରତରେ ଖାଉଟିମାନଙ୍କୁ ତୈଳ ଦର ବୃଦ୍ଧିର ବସ୍ତବତାକୁ ଗ୍ରହଣ କରିବା ପାଇଁ ହେବ।

Comment