ଗୀତା ଦାସ

କୋଭିଡ ମହାମାରୀ ସାରା ବିଶ୍ଵରେ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଛି। କରୋନା କାରଣରୁ ଅଫଲାଇନ ଶିକ୍ଷାଦାନ ବଦଳରେ ଅନଲାଇନ ଶିକ୍ଷାର ଗୁରୁତ୍ଵ ବଢ଼ିଛି। କିନ୍ତୁ କୋଭିଡ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କ ଟେନସନ ଓ ମନର ଅବସ୍ଥା କେଉଁ ଭଳି ରହିବ ସେ ସମ୍ପର୍କରେ କହିଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ଗୀତା ଦାସ।

ସାଧାରଣଙ୍କ ମତରେ କୋଭିଡ କମିବା ପରେ ଓ ରୋଗଟା ଦେହଘସା ହେବା ପରେ ଆମ ମନରୁ ଭୟ ଓ ଦୁଶ୍ଚିନ୍ତା ଆପେ ଆପେ ଚାଲିଯିବ। ସମସ୍ତେ କୋଭିଡ ଆଗରୁ ଯେମିତି ଚଳୁଥିଲେ ସେମିତି ଚଳିବେ। ମାତ୍ର କୋଭିଡ ଆରମ୍ଭ ହେଲା ଦିନରୁ ଅଧିକାଂଶ ଲୋକଙ୍କର ନିଜର ସାମର୍ଥ୍ୟ ଉପରେ ଭରସା ବହୁତ କମିଯାଇଛି।

ପରିବାରରେ ମୃତ୍ୟୁ, ଆର୍ଥିକ କ୍ଷତି, ଚାଷବାସ, ବ୍ୟବସାୟ, ଚାକିରି ସବୁକ୍ଷେତ୍ରରେ ବାଧା ବିପତ୍ତି ଘଟିଛି। ସବୁଠାରୁ ବଡ଼ ଦୁଃଖ ହେଲା – ସୁଚିକିତ୍ସାର ଅଭାବ ଏବଂ ଚିକିତ୍ସାରେ ଅକଳନ୍ତି ଖର୍ଚ୍ଚ ପରେ କିଏ ଚାଲିଗଲା ଓ କିଏ ବଞ୍ଚିଲା। ଯିଏ ବଞ୍ଚିଲା ସେ ଧାରକରଜରେ ବୁଡ଼ି ସର୍ବସ୍ୱାନ୍ତ ହେଲା।

ଏଇ ପ୍ରତିଟି ଘଟଣାର ପ୍ରଭାବ ପିଲାଙ୍କ ମନକୁ ଭୟ, ଆଶଙ୍କା ଓ ଅନିଶ୍ଚିତ ଭବିଷ୍ୟତର ଭାବନାରେ ଦୋହଲାଇ ଦେଉଛି। କେବଳ ଆମ ଦେଶ ନୁହେଁ, ପୃଥିବୀର ଉନ୍ନତ ଦେଶଗୁଡ଼ିକରେ ମଧ୍ୟ ପିଲାର ମନର ଅବସ୍ଥା ଭଲ ନଥିବାରୁ ଏନଗଜାଇଟି, ଡିପ୍ରେସନ୍ ଓ ଆତ୍ମହତ୍ୟାର ଘଟଣା ବଢ଼ିଛି। ବୟସ୍କ କିଶୋର କିଶୋରୀଙ୍କ ଭିତରେ ମଦ ଓ ନିଶା ବଟିକା ବ୍ୟବହାର ମଧ୍ୟ ବଢ଼ିଛି।

ପିଲାମାନଙ୍କ ମନର ପାଞ୍ଚୋଟି ସାଧାରଣ ସମସ୍ୟା ବା ଭୟ

ପ୍ରଥମ ଭୟ

  • ମାଆ ଓ ବାପାକୁ କୋଭିଡ ହେଲେ କ’ଣ ହେବ?
  • ସେମାନେ କ’ଣ ଡାକ୍ତରଖାନାରୁ ଭଲ ହୋଇ ଫେରିବେ?
  • ଆମେ କ’ଣ ତାଙ୍କୁ ଆଉ ଘରକୁ ନ ଫେରିଲା ଯାଏଁ ଦେଖିପାରିବୁ ନାହିଁ?
  • ମାଆ ମରିଗଲେ ମୁଁ କାହାପାଖେ ଶୋଇବି, କିଏ ମୋ କଥା ବୁଝିବ ମୁଁ କେଉଁଠି ରହିବି?
  • ବାପା ମରିଗଲା ପରେ ମୋ ସାଙ୍ଗ କେତେ କଷ୍ଟରେ ଅଛି, ମୋର କ’ଣ ସେହି ଅବସ୍ଥା ହେବ?

