ପ୍ରଫେସର ସଞ୍ଜୟ ଶତପଥୀ
‘ତୃଣାଦପି’ – ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି।
ଭାଗ -୧
ମାଟି, ପାଣି, ପବନ, ତେଜ, ଆକାଶ; ପଞ୍ଚମହାଭୂତର ଶରୀର। ହେଲେ ଏ ପାଞ୍ଚର ଅନୁପାତ ସମାନ ନୁହେଁ। ପ୍ରତିଟି ମଣିଷ, ଅନ୍ୟଠୁ ଭିନ୍ନ। କାହାର ବାଁ ହାତ ବୁଢା ଆଙ୍ଗୁଠିର ଚିହ୍ନ, କାହା ସାଙ୍ଗରେ ସମାନ ନୁହେଁ। କୋଟି କୋଟି ମଣିଷ। ଆଙ୍ଗୁଠିଏ ଜାଗା ଭିତରେ ମହାରୂପକାରଙ୍କର ଅଙ୍କିତ ଚିତ୍ର ଭିନ୍ନ ଭିନ୍ନ। ଏମିତିକି ନିଜର ବାଁ ହାତର ଆଙ୍ଗୁଠିର ଚିହ୍ନ, ଡାହାଣ ହାତର ଆଙ୍ଗୁଠିର ଚିହ୍ନ ସାଙ୍ଗରେ ସମାନ ନୁହେଁ। କି ବିଚିତ୍ର! ନିଜେ ବି ନିଜ ଭିତରେ ଅସମାନ। ଅନନ୍ୟ। ବାଁ ଆଖିର ଶକ୍ତି, ଡାହାଣ ଆଖିର ଶକ୍ତି ସଙ୍ଗେ ସମାନ ନୁହେଁ। ଜଣଙ୍କର ଚଷମା କାଚ ଦୁଇଟିର ଶକ୍ତି ଭିନ୍ନ। ବେଳ ହୁଁ ଏ ପ୍ରଶ୍ନ ମାନଙ୍କର ଅଙ୍କୁର। ପ୍ରଶ୍ନ ଅମଉଳା, ଉତ୍ତର ଅନାବିଷ୍କୃତ।
ମୋର ପୈତୃକ ଗାଁ ବୋରିକିନା ପୂର୍ବର କଟକ, ଏବେର ଜଗତସିଂହପୁର ଜିଲ୍ଲାରେ। ମୂଳ ଢିଅ ବାଡ଼ି ସମୁଦ୍ର ଢେଉ ଆସି ଧୋଇ ଦେବାରେ, ଟିକେ ଢିପ ଜାଗାରେ ଘର। ମୂଳ ଘର ବାଡ଼ି ହେଲେ କ୍ଷେତ। ହେଲେ ଗୋଟେ ତ୍ରିକୋଣୀ ଭୂମିରେ ଲଙ୍ଗଳ ଚାଲିଲା ନାହିଁ। ସେ କାଳେ ଥିଲା ମୋ ଅଣ ଜେଜେଙ୍କ ଠାକୁର ଘର। ଅଳ୍ପ ଆବିଷ୍କୃତ କଥା, ସେ ଗହନ କଥା। ସମୁଦ୍ର ସେମିତି ଦୂର ନୁହେଁ। ଚାଲି ଚାଲି ଗଲେ ସାରମନ୍ତ। ସାଗର କୂଳରେ ଜଗନ୍ନାଥଙ୍କର ବେଶ୍ ବଡ଼ ମୂର୍ତିଥିବା ସମୁଦ୍ର ମୁହାଁ ଦେଉଳ। ଝାଉଁବଣ। ଏଇ ପଟେ କାଳେ ବିଶର ମହାନ୍ତି ମୃଦଙ୍ଗରେ ବ୍ରହ୍ମଧରି ପ୍ରଭୁ ନାମ ଗାଇ ଗାଇ ଯାଇଥିଲେ ଶ୍ରୀକ୍ଷେତ୍ର। କଳାପାହାଡ, ଆମ ଦିଅଁଙ୍କୁ ଚମ ଦଉଡ଼ିରେ ବାନ୍ଧିନେଲା। ବହୁତ ଦୂର। କେଉଁ ଶିକ୍ଷା ଦେବା ପାଇଁ ପ୍ରଭୁ ମଉନ ରହିଲେ କେଜାଣି? ଗଙ୍ଗାର ଅନତି ଦୂରରେ କାଳେ ଅଗ୍ନି ସଂଯୋଗ କରନ୍ତେ, ତାର ଦେହରେ ତୀବ୍ର ଜ୍ୱଳନର ପୀଡ଼ା ଅନୁଭୂତ ହେଲା। ଅଧା ପୋଡ଼ା ଦିଅଁଙ୍କୁ ନିକ୍ଷେପ କରାଗଲା ଗଙ୍ଗାରେ। ପାଗଳ ପ୍ରାୟ ମଉନ ଭଜନ କରି କର, ମୃଦଙ୍ଗ ବଜେଇ ବଜେ, କାନ୍ଦି କାନ୍ଦି ପଶ୍ଚାଧାବନ କରୁଥିବା ଭକ୍ତ ବିଶର ମହାନ୍ତି, ଗଙ୍ଗାରେ ଡୁବ ଦେଇ ବ୍ରହ୍ମକୁ ସାଉଁଟି, ଛାତିରେ ଲଗେଇ, ମୁଣ୍ଡରେ ମୁଣ୍ଡେଇ ଆଣି, ମୃଦଙ୍ଗରେ ଭରିଲେ, ଗଙ୍ଗା କୂଳରୁ ମହୋଦଧି କୂଳକୁ ଲେଉଟାଣି ଯାତ୍ରା।
ରାଜ ଡରରେ ତାଙ୍କୁ ଆତିଥ୍ୟ ଦେବ କିଏ? ପ୍ରଭୁଶକ୍ତି ପ୍ରକଟ ପଥରେ ବାଧା ବା ଦେବ କିଏ? ସିଏ କାଳେ ହରିଶପୁର ଗଡ଼ପରର ସାଗର କୂଳେ କୂଳେ ଗଲେ ଶ୍ରୀକ୍ଷେତ୍ର। ଏଇଠି ଅଟକି ଥିଲେ ବୋଧେ ରାତିଏ। ବିଶାଳ ଚତୁର୍ଦ୍ଧା ମୂର୍ତ୍ତି। ସାରମନ୍ତରେ ହୁଏ ଦୋଳ ମେଳଣ। ବେଶ୍ ବଡ଼। ପିଲାଦିନର ସେ ମଧୁର ଦୃଶ୍ୟ ଆଜିବି ଜୀବନ୍ତ ମନ ରାଇଜରେ। ସେଇ ନିକଟରେ ପାରାଦୀପ ଆଡ଼କୁ ସମୁଦ୍ର ଭିତରୁ ଉଥିତ ଶିଆଳୀ ଦ୍ୱୀପ। ନଈ ମୁହାଣ। କାହିଁ କେତେ ତ ପୁରୁଣା ମା ଗଙ୍ଗାଦିଙ୍କ ମନ୍ଦିର। ଏ ମୁହାଣ ସ୍ମୃତି ବହନ କରେ କଳିଙ୍ଗ ନୌବାଣିଜ୍ୟର ସାଧବ ସଂସ୍କୃତିର।
ଗାଁ ପାଖରେ ଅଳକା ନଦୀ। ନଦୀର ନାଁ କିଏ ଅଳକା ଦେଲା କେଜାଣି? ସବୁ ଗାଁ, ସବୁ ନଦୀ, ସବୁ ପଶୁ, ପକ୍ଷୀ, ଗଛ ଲତାପଛରେ, ଛପିଛି ଗୋଟେ ଗୋଟେ ଅନନ୍ୟ କାହାଣୀ। ଅଳକା ନଦୀ ମୋ ପୂର୍ବ ପୁରୁଷଙ୍କ ସହିତ, ଭାରତର ସ୍ୱାଧୀନତା ଆନ୍ଦୋଳନ ସହିତ, ମୋର ଆଧ୍ୟାତ୍ମିକ ଯାତ୍ରା ସହିତ ସଂଯୁକ୍ତ। ଏବେ ସେ ନଦୀର ରୂପ ଭିନ୍ନ। ଦେବୀ ନଦୀରୁ ଗାରୋଇ କ୍ଷେତ୍ର ନିକଟରୁ ବାହାରି ବୋରିକିନା ଦେଇ ସାଗର ଆଡ଼କୁ ଯାଇଛି। କିଛି କିଛି ଜାଗାରେ ପଦ୍ମ ଫୁଟିଛି ତ, କେଉଁଠି ମାଛ ଚାଷ। ହାୟରେ ମୋ ନଦୀ ! ନଦୀ କୂଳର ତୁଠ ପଥର, ପୋଖରୀ କୂଳର ତୁଟ ପଥର, ଗାଁ ଶେଷ ଶ୍ମଶାନ ଏପଟ ଜୋର କୂଳର ଲୁଗା କଚା ତୁଠ ପଥର ସମସ୍ତେ ମନରେ ସାଇତା। ମୋର ଏକା ବେଳର କଥା ହେବା ପାଇଁ ଗୋଟେ ଗୋଟେ ଭଲ ସାଙ୍ଗ। ତୁଠ ପଥର କଥା କହିବାର ଶକ୍ତି ପାଇଲେ କହି ପାରନ୍ତା ଅନେକ କଥା। ଦେଇ ପାରନ୍ତା ଅନେକ ପ୍ରଶ୍ନର ଉତ୍ତର।
