ଓଡ଼ିଶାଲାଇଭ୍ ବ୍ୟୁରୋ

  • ମହାବଳ ବାଘର ଯତ୍ନ ନେଇ ଚର୍ଚ୍ଚିତ ହୋଇଥିଲେ
  • ବାଘମାଆ ଭାବେ ବେଶ୍ ପରିଚିତ

  • ବାଘକୁ ନିଜ ହାତରେ ଖୁଆଉଥିଲେ
  • ଜୀବନର ଶେଷ ସମୟ ବୃଦ୍ଧାଶ୍ରମରେ 

ଗୋଟିଏ ମହାବଳ ବାଘ ଖଇରୀର ଯତ୍ନ ନେଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିବା ନିହାର ନଳିନୀଙ୍କର ବୁଧବାର  ପରଲୋକ ହୋଇଛି। ୮୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବାଘମାଆ ନାଁରେ ସେ ବେଶ ପରିଚିତ ଥିଲେ। ଶିମିଳିପାଳ ଅଭୟାରଣ୍ୟର ତତ୍କାଳୀନ ନିର୍ଦ୍ଦେଶକ ସରୋଜ ରାଜ ଚୌଧୁରୀଙ୍କ ସହଯୋଗୀ ହେଉଛନ୍ତି ନିହାର ଦେବୀ। ତାଙ୍କର କୌଣସି ସନ୍ତାନ ନଥିଲେ। ଖଇରୀକୁ ହରାଇବା ପରେ ସେ କଟକସ୍ଥିତ ଆଶିର୍ବାଦ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଥିଲେ।

ପାଠ ପଢ଼ା ସାରି ନିହାର ଦେବୀ ଗାର୍ଲ୍ସ ଗାଇଡିଂର ଷ୍ଟେଟ୍ କମିଶନର ରୂପେ କାମ କରୁଥିଲେ। ସେ ଜଣେ ପଶୁପକ୍ଷୀ ପ୍ରେମୀ ମଣିଷ ଥିଲେ। ଶିମିଳିପାଳଠାରେ ୧୯୭୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା ‘‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ” ଓ ଏହାର ପ୍ରଥମ ପ୍ରକଳ୍ପ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ନେଇଥିଲେ ସରୋଜରାଜ ଚୌଧୁରୀ। ସେତିକିବେଳେ ସରୋଜରାଜ ଚୌଧୁରୀଙ୍କ ସହ ତାଙ୍କର ଦେଖା ହୋଇଥିଲା। ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ଉଭୟଙ୍କ ଅନ୍ତରରେ ସ୍ନେହ ରହିଥିବାରୁ ଉଭୟଙ୍କ ମନ ମିଶିଯାଇଥିଲା। ନିହାର ଦେବୀଙ୍କ ସହ ସାକ୍ଷାତ ପୂର୍ବରୁ ଶିକାର କରିବାକୁ ଭଲପାଉଥିବା ସରୋଜରାଜ ଚୌଧୁରୀ ନିହାର ଦେବୀଙ୍କ କଥାରେ ଅନୁପ୍ରାଣିତ ହୋଇ ଶିକାର କରିବା ଛାଡ଼ି ଦେଇଥିଲେ।

‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ’ ପ୍ରତିଷ୍ଠାର ଗୋଟିଏ ବର୍ଷ ପରେ ୧୯୭୪ ମସିହା ଅକ୍ଟୋବର ୪ ତାରିଖ ଜଙ୍ଗଲ ଭିତର ଦେଇ ସ୍ଥାନୀୟ ‘ଖଡ଼ିଆ’ ସମ୍ପ୍ରଦାୟର କେତେଜଣ ଆଦିବାସୀ ଲୋକ ଗଲାବେଳେ ବାଘ ଛୁଆଟିଏ ପାଇଥିଲେ। ପରେ ସେମାନେ ବାଘାଛୁଆକୁ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟକୁ ନେଇଥିଲେ। ନିହାର ଦେବୀ ବାଘ ଛୁଆଟିକୁ ପାଳିବାକୁ ଆଗ୍ରହ ଦେଖାଇଥିଲେ। ବାଘ ଛୁଆକୁ ନିଜ ପାଖରେ ରଖିବା ସହ ତା’କୁ ଅମୂଲ କ୍ଷୀର ପିଇବାକୁ ଦେଉଥିଲେ। ଏହା ପୂର୍ବରୁ ନିହାର ଦେବୀ ଚିତା ବାଘଟିଏ ରଖିଥିଲେ। କିନ୍ତୁ ତା’ର ଖାଦ୍ୟପେୟ ବାବଦରେ ଠିକ୍‌ ଧାରଣା ନଥିବାରୁ ତା’ ପେଟରେ ଗ୍ୟାସ୍‌ ହେଲା ଓ ଦିନେ ସେ ମରିଗଲା।

