ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କିମ୍ବଦନ୍ତୀ ସଂଗୀତଜ୍ଞ ଏବଂ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କର ପରଲୋକ ହୋଇଛି। ମୁମ୍ବାଇଠାରେ ହୃଦଘାତରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଗତ ଏକ ମାସ ଧରି ସେ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ସନ୍ତୁରକୁ ଦେଶ ବିଦେଶରେ ପରିଚିତ କରିବାରେ ପଣ୍ଡିତ ଶିବ କୁମାର ଶର୍ମାଙ୍କର ବିଶେଷ ଯୋଗଦାନ ରହିଛି।

ବଲିଉଡ ଫିଲ୍ମ ଜଗତରେ ପଣ୍ଡିତ ଶର୍ମାଙ୍କର ବିଶେଷ ଯୋଗଦାନ ରହିଛି। ବଲିଉଡରେ ‘ଶିବ-ହରି’ ନାଁରେ ପରିଚିତ ଶିବ କୁମାର ଶର୍ମା ଏବଂ ହରି ପ୍ରସାଦ ଚୌରାସିଆଙ୍କ ଯୋଡ଼ି ଅନେକ ସୁପରହିଟ ସଂଗୀତ ଦେଇଛନ୍ତି। ଏହି ଯୋଡ଼ି ବଲିଉଡ ଫିଲ୍ମ ‘ଚାନ୍ଦନୀ’ର ‘ମେରେ ହାଥୋ ମେ ନୋ ନୋ ଚୁଡିଆ…’ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। କେବଳ ‘ଚାନ୍ଦିନୀ’ ନୁହେଁ ବଲିଉଡ ଫିଲ୍ମ ‘ସିଲସିଲା ଏବଂ ‘ଡର’ ଭଳି ହିଟ୍ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ‘ଶିବ-ହରି’ଙ୍କ ଯୋଡ଼ି।

ଆସନ୍ତା ମେ’ ୧୫ ତାରିଖରେ ପଣ୍ଡିତ ଶିବ କୁମାର ଶର୍ମାଙ୍କର ଏକ ସଂଗୀତ କାର୍ଯ୍ୟକ୍ରମ ଥିଲା। ଶିବ-ହରି ଯୋଡ଼ିଙ୍କ ଯାଦୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଦର୍ଶକ। କିନ୍ତୁ ଦର୍ଶକଙ୍କର ଏହି ଆଶା ସନ୍ତୁର ବାଦକ ପଣ୍ଡିତ ଶିବ କୁମାରଙ୍କ ବିୟୋଗ ଖବର ପରେ ମଉଳି ଯାଇଛି।

୧୯୫୬ ମସିହାରେ ହିନ୍ଦୀ ସଂଗୀତ ‘ଝନକ ଝନକ ପାୟଲ ବାଜେ’ରେ ପଣ୍ଡିତ ଶିବ କୁମାର ବ୍ୟାଗଗ୍ରାଉଣ୍ଡ ମ୍ୟୁଜିକ ଦେଇଥିଲେ। ସଂଗୀତ କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ପଣ୍ଡିତ ଶିବ କୁମାର ଶର୍ମାଙ୍କୁ ୧୯୯୧ ମସିହାରେ ପଦ୍ମଶ୍ରୀ ସମ୍ମାନ ଏବଂ ୨୦୦୧ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ତାଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ, ବହୁ ବରିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ନିଧନ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି।

ପଣ୍ଡିତ ଶବ କୁମାର ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପଣ୍ଡିତ ଶିବ କୁମାର ଶର୍ମାଙ୍କ ନିଧନ ଭାରତର ସାଂସ୍କୃତିକ ଜଗତ ଉପରେ ବିଶେଷ ପ୍ରଭାବ ପକାଇବ। ସେ ସନ୍ତୁରକୁ ବିଶ୍ଵ ସ୍ତରରେ ଲୋକପ୍ରିୟ କରିଥିଲେ। ତାଙ୍କ ସଂଗୀତ ଆଗାମୀ ପିଢ଼ିକୁ ମନ୍ତ୍ରମୁଗ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Tags: #SantoorPlayer #PanditShivKumarSharma #Death

Comment