ଦ୍ୱିତୀୟ ଭୟ – ପାଠରେ ପଛେଇ ଯିବା

ଅଳ୍ପ ପିଲା ‘ଅନଲାଇନ୍’ ପାଠ ପଢ଼ାରେ ଶିଖୁଛନ୍ତି ଠିକ୍ ଭାବରେ। ମାତ୍ର ଅନ୍ୟମାନେ ସେଲ ଫୋନକୁ ଅନେଇ ଅନେଇ ଆଖି ମଳୁଛନ୍ତି। ଅନ୍ୟମନସ୍କ ହେଉଛନ୍ତି, ଯାହା ବୁଝି ପାରୁନାହାନ୍ତି, ସେ ବିଷୟ ଘରଲୋକ ଠିକରେ ବୁଝେଇ ପାରୁନାହାନ୍ତି। ଗାଁ ଗହଳିରେ କି ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ କନେକ୍ସନ ଭଲ ନୁହେଁ। ସେଠି ପିଲାଙ୍କର ‘ଅନଲାଇନ୍’ ପାଠ ଶିଖିବାରେ ବହୁ ବାଧା ଉପୁଜୁଛି। ତେଣୁ ପରୀକ୍ଷାର ଫଳାଫଳ, ଭବିଷ୍ୟତ ଉଚ୍ଚଶିକ୍ଷାର ସମ୍ଭାବନା ଇତ୍ୟାଦି ଚିନ୍ତାରେ ସେମାନେ ବ୍ୟାକୁଳ ହେଉଛନ୍ତି।

ପୁଣି ମୋର ଯଦି କୋଭିଡ ହେବ ତାହେଲେ ଏତେ ପରିଶ୍ରମ କରି କମ୍ପିଟେଟିଭ୍ ପରୀକ୍ଷା ପାଇଁ ଚେଷ୍ଟା କରୁଛି, ସବୁ ଆଶା ମୋର ବିଫଳ ହେବ। ପିଲାଦିନୁ ସେମାନେ ଶୁଣିଛନ୍ତି ମନ ଦେଇ ପଢ଼ିଲେ ତୁ ପାଠରେ ସମସ୍ତଙ୍କୁ ଟପିଯିବୁ। ବର୍ତ୍ତମାନ ସେମାନେ ଦେଖୁଛନ୍ତି ଦେହର ରୋଗ, ମନର ଟେନସନ ଓ ହଠାତ୍ ଟଙ୍କା ପଇସାର ଅଭାବ ହେଲେ ଥିଲାବାଲା ଘରର ପିଲା ହେଲେ ମଧ୍ୟ ସେମାନେ ପଛେଇ ଯିବେ।

ତୃତୀୟ ଭୟ

ଯିଏ ପାଠରେ ସାଧାରଣ, ଅଥଚ ଷ୍ଟାଟସରେ ନାଆଁ କରିଥିଲା, ଭଲ ଖେଳୁଆଡ଼ ବୋଲି ପ୍ରଶଂସିତ ହେଉଥିଲା, ସେ ଦେଖୁଛି ତା’ର ପ୍ରାକ୍ଟିସ୍ ନ ହେଲାରୁ ସେ ସାମର୍ଥ୍ୟ ହରାଉଛି। ସେହିପରି ଯିଏ ସ୍କୁଲ ଡ୍ରାମାରେ ଅଭିନୟ କରି ବଂଶୀ, ଗୀଟାର କି କିବୋର୍ଡ ବଜେଇ ନାଆଁ କରିଛି କିମ୍ବା ଡିବେଟରେ ଜିତି ମଡେଲ୍ ପାଇଛି, ସେମାନେ ସମସ୍ତେ ନିଜର ଅନ୍ୟାନ୍ୟ ପ୍ରତିଭାର ପରିଚୟ ଦେଇ ପାରୁନାହାନ୍ତି।

