ଓଡ଼ିଶାଲାଇଭ୍ ବ୍ୟୁରୋ

ସେନାରେ ମହିଳାଙ୍କ ଯୋଗଦାନ ଏକ ବିବାଦୀୟ ବିଷୟ ହୋଇ ଆସିଛି। ଏହି ପ୍ରତିବନ୍ଧକକୁ କିଛି ଦିନ ତଳେ ସୁପ୍ରିମକୋର୍ଟ ହଟାଇବା ସହ ପୁରୁଷମାନଙ୍କ ଭଳି ମହିଳାମାନେ ବି ସେନାରେ ଯୋଗ ଦେଇପାରିବେ ବୋଲି ରାୟ ଦେଇଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ଆସନ୍ତା ବର୍ଷ ଲାଗୁ କରିବା ପାଇଁ ଚାହୁଁଥିଲେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏ ବର୍ଷଠାରୁ ହିଁ ଏହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ମାସରେ ହେବାକୁ ଥିବା ‘ନ୍ୟାସନାଲ ଡିଫେନ୍ସ ଏକାଡେମି’(ଏନ୍‌ଡିଏ) ପ୍ରବେଶ ପରୀକ୍ଷା ଲାଗି ସମସ୍ତ ମହିଳା ପ୍ରାର୍ଥୀଙ୍କୁ ଅନୁମତି ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଓକିଲ କୁଶ କାର୍ଲା ଦାଏର କରିଥିବା ପିଟିସନର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏହି ଆଦେଶ‌ ଦେଇଛନ୍ତି। ଲିଙ୍ଗଗତ ବିଭେଦକୁ ଭିତ୍ତି କରି ଯୋଗ୍ୟ ମହିଳା ପ୍ରାର୍ଥୀଙ୍କୁ ‘ଏନ୍‌ଡିଏ’ରେ ଯୋଗ ଦେବାକୁ ବଞ୍ଚିତ କରାଯାଉଛି ଏବଂ ତାହା ସମାନତା ମୌଳିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଯୁକ୍ତି ଦର୍ଶାଇ ଥିଲେ।

ମହିଳାମାନଙ୍କୁ ଏହି ପରୀକ୍ଷାରେ ବସିବାକୁ ଆସନ୍ତା ବର୍ଷ ମେ’ ମାସରେ ହେବାକୁ ଥିବା ପରୀକ୍ଷାରେ ସୁଯୋଗ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। କିନ୍ତୁ ଚଳିତ ବର୍ଷ ହିଁ ଏହାକୁ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବରରେ ହେବାକୁ ଥିବା ପରୀକ୍ଷା ଦେବା ପାଇଁ ମହିଳାମାନଙ୍କୁ ଅବଶ୍ୟ ଅନୁମତି ମଳିବା ଉଚିତ। ବର୍ଷଟିଏ ଘୁଞ୍ଚାଇ ଦିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ମେ’ ଓ ନଭେମ୍ବର ପରୀକ୍ଷା ପାଇଁ ‘ୟୁପିଏସସି’ ସଂଶୋଧିତ ବିଜ୍ଞପ୍ତି ଜାରି କରିବ ବୋଲି କୋର୍ଟ କହିଛନ୍ତି।

ଉଲ୍ଲେଖ କରାଯାଇପାରେ ଯେ ‘ନ୍ୟାସନାଲ ଡିଫେନ୍ସ ଏକାଡେମି’ ଜରିଆରେ ମହିଳାମାନଙ୍କୁ ସେନା, ନୌସେନା ଓ ବାୟୁସେନାରେ ସାମିଲ କରିବା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲା। ଏଥିରେ କୁହାଯାଇଥିଲା ଯେ, ‘ଏନ୍‌ଡିଏ’ରେ ପ୍ରବେଶ ନିମନ୍ତେ ବର୍ଷକୁ ଦୁଇ ଥର ପ୍ରବେଶିକା ପରୀକ୍ଷା ହୁଏ। ୨୦୨୨ ମେ’ ସୁଦ୍ଧା ମହିଳା ପ୍ରାର୍ଥୀମାନଙ୍କୁ ସାମିଲ କରିବା ପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା କରୁଛନ୍ତି।

Comment