ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଉରକେଲା ଏନ୍‌ଆଇଟି କ୍ୟାମ୍ପସରେ ଆସିଷ୍ଟାଣ୍ଟ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ
  • ୪ ପୃଷ୍ଠାର ଏକ ସୁଇସାଇଡ ନୋଟ୍‌ ଜବତ
  • ଦୁଇ ଦିନ ଧରି ବନ୍ଦ ଥିଲା କ୍ୱାଟର୍ସ
  • କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କଲା ପୋଲିସ
  • ଉଭୟ ୯ ବର୍ଷ ତଳେ ବିବାହ କରିଥିଲେ

ରାଉରକେଲା: ଏନ୍‌ଆଇଟି କ୍ୟାମ୍ପସରେ ଆଜି ଘଟିଛି ଦୁଇଟି ଆତ୍ମହତ୍ୟା। ଏନ୍ଆଇଟି କ୍ୟାମ୍ପସର କ୍ୱାଟର୍ସ ଘରୁ ଆସିଷ୍ଟାଣ୍ଟ ପ୍ରଫେସର ଆର ଜୟବାଲାନ ଓ ତାଙ୍କ ପତ୍ନୀ ମାଲିନୀ କେଶବନଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ପୋଲିସ ୪ ପୃଷ୍ଠା ବିଶିଷ୍ଟ ଏକ ସୁଇସାଇଡ ନୋଟ୍‌ ଉଦ୍ଧାର କରିଛି। ତେବେ ବର୍ତ୍ତମାନ ସେହି ସୁଇସାଇଡ ନୋଟ୍‌କୁ ନେଇ ବଢ଼ିଛି ସସ୍‌ପେନ୍ସ। ସୁଇସାଇଡ ନୋଟ୍‌ରେ କ’ଣ ରହିଛି ଲେଖା, ଆସନ୍ତୁ ଜାଣିବା।

ସୁଇସାଇଡ ନୋଟ୍‌ରେ ମୃତକ ଦମ୍ପତ୍ତି ମୃତ୍ୟୁ ପାଇଁ କାହାକୁ ଦାୟୀ କରିନଥିବା ଳେଖିଛନ୍ତି। ଆତ୍ମହତ୍ୟା କରିଥିବାରୁ ବାପା ମା’ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ମୃତ୍ୟୁ ପରେ ନିଜ ନାମରେ  ଥିବା ସମସ୍ତ ସମ୍ପତ୍ତିକୁ କିପରି ଭାଗ ବଣ୍ଟନ  କରାଯିବ ସେନେଇ ସୁଇସାଇଡ ନୋଟ୍‌ରେ ସମସ୍ତ ବିଷୟ ଉଲ୍ଲେଖ କରିଛନ୍ତି। ଏନେଇ ରାଉରକେଲା ଏସ୍‌ପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି।

ସେହିପରି ବିବାହର ୯ ବର୍ଷ ପରେ ମୃତ ଦମ୍ପତ୍ତିଙ୍କ କୌଣସି ପିଲା ଛୁଆ ନଥିବା ଏବଂ ତାଙ୍କର ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।

ଗତ ଦୁଇ ଦିନ ଧରି ଆସିଷ୍ଟାଣ୍ଟ ପ୍ରଫେସର ଆର ଜୟବାଲନଙ୍କ କ୍ୱାଟର୍ସ ବନ୍ଦ ଥିଲା। ଗତ ୧୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଫେସର ଓ ତାଙ୍କ ପତ୍ନୀଙ୍କୁ ପାଖ ପଡ଼ୋଶୀ ଓ ଛାତ୍ରଛାତ୍ରୀ ଦେଖିଥିଲେ। ହେଲେ ୧୫ ତାରିଖରୁ ତାଙ୍କ ବାସଭବନର କବାଟ ଭିତର ପଟୁ ବନ୍ଦ ରହିଥିବାରୁ ତାଙ୍କ ସହିତ କେହି ଯୋଗଯୋଗ କରି ପାରିନଥିଲେ।

ସେହିପରି ମୃତ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୋବାଇଲ ଫୋନ ବନ୍ଦ ରହିଥିବାରୁ ସେ କୁଆଡେ ଗଲେ ସେନେଇ କେହି ସୁରାକ ପାଇ ପାରିନଥିଲେ। କିନ୍ତୁ ଦୁଇଦିନ ଧରି ଘରର କବାଟ ବନ୍ଦ ରହିବାରୁ ପାଖ ପଡ଼ୋଶୀ ସନ୍ଦେହ କରି ଶୁକ୍ରବାର ରାତିରେ ଝରକା ବାଟେ ଦେଖିବାକୁ ଚେଷ୍ଟା କରିଥିଲେ। ଏହାପରେ ବନ୍ଦ ଘରେ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବା ଜଣା ପଡିଥିଲା।

ଖବର ପାଇ ରାଉାକେଲା ସେକ୍ଟର-୩ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍‌ କ୍ୱାଟର୍ସର ବାଥରୁମରେ ପ୍ରଫେସର ଆର ଜୟବାଲାନଙ୍କ ଏବଂ ବେଡରୁମ୍‌ ଖଟ ଉପରୁ ତାଙ୍କ ପତ୍ନୀ ମାଲିନୀ କେଶବନଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ୍‌ ମୃତଦେହ ଉଦ୍ଧାର କରିବା ସହିତ ଘଟଣାସ୍ଥଳୀରୁ ୪ ପୃଷ୍ଠା ବିଶିଷ୍ଟ ସୁଇସାଇଡ ନୋଟ୍‌ ଜବତ କରିଥିଲା।

ଏହାକୁ ନେଇ ବର୍ତ୍ତମାନ ଏନ୍‌ଆଟି କ୍ୟାମ୍ପସରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାଯ୍ୟରେ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଆର ଜୟବାଲାନ ୨୦୧୧ ମସିହାରୁ ରାଉରକେଲା ଏନ୍‌ଆଇଟିର ଲାଇଫ ସାଇନସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ। ଏନ୍‌ଆଇଟି କ୍ୟାମ୍ପସ୍‌ର କ୍ୱାଟର୍ସର ନମ୍ବର ଆର-ଏ/୧୦୧ରେ ନିଜ ପତ୍ନୀଙ୍କ ସହ ସେ ରହୁଥିଲେ। ତେବେ ବିବାହକୁ ୯ ବର୍ଷ ବିତି ଯାଇଥିଲେ ମଧ୍ୟ ବାପା ମା’ ହେବାର ସୌଭାଗ୍ୟରୁ ବଞ୍ଚିତ ରହିଥିବା କାରଣରୁ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି।

ମୃତ ଆର ଜୟବାଲାନଙ୍କ ପରିବାର ଲୋକେ ତାମିଲନାଡୁ ରାଜ୍ୟ କୋଇମ୍ବାଟୁର ଇରୋଡ ଅଞ୍ଚଳର ରହନ୍ତି। ତେବେ ପରିବାର ଲୋକ ରାଉରକେଲା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ମୃତଦେହ ଆଇଜିଏଚ୍‌ ମର୍ଗ ହାଉସରେ ରଖାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comment