ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାରେ ବିଳମ୍ବ କାରଣରୁ ଜଣେ ପ୍ରସୂତି ଏବଂ ତାଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର ଲୋକ। ଏହି ଘଟଣା ଏବେ ନୟାଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।

ନୟାଗଡ଼ ସହର ଉପକଣ୍ଠ ବେବର୍ତ୍ତାପଲ୍ଲୀ ଗାଁର ବାସିନ୍ଦା ହେଉଛନ୍ତି ଅଜିତ ନାୟକ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ନାୟକ। ଅଜିତ ଦିବ୍ୟାଙ୍ଗ ଅଟନ୍ତି। ସେପ୍ଟେମ୍ବର ୩୦ ତାରିଖ ସକାଳ ପ୍ରାୟ ୯ଟା ସମୟରେ ଅଜିତଙ୍କ ପତ୍ନୀ ଲକ୍ଷ୍ମୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ସେ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ କର୍ତ୍ତବ୍ୟରତ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ଡକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା।

ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ମିନିଟ ସମୟରେ ଲକ୍ଷ୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବସତଃ ସେହି ସମୟରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ ବୋଲି କହିଛନ୍ତି ଲକ୍ଷ୍ମୀଙ୍କ ଶ୍ଵଶୁର ପ୍ରହଲ୍ଲାଦ ନାୟକ। ସେ ଆଉ ମଧ୍ୟ କହିଛନ୍ତି ବୋହୂ ଯନ୍ତ୍ରଣାରେ ଛଟପଟ ହୋଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାପରେ ସନ୍ଧ୍ୟା ସମୟରେ ଜଣେ ଡାକ୍ତର ଆସି ଚିକିତ୍ସା ଆରମ୍ଭ କରିଥିଲେ। ସନ୍ଧ୍ୟା ୭ଟା ୭ମିନିଟରେ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇ ତା’ର ଠିକ୍ ଏକ ଘଣ୍ଟା ପରେ ଲକ୍ଷ୍ମୀ ଆଖି ବୁଜିଥିଲେ କହିଛନ୍ତି ପ୍ରହଲ୍ଲାଦ।ଏଭଳି ଅଘଟଣ ପାଇଁ ହସ୍ପିଟାଲର ଡାକ୍ତରଙ୍କୁ ଦାୟୀ କରିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ। ସେମାନେ କହିଛନ୍ତି, ଡାକ୍ତରମାନେ ବିଳମ୍ବରେ ଚିକିତ୍ସା ଆରମ୍ଭ କରିବାକୁ ଉଭୟ ମା’ ଓ ଶିଶୁର ମୃତ୍ୟୁ ହେଲା। ଯଦି ଚିକିତ୍ସା ସଠିକ୍ ଭାବରେ ଏବଂ ଠିକ୍ ସମୟରେ କରାଯାଇଥାନ୍ତା, ତେବେ ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ସେପଟେ ପତ୍ନୀ ଏବଂ ପିଲାକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଅଜିତ ନାୟକ।

ଏହି ଘଟଣାକୁ ଦୁଇ ଦିନ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Comment