ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଲା କୁକୁରଙ୍କ ଆକ୍ରମଣରେ ଏକ ପାଞ୍ଚ ବର୍ଷ ଶିଶୁର ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର କୁସୁମଗୁଡା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି।

ମୃତ ଶିଶୁ ହେଉଛି କୁସୁମଗୁଡା ଗାଁର ସାଧୁ ପରଜାଙ୍କ ସାନ ପୁଅ ପଦ୍ମନ। ସୋମବାର ଦିନ ପଦ୍ମନ ଓ ତା’ର ବଡ଼ଭାଇ ନିକଟରେ ଥିବା କୁର୍ଲୁ ନଦୀକୁ ଗାଧେଇବା ପାଇଁ ଯାଇଥିଲେ। ବଡ଼ ଭାଇ ଗାଧୋଉଥିବାବେଳେ ସାନଭାଇ ପଦ୍ମନ କୂଳରେ ଠିଆ ହୋଇଥିଲା। ଏହି ସମୟରେ ପ୍ରାୟ ୭ଟି ବୁଲା କୁକୁର ସେଠାରେ ପହଞ୍ଚି ପଦ୍ମନକୁ ଆକ୍ରମଣ କରିଥିଲେ। ସେ ଜୋର୍‌ରେ ଚିତ୍କାର କରିଥିଲେ ମଧ୍ୟ ତାଙ୍କ ବଡ଼ଭାଇ ଶ୍ରବଣବାଧିତ ଥିବାରୁ କିଛି ଶୁଣି ପାରିନଥିଲେ।ସେହି ରାସ୍ତା ଦେଇ ଯାଉଥିବା ଜଣେ ବୃଦ୍ଧା ପଦ୍ମନର ଚିତ୍କାର ଶୁଣି ତାକୁ ବଞ୍ଚେଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କିଛି ସମୟପରେ ବଡ଼ଭାଇ ନଦୀରୁ ଆସିଲାବେଳକୁ ସାନଭାଇର ମୃତ୍ୟୁ ହୋଇସାରିଥିଲା। କୁକୁରଙ୍କ ଆକ୍ରମଣରେ ତା’ର ସମଗ୍ର ଶରୀର କ୍ଷତବିକ୍ଷତ ହୋଇଯାଇଥିଲା। ଶେଷରେ ଭାଇର ମୃତ ଶରୀରକୁ ଧରି ବଡ଼ଭାଇ ଘରକୁ ଫେରିଥିଲା।

ଏହି କୁକୁରମାନେ ପଦ୍ମନକୁ ଆକ୍ରମଣ କରିବାର କିଛି ସମୟ ପୂର୍ବରୁ କୁସୁମଗୁଡା ନିକଟସ୍ଥ ଡକ୍ରାଗୁଡା ଗାଁରେ ଦୁଇଟି ଛେଳିକୁ ମାରି ଦେଇଥିଲେ। ସେଠାରୁ ସେମାନଙ୍କୁ ଘଉଡ଼ାଇବାପରେ କୁକୁରମାନେ କୁସୁମଗୁଡା ମୁହାଁ ହୋଇଥିଲେ ଏବଂ ପଦ୍ମନକୁ ନଦୀ କୂଳରେ ଏକୁଟିଆ ପାଇ ଆକ୍ରମଣ କରିଥାଇପାରନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଏବେ ବୁଲା କୁକୁରଙ୍କ ଆତଙ୍କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

Comment