ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବରିଷ୍ଠ ନାଗରିକଙ୍କୁ କେନ୍ଦ୍ର ସରକାର ଏକ ଖୁସି ଖବର ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏବେ ବରିଷ୍ଠ ନାଗରିକଙ୍କୁ ରୋଜଗାର ବା ଚାକିରି ଦେବାକୁ ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ଏଥିପାଇଁ ମୋଦୀ ସରକାର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଖୋଲିବାକୁ ଯାଉଛନ୍ତି। ଏହି ନିଯୁକ୍ତି କାର୍ଯ୍ୟାଳୟ ମାଧ୍ୟମରେ ସରକାର ବୟସ୍କ ଲୋକଙ୍କୁ ରୋଜଗାର କିମ୍ବା ଚାକିରି ଦେବାକୁ ଚେଷ୍ଟା କରିବେ। ଏଥି ସହିତ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ଏକ ହେଲ୍ପଲାଇନ ନମ୍ବର ବି ଜାରି କରିବାକୁ ଯାଉଛନ୍ତି।

ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ମାଧ୍ୟମରେ ବରିଷ୍ଠ ନାଗରିକମାନେ ପଞ୍ଜୀକରଣ କରି ସେମାନଙ୍କ ପାଇଁ ରୋଜଗାର ଖୋଜି ପାରିବେ। ଦେଶରେ ପ୍ରଥମଥର ପାଇଁ ବରିଷ୍ଠ ନାଗରିକଙ୍କ ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ପ୍ରତିଷ୍ଠା ହେବାକୁ ଯାଉଛି। ଏହା ସହ ଏକ ପୋର୍ଟାଲ ବି ଆରମ୍ଭ କରାଯାଉଛି। ଏହି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ମାଧ୍ୟମରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଯେଉଁମାନେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରାଳୟ ଦ୍ୱାରା ଖୋଲାଯାଇଥିବା ‘ସିନିଅର ଏବଲ ସିଟିଜେନ ଫର ରି ଏମ୍ପ୍ଲୟମେଣ୍ଟ ଇନ୍ ଡିଗ୍ନିଟି’ ପୋର୍ଟାଲକୁ ଯାଇ ପଞ୍ଜିକରଣ କରିପାରିବେ।

ଏହି ଇଣ୍ଟରଆକ୍ଟିଭ ପ୍ଲାଟଫର୍ମ ମାଧ୍ୟମରେ ରୋଜଗାର ଦେବା ଓ ନେବା ଲୋକେ ପରସ୍ପର ସହ ଅନଲାଇନରେ ଆଲୋଚନା କରିପାରିବେ। ମନ୍ତ୍ରାଳୟ ତରଫରୁ ସିଆଇଆଇ, ଏଫଆଇସିସିଆଇ ଓ ଅସୋଚାମ ଭଳି ଶିଳ୍ପ ସଂଗଠନକୁ ଚିଠି ଲେଖି ବରିଷ୍ଠ ନାଗରିକଙ୍କୁ ରୋଜଗାର ଦେବାରେ ସହାୟତା କରିବାକୁ କହିଛନ୍ତି।

ଗୋଟିଏ ଦୃଷ୍ଟିରୁ ଏହା ଏକ ସମୟୋଚିତ ପଦକ୍ଷେପ। ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନ୍ତତଃ ୭୦ବର୍ଷ ପର୍ଯ୍ୟନ୍ତ ସେମାନେ କାମ କରିବାକୁ ସକ୍ଷମ। ଏକ ଆକଳନ ଅନୁଯାୟୀ ୨୦୦୧ରେ ଦେଶରେ ପ୍ରାୟ ଆଠ କୋଟି ବରିଷ୍ଠ ନାଗରିକ ଥିବାବେଳେ ୨୦୧୧ ରେ ଏହା ବୃଦ୍ଧି ପାଇ ୧୧ କୋଟିରେ ପହଞ୍ଚିଥିଲା। ୨୦୫୦ ସୁଦ୍ଧା ଦେଶରେ ମୋଟ ଜନସଂଖ୍ୟାର ୨୦ପ୍ରତିଶତ ବରିଷ୍ଠ ନାଗରିକ ଥିବେ ବୋଲି ଆକଳନ କରାଯାଉଛି। ତେଣୁ ସେମାନଙ୍କୁ ରୋଜଗାର ଯୋଗାଇଦେଲେ ଦେଶର ଅର୍ଥନୀତି ଓ ସେମାନଙ୍କର ବାକି ଜୀବନ ସ୍ୱଚ୍ଛନ୍ଦରେ କଟିବ ବୋଲି ଚିନ୍ତା କରିଛନ୍ତି କେନ୍ଦ୍ର ସରକାର।

Comment