ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାସ୍ଥିତ ଉଦିତନଗର ପଡ଼ିଆଠାରେ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍ ସତର୍କତା ଭିତରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ନିଜର ଅଭିଭାଷଣ ଦେଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ କହିଥିଲେ ଯେ, ‘‘ଆମ ଦେଶ ଏବଂ ରାଜ୍ୟ ଆଜି ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଉରକେଲା ସହର ମଧ୍ୟ ଶିଳ୍ପ, ଶିକ୍ଷା, ବାଣିଜ୍ୟ, ଗମନାଗମନ, କୃଷି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ବିଶେଷ ଉନ୍ନତି ହାସଲ କରିଛି”।

ସେ କହିଥିଲେ ଯେ, ସୁନ୍ଦରଗଡ଼ ହେଉଛି ହକିର ଅନ୍ତୁଡ଼ିଶାଳ। ଏହି ମାଟିରୁ ଅନେକ ହକି ପ୍ରତିଭା ବାହାରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଭାରତୀୟ ମହିଳା ଏବଂ ପୁରୁଷ ହକି ଦଳରେ ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଛନ୍ତି। ରାଉରକେଲାରେ ବିଭିନ୍ନ ସଂପ୍ରଦାୟର ଲୋକମାନେ ରହୁଥିବାରୁ ଏହାର ସଂସ୍କୃତି ମଧ୍ୟ ଅନନ୍ୟ। ତେଣୁ ରାଉରକେଲାକୁ ଆହୁରି ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ ଦରକାର।

କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଏସପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଭୋଇ, ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନ, ସହକାରୀ କମିଶନର ନରେନ୍ଦ୍ର ପ୍ରଧାନ ଓ ସୁକାନ୍ତ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ସାମ୍ବାଦିକ ମହେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମକ ପରିଚାଳନା କରିଥିଲେ। ରିଜର୍ଭ ପୋଲିସର ଦୀପ୍ତି ପ୍ରସାଦ ଜେନାଙ୍କ ନେତୃତ୍ୱରେ ପରେଡ୍ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସ୍ୱାସ୍ଥ୍ୟ, ପୋଲିସ ଏବଂ ଅଗ୍ନିଶମ ବିଭାଗର ଆଗଧାଡ଼ିର ୨୫ ଜଣ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ରାଉରକେଲାର ବିଭିନ୍ନ ସରକାରୀ ଅଫିସରେ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍ ନିୟମ ଅନୁସାରେ ପାଳନ କରାଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାଉରକେଲା ସ୍ମାର୍ଟ ସିଟି କାର୍ଯ୍ୟାଳୟ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ, ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଏବଂ ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Comment