ପିଲା ବେଳର କଥା ଥିଲା; ପାଠ ମନେ ରଖି ପାରିଲେ, ପରୀକ୍ଷାରେ ଭଲ ନମ୍ବର ରଖିଲେ ବୁଦ୍ଧିଆ। ହେଲେ ଗାରେଇ ଆଶ୍ରମ (ମୋ ଗାଁ ନିକଟ)। ସେଠି ଜଗନ୍ନାଥଙ୍କର ପୂର୍ଣ୍ଣ ଅବୟବ ମୂର୍ତ୍ତି। ମା’ ଗୁଣ୍ଡିଚା ଜିଦ କରି ଅନନ୍ତ ମହାରଣାଙ୍କ ଦିଅଁ ଗଢାଣ ଶବ୍ଦ ନ ଶୁଣିବାରୁ ଦୁଆର ନ ଫିଟେଇଥିଲେ; ଠାକୁର ଏମିତି ରୂପ ନେଇଥାଆନ୍ତେ କି କ’ଣ କେଜାଣି! ପଦ୍ମାସନରେ ବସିଛନ୍ତି ତିନି ଦିଅଁ। ଉତ୍ତର ବାହିନୀ ଦେବୀ ନଦୀ ସହିତ ଗୋବରୀ ନଦୀର ସଙ୍ଗମ ନିକଟରେ ଆଶ୍ରମ।
ଶ୍ୱେତବଟ, କଳ୍ପ ଅଶ୍ୱତ୍ଥ, ମାଳ ଶିଆଳୀ ଓ ଦିବ୍ୟ ନିମ୍ବ ବୃକ୍ଷ ଆଦି ଆଚ୍ଛାଦିତ ଗୋପନ ଦିବ୍ୟ କ୍ଷେତ୍ର)ର ବୁଦ୍ଧିଆ ବାବା (ବାବା ବୁଦ୍ଧନାଥ ଦାସ), କନ୍ଧମାଳର ଟାଡିସରୁ ବାବା (ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି) ଏମାନଙ୍କ ସାଙ୍ଗେ ଯୋଡ଼ି ହେବାରେ ବୁଦ୍ଧିମାନର ସଂଜ୍ଞା ଭିନ୍ନ। ବୁଦ୍ଧି ମାନକ(Inteligence Quotient), ଅପେକ୍ଷା ଜିଜ୍ଞାସା ମାନକ (Inteligence Quotient)ଓ ଉତ୍ସାହ ମାନକ (Passion Quotient)ର ମୂଲ୍ୟ ଅଧିକ । (IQ < CQ + PQ)। ସର୍ବୋପରି ଭାବନାତ୍ମକ ମାନକ (Emotional Quotient) ଓ ଆଧ୍ୟାତ୍ମ ମାନକ (Spiritual Quotient) ସବୁର ମୂଲ୍ୟ ମଣିଷକୁ ମୂଲ୍ୟବୋଧ ବିଚାରରେ ନିଆରା କରେ।
ଟିକିଏ ସ୍ଥିର ହେଇ ମନେ ପକାଇଲେ ଖେଳା ହୋଇ ପଡ଼ିଥିବା ଘଟଣା ସବୁ ଗୋଛା ବନେ ମନେ ପଡ଼େ। ପୂଜା ଦିନରେ ପରିଷ୍କାର ଜାଗା ବାଛି ବୋଉ କଥାରେ ଦୁବ ତୋଳା, ତା’ର ରଙ୍ଗର ବିଭିନ୍ନତାଠୁ ଅଫଳନ୍ତି ଆମ୍ବ ଗଛରେ ଲଟାରେ ଫଳିଲା ଲାଲ୍ ଟହ ଟହ ମହାକାଳ ଫଳ ତୋଳି ତା