ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଓଡ଼ିଶାର ସାମଗ୍ରିକ ବିକାଶରେ ସୁନ୍ଦରଗଡ଼ ଜିଲ୍ଲାର ରହିଛି ବିଶେଷ ଅବଦାନ’’

‘‘କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଆଜି ଓଡ଼ିଶା ପାଇଁ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ’’– ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ

ଭାରତୀୟ ଗଣତନ୍ତ୍ରର ଏକ ବଡ଼ ଦିନ ହେଉଛି ଜାନୁଆରି ୨୬। ସାରାଦେଶ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ସବମୁଖର। ସୁନ୍ଦରଗଡ଼ସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ପାଳନ କରାଯାଇଛି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ। ଏଥିରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ପରେଡରେ ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ନିଜ ଅଭିଭାଷଣରେ ଭାରତର ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ।

‘‘ଓଡ଼ିଶାର ସାମଗ୍ରିକ ବିକାଶରେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ବିଶେଷ ଅବଦାନ ରହିଛି। ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା ପାଇଁ ବିଶେଷ ପରିଚୟ ଆଣିପାରିଛି। ରାଉରକେଲାରେ ହକି ବିଶ୍ଵକପର ଆୟୋଜନ ଏହାର ଏକ ଉଦାହରଣ’’ କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ।

ମନ୍ତ୍ରୀ ଆହୁରି କହିଛନ୍ତି, ‘‘ଓଡ଼ିଶା ଆଜି ପ୍ରଗତି ପଥରେ ଅଗ୍ରସର ହେଉଛି। ରାଜ୍ୟର ମହିଳା ଓ ଶିଶୁ, ଯୁବବର୍ଗ, କ୍ରୀଡ଼ାବିତ, କୃଷକ, ନିର୍ମାଣ ଶ୍ରମିକ, ଜନଜାତି, ବୟସ୍କ ଏବଂ ଅସହାୟମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ଆଜି ଅନ୍ୟ ରାଜ୍ୟମାନଙ୍କ ଦ୍ୱାରା ଅନୁକରଣୀୟ ହୋଇପାରିଛି। ରାଜ୍ୟ ସରକାରଙ୍କ ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ନାରୀମାନଙ୍କୁ ସଶକ୍ତ କରିବା ସହ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଦକ୍ଷ ଶିଳ୍ପନୀତି ଓ ବ୍ୟବସାୟ ଅନୁକୂଳ ପରିବେଶ ପାଇଁ ଓଡ଼ିଶା ଆଜି ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି।’’

ଜାନୁଆରି ୨୬ ପାଇଁ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ପରେଡ କାର୍ଯ୍ୟକ୍ରମରେ ୩୨ଟି ଦଳ ଭାଗ ନେଇଥିଲେ। ଜିଲ୍ଲା ରିଜର୍ଭ ପୋଲିସ ବାହିନୀର ହୋମଗାର୍ଡ ସହିତ ବିଭିନ୍ନ ସ୍କୁଲ, କଲେଜର ଏନସିସି, ସ୍କାଉଟ୍ ଗାଇଡ୍, ଜୁନିୟର ରେଡକ୍ରସ୍, ସିଭିଲିୟାନ ଦଳ ଭାଗ ନେଇଥିଲେ। ପରେଡରେ ଭଲ ପ୍ରଦର୍ଶନ ପାଇଁ ସେଣ୍ଟ ମେରି ବାଳିକା ଉଚ୍ଚ ବିଦ୍ୟାଳୟର ଏନସିସି, ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ସ୍କାଉଟ ଗାଇଡ, ଭବାନୀ ଶଙ୍କର ଉଚ୍ଚବିଦ୍ୟାଳୟର ରେଡକ୍ରସ୍ ଏବଂ ସେଣ୍ଟ ଥେରେସା ପବ୍ଲିକ ସ୍କୁଲର ସିଭିଲିୟାନ ଦଳକୁ ପୁରସ୍କାର ପ୍ରଦାନ କରାଯାଇଛି।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ବିଭିନ୍ନ କଲେଜ ଓ ସ୍କୁଲ ସ୍ତରରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସଫଳ ହୋଇଥିବା ୨୨ଜଣ ପ୍ରତିଯୋଗୀଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ  ପ୍ରଦୀପ ମିରାସେ, ଅତିରିକ୍ତ ଜିଲ୍ଲାପାଳରବି ନାରାୟଣ ସାହୁ, ଉପଜିଲ୍ଲାପାଳ ଦାଶରଥି ସରାବୁ,ଅତିରିକ୍ତ ଏସପି ସୁରେନ୍ଦ୍ର ମାଝି, ପୌରପାଳିକା ଉପାଧ୍ୟକ୍ଷ ଲଳିତେନ୍ଦୁ ପରିଡ଼ା, ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ପ୍ରମୁଖ ଯୋଗ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ରବି ନାରାୟଣ ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

Tags: #74thRepublicDay #Sundargarh #RepublicDayProgram #PritiranjanGhadai #ChiefGuest #Odisha #India

Comment