ଅଧିକାଂଶ ଛାତ୍ରନେତା ସ୍କୁଲ ବା କଲେଜରେ ବିଭିନ୍ନ ଦିଗରେ ସଙ୍ଗଠନମୂଳକ କାମ କରି ନେତୃତ୍ୱ କରିବାରେ ପାରଙ୍ଗମ ହେଉଥିଲେ। ଅନ୍ୟମାନଙ୍କୁ ସେମାନଙ୍କର ମତର ଓ କାମର ସମର୍ଥକ କରିପାରିଥିଲେ। ବର୍ତ୍ତମାନ ଏକୁଟିଆ ହୋଇ ଅନ୍ୟମାନଙ୍କ ସହିତ ଯୋଗାଯୋଗ ଓ ବନ୍ଧୁତ୍ୱର ବନ୍ଧନ ହରାଇ ସେମାନେ ନିଃସଙ୍ଗତାର ଦୁଃଖ ଅନୁଭବ କରି ମନମାରି ଅଛନ୍ତି।ଚତୁର୍ଥ ସମସ୍ୟା ବା ଅବସ୍ଥା

ଚତୁର୍ଥ ମାନସିକ ଅବସ୍ଥା ହେଲା ମନର ବିରକ୍ତି ଭାବ ଓ ବୈଚିତ୍ର୍ୟହୀନ, ଗତିହୀନ ଜୀବନର ବୋରଡମ୍। କିଶୋରୀ କିଶୋର ବୟସରେ ବର୍ତ୍ତମାନ ସମସ୍ତେ ଘରେ ବାହାରେ ବେଶୀ ସମୟ କଟାନ୍ତି। ସ୍କୁଲ, ଟିଉସନ, ନାଚ ଶିଖିବା, ଗୀତ ଶିଖିବା, ଟେନିସ, ବ୍ୟାଡମିଣ୍ଟନ କିମ୍ବା କ୍ରିକେଟ୍, କବାଡ଼ି ଇତ୍ୟାଦି ଖେଳି ସମୟ କଟାଉଥିଲେ। ବର୍ତ୍ତମାନ ଚବିଶ ଘଣ୍ଟା ଘର ଭିତରେ ବନ୍ଦ ହୋଇ ଓ ବାପା ମାଆଙ୍କ ଆଖି ଆଗରେ ରହିବାରୁ ସବୁବେଳେ ତାଙ୍କ ନିୟମ, ଶାସନ ଅନୁସାରେ ରହିବାରୁ ନିଜର ସ୍ୱାଧୀନପଣରେ ବାଧା ହେଉଛି।

ବାପା ମାଆ ଓ ବଡ଼ମାନେ ମଧ୍ୟ ବଡ଼ ପିଲାଙ୍କୁ ସେମାନଙ୍କର ବୟସର ମାନ୍ୟତା ଦିଅନ୍ତି ନାହିଁ। ସବୁ ବିଷୟରେ ତାଗିଦ କରିବେ ଦାନ୍ତ ଘଷିଲୁଣି, ହାତ ଧୋଇ ଖାଇବୁ, ଏଯାଏଁ ଗାଧୋଇ ନାହୁଁ, ତୁ ସେଲଫୋନରେ ପାଠ ପଢ଼ିବୁ ବୋଲି ଆମେ ସମସ୍ତେ କଥା ବନ୍ଦ କରିଦେବୁ। ଟିଭି ଚଲେଇବୁ ନାହିଁ, ରନ୍ଧାଘରେ ଖୁଡ଼ଖାଡ଼ ଶୁଣାଯିବ ନାହିଁ, ଆପତ୍ତି କଲେ ଚଳିବ ନାହିଁ। ତୁ ଆମ କଥାରେ ଚଳିବୁ ନା ଆମେ ତୋ କଥାରେ। ଘରେ ଏମିତି ଛୋଟିଆ ଘଟଣା ଲାଗି ରହିଥାଏ। ଏହା ଫଳରେ ମନେ ମନେ ବିରକ୍ତ ହେଲେ ମଧ୍ୟ ଅନେକ ଚୁପ୍ ଚାପ୍ ରୁହନ୍ତି ଓ କେତେକ ପାଟିତୁଣ୍ଡ କରନ୍ତି। ମାତ୍ର ଏହିପରି କ୍ରମାଗତ ପ୍ରେସର ବା ଚାପ ଯୋଗୁଁ ସାଧାରଣ ଟ୍ରେସ କ୍ରନିକ୍ ଟ୍ରେସରେ ପରିଣତ ହୁଏ।