ପୂର୍ବ ଭୂଲ ନଦୋହରାଇବାକୁ ବାଘ ଛୁଆକୁ ଗ୍ରାଇପ୍‌ ୱାଟର ଦିଆଗଲା। ମାଈ ବାଘ ଛୁଆଟି ସ୍ଥାନୀୟ ଖଇରୀ ନଦୀ କୂଳରୁ ମିଳିଥିବାରୁ ଉଭୟେ ପତିପତ୍ନୀ ତା’ ନାଁ ରଖିଥିଲେ ‘ଖଇରୀ’। କ୍ରମେ ଖଇରୀ ତାଙ୍କ ପରିବାରର ମୁଖ୍ୟ ସଦସ୍ୟ ପାଲଟିଗଲା। ନିହାର ଦେବୀ ଖଇରୀକୁ ନିଜ ହାତରେ ଖୁଆଇ ଦେଉଥିଲେ। ପ୍ରତିଦିନ ସକାଳେ ଖଇରୀ ପାଇଁ ଦୁଇଟା ଭଲ ଖାସିର ମାଂସ କଟା ହୋଇ ଆସୁଥିଲା ଓ ସେଥିରେ ଦୁଇ କେଜି ଅମୂଲ ସ୍ପ୍ରେ କ୍ଷୀରଗୁଣ୍ଡ ଗୋଳେଇ ତାକୁ ଖାଇବାକୁ ଦିଆଯାଉଥିଲା।

ବ୍ୟାଘ୍ର ପାଳନ ପାଇଁ ସରୋଜରାଜ ଚୌଧୁରୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ପଦ୍ମଶ୍ରୀ’ ଉପାଧିରେ ସମ୍ମାନିତ କରାଯାଇଥିଲା। ସେତେବେଳକୁ ଖଇରୀର ଲୋକପ୍ରିୟତା ଦେଶର ସୀମା ସରହଦ ଡେଇଁ ସାରିଥିଲା। ଦେଶବିଦେଶରୁ ଲୋକେ ଖଇରୀକୁ ଦେଖିବାକୁ ଆସୁଥିଲେ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଖଇରୀ ଉପରେ ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା।

୧୯୮୧ ମସିହା ଫେବ୍ରୁଆରି ୨୦ ତାରିଖରେ ଖଇରୀ ଗୋଟିଏ କୁକୁର ଶିକାର କରିଥିଲା। ୨୬ ତାରିଖରେ କୁକୁର ରକ୍ତରୁ ଜଳାତଙ୍କ ରୋଗର ଜୀବାଣୁ ଯୋଗୁ ଖଇରୀ ପ୍ରାଣ ହରାଇଥିଲା। ଖଇରୀର ବିୟୋଗ ନଳିନୀ ଦେବୀଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା। କୌଣସି ସନ୍ତାନ ନଥିବାରୁ ଖଇରୀକୁ ନିଜ ଝିଅ ବୋଲି ଭାବିଥିଲେ ସେ। ଖଇରୀର ମୃତ୍ୟୁ ସରୋଜରାଜ ଚୌଧୁରୀଙ୍କୁ ଏତେ ବ୍ୟଥିତ କଲା ଯେ ସେ ଖଇରୀ ଯିବାର ମାତ୍ର ଗୋଟିଏ ବର୍ଷକ ଭିତରେ ପ୍ରାଣତ୍ୟାଗ କରିଥିଲେ। ଖଇରୀ ଓ ଘନିଷ୍ଠ ସହଯୋଗୀଙ୍କୁ ହରାଇବା ପରେ ନିହାର ଦେବୀ ସମ୍ପୂର୍ଣ୍ଣ ଏକା ହୋଇଯାଇଥିଲେ। କଟକଠାରେ ଥିବା ଆଶିର୍ବାଦ ବୃଦ୍ଧାଶ୍ରମରେ ସେ ଜୀବନର ଶେଷ ସମୟ ଅତିବାହିତ କରିଥିଲେ।

Comment