ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି। ନନ୍ଦ ସାର୍ କହିଲେ ସମସ୍ତେ ତାଙ୍କୁ ଜାଣନ୍ତି। ୧୦୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କୋଭିଡ ଆକ୍ରାନ୍ତ ହୋଇ ମଙ୍ଗଳବାର ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ନନ୍ଦ ସାର୍ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

ପଦ୍ମଶ୍ରୀ ନନ୍ଦ ସାର୍ ତାଙ୍କ ଜୀବନର ୧୦୪ ବର୍ଷରୁ ୭୫ ବର୍ଷ ସମର୍ପି ଦେଇଥିଲେ ଚାଟଶାଳୀକୁ। ଗାଁର କୁନି କୁନି ପିଲାଙ୍କୁ ମଣିଷ କରିବା ପାଇଁ ସେ ଚାଟଶାଳୀ ପରମ୍ପରା ମାଧ୍ୟମରେ ମାଗଣାରେ ପାଠ ପଢ଼ାଉଥିଲେ।ଗାଁର କୁନି କୁନି ପିଲାଙ୍କୁ ନେଇ ଆରମ୍ଭ କରିଥିଲେ ଚାଟଶାଳୀ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗାଁର ଗୋଟିଏ କୃଷକ ପରିବାରରେ ଜନ୍ମ ହୋଇଥିଲେ ନନ୍ଦ କିଶାର ପୃଷ୍ଟି। ସ୍ଥାନୀୟ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ୍ କରିବା ପରେ ଅର୍ଥ ଅଭାବରୁ ଆଉ ଅଧିକ ପଢ଼ି ପାରିନଥିଲେ। ଏହାପରେ ବାପାଙ୍କୁ ଚାଷବାସ କାମରେ ସାହାଯ୍ୟ କରିବା ଆରମ୍ଭ କଲେ।

ଅର୍ଥ ଅଭାବରୁ ତାଙ୍କ ପାଠପଢ଼ାରେ ଡୋରି ପଡ଼ିଥିଲା, ହେଲେ ଗାଁର ଅନ୍ୟ ପିଲାମାନଙ୍କ ଭବିଷ୍ୟ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଥିଲେ ନନ୍ଦ ସାର୍। ଗାଁର କିଛି କୁନି କୁନି ପିଲାଙ୍କୁ ଏକାଠି କରି ସେ ଚାଟଶାଳୀ ଟିଏ ଆରମ୍ଭ କରିଥିଲେ। ନନ୍ଦ ସାର୍ ପ୍ରଥମେ ପିଲାମାନଙ୍କୁ ଅକ୍ଷର ଏବଂ ପରେ ସେମାନଙ୍କୁ ଦସ୍ତଖତ କରିବା ଶିଖାଉଥିଲେ। ଏହିଠୁ ହିଁ ଆରମ୍ଭ ହୋଇଥିଲା ନନ୍ଦ ସାର୍‌ଙ୍କ ଚାଟଶାଳୀର କାହାଣୀ।୪ଟି ପିଢ଼ିକୁ ପଢ଼ାଇଛନ୍ତି ପାଠ

୭୫ ବର୍ଷର ଶିକ୍ଷକତା ମଧ୍ୟରେ ପ୍ରାୟ ୪ଟି ପିଢ଼ିକୁ ଅକ୍ଷର ପଢ଼ାଇଛନ୍ତି ନନ୍ଦ ସାର୍। କନ୍ତିରା ଗାଁ’ ଲୋକଙ୍କ କହିବାନୁଯାୟୀ, ତାଙ୍କ ବାପା, ଜେଜେଙ୍କ ଅମଳର ଲୋକେ ନନ୍ଦ ସାର୍‌ଙ୍କ ପାଖରେ ପାଠ ପଢ଼ିଛନ୍ତି। ସେମାନେ ବି ପିଲାଦିନେ ତାଙ୍କଠାରୁ ହିଁ ଅକ୍ଷର ଲେଖିବା ଶିଖିଛନ୍ତି।