ଏଭଳି ଦିନ ପରେ ଦିନ ମନର ଚାପ ବଢ଼ିବାରୁ ମୁଣ୍ଡବ୍ୟଥା, ପେଟବ୍ୟଥା, ହଜମର ଗୋଳମାଳ, ରାତିରେ ନିଦ ନହେବା, ଚିଡ଼ଚିଡ଼ ହେବା ଓ ଅଣ୍ଟାପିଠି ବିନ୍ଧିବା ଆରମ୍ଭ ହୁଏ। ଅଥଚ ମନର ଅବସ୍ଥା ବିଶେଷ ପରିବର୍ତ୍ତନ ଦେଖାଯାଏ ନାହିଁ। ପଚାରିଲେ କହିବେ ଆମର ସବୁ ଠିକ ଠାକ ଚଳୁଛି। ଜାଣିବା କଥା ଯେ କ୍ରନିକ୍ ଷ୍ଟ୍ରେସ୍ ଯୋଗୁଁ ଦେହର ପରିବର୍ତ୍ତନ ବିଷୟରେ ଆମେ ଯେତେ ସଚେତନ, ମନର ଅବସ୍ଥା ବିଷୟରେ ଆମେ ସେତେ ସଚେତନ ନାହୁଁ। ଆମ ନୀତି ହେଲା ସହିଯିବା। ସମସ୍ୟାର ସମାଧାନ ସମ୍ଭବ ନୁହେଁ ଭାବି, ଆମେ ସମାଧାନ ଖୋଜୁ ନା।

ପଞ୍ଚମ ସମସ୍ୟା

ସଙ୍କଟ ସମୟରେ କ’ଣ କରିବା ସେ ବିଷୟ ନେଇ ଆମେ କେବେ ଆଲୋଚନା କରୁ ନାହେଁ କିମ୍ବା କୌଣସି ଉପାୟ ଭାବି ଚିନ୍ତି ସ୍ଥିର କରିବାର ଶିକ୍ଷା ନାହିଁ। ବର୍ତ୍ତମାନ ବାତ୍ୟା, ଧୋଇ, ମରୁଡ଼ି ପରି ବିପର୍ଯ୍ୟୟ ବେଳେ କ’ଣ କରିବା, ସେ ବିଷୟ ପ୍ରତି ଧ୍ୟାନ ଦେଇ ଡିଜାଷ୍ଟାର ପ୍ଲାନିଙ୍ଗରେ ବ୍ୟବସ୍ଥା ହେଇଛି, ମାତ୍ର ମାନସିକ ବିପର୍ଯ୍ୟୟ ପାଇଁ କୌଣସି ସୁଚିନ୍ତିତ ପନ୍ଥା ଏଯାଏଁ ପ୍ରସ୍ତୁତ କରାଯାଇନାହିଁ। କ’ଣ କଲେ ପିଲାର ମାନସିକ ଅବସ୍ଥାର ଉନ୍ନତି ହେବ, ସେ ସୁଖ ଓ ଶାନ୍ତି ଅନୁଭବ କରିବ ସେ ବିଷୟରେ ତତ୍ପର ହେବା ଦରକାର। ଘର ଲୋକ କ’ଣ କରିପାରିବେ, ଶିକ୍ଷକ ଓ ସ୍କୁଲ କାଉନସେଲର୍ କ’ଣ କରିବେ, ସରକାର କ’ଣ କରିପାରିବେ ସେ ବିଷୟରେ ଆଲୋଚନା କରିବା କଥା।

ଅଧିକ ପଢ଼ନ୍ତୁ

କୋଭିଡ ଯୋଗୁଁ ପିଲାଙ୍କର ସମସ୍ୟା : କ’ଣ କରିହେବ?
କୋଭିଡର ପରବର୍ତ୍ତୀ ଅବସ୍ଥା : ଛାତ୍ରଛାତ୍ରୀଙ୍କ ମନରେ ଦମ୍ଭ ଆଣିବା ପାଇଁ ସ୍କୁଲ କାଉନସେଲର କ’ଣ କରିବେ?

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ। ଦୀର୍ଘଦିନରୁ ସେ କାନାଡ଼ାରେ ରହୁଛନ୍ତି। କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ଥିତି ଓ ଏହାର ମୁକାବିଲା ପାଇଁ ବାଟ ବତାଇ ‘ଓଡ଼ିଶାଲାଇଭ୍’ ପାଇଁ ସେ ନିୟମିତ ଲେଖି ଆସୁଛନ୍ତି। – ସମ୍ପାଦକ, ଓଡ଼ିଶାଲାଇଭ୍)

LEAVE A REPLY

Please enter your comment!
Please enter your name here