ସ୍କୁଲ ଯିବା ପୂର୍ବରୁ ଅକ୍ଷର ଶିଖିବା ପାଇଁ ପ୍ରଥମେ ପିଲାମାନେ ନନ୍ଦ ସାର୍‌ଙ୍କ ପାଖକୁ ଆସନ୍ତି। ତାଙ୍କ ପାଖରୁ ପାଠପଢ଼ି ଗାଁ’ର ଅନେକ ପିଲା ଏବେ ବିଭିନ୍ନ ସ୍ଥାନରେ ବହୁ ବଡ଼ ବଡ଼ ପଦବୀରେ ଅଛନ୍ତି। ହେଲେ ଚାଟଶାଳୀ ପାଇଁ ନନ୍ଦ ସାର୍ କେବେ କାହଠାରୁ ପଇସା ନେଇନାହାନ୍ତି।ସକାଳ, ସନ୍ଧ୍ୟାରେ ଚାଲୁଥିଲା ପାଠପଢ଼ା

ନନ୍ଦ ସାର୍ ପିଲାମାନଙ୍କୁ ଦୁଇ ବେଳା ପାଠ ପଢ଼ାଉଥିଲେ। ପ୍ରଥମେ ସକାଳ ବେଳା ୬ଟାରୁ ୯ଟା ଆଉ ପରେ ସନ୍ଧ୍ୟାବେଳେ ୫ଟାରୁ ୬ଟା ୩୦ପର୍ଯ୍ୟନ୍ତ ଚାଲୁଥିଲା ନନ୍ଦ ସାର୍‌ଙ୍କ ଚାଟଶାଳୀ। ସକାଳ ବେଳା ଛୋଟ ଛୋଟ ପିଲାମାନେ ଅକ୍ଷର ଶିଖୁଥିବାବେଳେ ଅପରାହ୍ନରେ ବଡ଼ ପିଲାମାନେ ଗଣିତ ପଢୁଥିଲେ।

କରୋନା ମହାମାରୀ ସମୟରେ କିଛି ଦିନ ପାଇଁ ନନ୍ଦ ସାର୍‌ଙ୍କ ଚାଟଶାଳୀ ବନ୍ଦ ହୋଇଯାଇଥିଲା। ହେଲେ କଟକଣା କୋହଳ ହେବା ପରେ ସେ ପୁଣି ପିଲାମାନଙ୍କୁ ଏକାଠି କରି ପାଠପଢ଼ା ଜାରି ରଖିଥିଲେ।

ସାନ ସାନ ପିଲାମାନେ ନନ୍ଦ ସାର୍‌ଙ୍କ ଭାରି ପ୍ରିୟ ଥିଲେ। ସେମାନଙ୍କୁ ପାଠ ପଢ଼ାଇବାରେ ସେ ଆନନ୍ଦ ପାଉଥିଲେ। ଗାଁର କେହି ଯେମିତି ଅପାଠୁଆ ନ ରହୁ ସେଥିଲାଗି ଶେଷ ନିଶ୍ଵାସ ଥିବା ଯାଏଁ ପିଲାମାନଙ୍କୁ ପାଠ ପଢ଼ାଇବାରୁ ବିରତ ହେବେନି ବୋଲି କହୁଥିଲେ ନନ୍ଦ ସାର୍। ହେଲେ ଆଜି ସେ ସ୍ଵର ନୀରବି ଯାଇଛି, ଆଉ ଦେଖିବାକୁ ମିଳିବନି ନନ୍ଦ ସାର୍‌ଙ୍କ ଚାଟଶାଳୀ।ଭାରତକୁ ନନ୍ଦ ସାର୍‌ଙ୍କ ଆଶୀର୍ବାଦ

ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ଲାଗି ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ନନ୍ଦ ସାର୍। ରାଷ୍ଟ୍ରପତିଙ୍କଠାରୁ ପଦ୍ମ ପୁରସ୍କାର ଗ୍ରହଣ ବେଳେ ନନ୍ଦ ସାର୍ ଦୁଇ ହାତ ଟେକି ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଅନେକ ଲୋକ ଲେଖିଥିଲେ ‘ଭାରତକୁ ନନ୍ଦ ସାର୍ ଆଶୀର୍ବାଦ ଦେଉଛନ୍ତି’।

Comment