ଭିତର ଦେଖି ଆଚମ୍ବିତ ହେବା। ଧାନ ଟୋକେଇଏ କ୍ଷେତକୁ ଯାଏ, ଫେରିଲା ବେଳକୁ ଶଗଡ ଶଗଡ ଧାନ ଗୋଛା’ (କ୍ଷେତ, ନିଏ କମ୍, ଦିଏ ବେଶୀ) ବେଳେ ବେଳେ ଧାନ ସାଉଁଟା ପାଚିଆ ସହିତ ହିଡ଼ରେ ବସି ଅଜଣା ଚଢେଇ ଛୋଟ ଧାନ କେଣ୍ଡା ଟିଏ ନେଇ ଉଡିଯାଉଥିବାର ଛବି, ମନରେ ପ୍ରଶ୍ନ ଉପୁଜାଏ। ଧାନ ପାଚିଲେ ଘଣ୍ଟାରେ ଛଅଟା ବାଜିଲା ପରି ସଳଖ ଧାନ ଗଛ ନଇଁ ପଡ଼େ।
ଆମ୍ବ ବଉଳରେ ଭରି ହେଲା ଆମ୍ବ ଗଛ, କଷିରୁ ଫଳ ପାଚିଲେ ଭାରରେ ନଏଁ। ଖୁବ୍ ଦୂର ଆକାଶ ଛୁଉଁଥିବା ଧଳା ଧଳା ମେଘଖଣ୍ଡ କଳା ପାଲଟିଲେ, ଦୂର ତାଳ ଗଛରେ ଚଢିଲେ ଛୁଇଁ ହେଲା ପରି ଲାଗେ। ବର୍ଷା ହେଲେ ବାଡ଼ି ପୋଖରୀରୁ କଉମାନେ ତାଳ ଗଛ ଚଢନ୍ତି। ବର୍ଷା ଥମିଗଲେ, ପାଣିଧାରର ପାତଳ ହୋଇଗଲେ, ଦୁଲ୍ ଦାଲ୍ ଖସିପଡନ୍ତି।
ଇଏ ପୁଣି କ’ଣ ? ମାଛ ଗଛ ଚଢେ କ’ଣ ପାଇଁ ? ତାଳ ଗଛରେ ବାୟା ବସାକରେ କ’ଣ ପାଇଁ, ? ଆମ୍ବ ପଣସ, ଜାମୁଡୋଳ ଗଛରେ କାହିଁକି ନୁହେଁ ? ଠାକୁର ଘରେ ସିନ୍ଦୁର ଲଗା ନଡ଼ିଆ ଟିଏ, ହଠାତ୍ ଦିନେ ଗଜା ହେବାର ଆବିଷ୍କାର, ତାପରେ ଭଲ ସ୍ଥାନ ଦେଖି ରୋପଣ ତାପରେ ଚାରିଆଡ଼କୁ ବାହା ମେଲେଇ ବଢିଲା ଗଛ, ସୁନାରଙ୍ଗର ଫୁଲ ଚଅଁର, ନଡ଼ିଆ କାନ୍ଦି, ପ୍ରଥମ ଫଳ ଜଗନ୍ନାଥଙ୍କୁ ସମର୍ପଣ ଏସବୁ, ଚଲାପଥର ଅଭୁଲା ଚମକ।
ଧାନ କ୍ଷେତ କଡ଼େ କଡ଼େ ପାଣି ଧାର। ଏପଟରେ କ୍ଷେତକୁ ପାଣି। ସେପଟରେ କେହି ମରିଗଲେ ତାର ଶ୍ରାଦ୍ଧ କର୍ମ। ପାଖରେ ନାଳ ବନ୍ଧ। ନାଳ ପରିପୁଷ୍ଟ କରିଛି କ୍ଷେତ ମାଳ’ ଯୋଡିଛି ଗାଁ କୁ ଗାଁ। ଧାନ କ୍ଷେତରେ କେବେ କେବେ ବଗ ବଗୁଲୀ ଦଳ। ବଗ ମାନେ ଗୋଟେ ଇଂରାଜୀ ଓଲଟ ଭି ଆକାରରେ କାହିଁକି ଉଡ଼ନ୍ତି?
ସଞ୍ଜ ପରେ ଏକଲା ବଗ କୁଆଡ଼େ ଯାଉଥାଏ ? କେଉଁଠି ଅଟକି ଥାଏ ସେ? କାର୍ତ୍ତିକ ମାସରେ ବଗ କାଳେ ଆଇଁଷ ଖାଏନି। ସିଏ କଣ ପଞ୍ଚୁକ ଉପାସ କରେ ? ଅଚ୍ୟୁତ ମହାପୁରୁଷଙ୍କ ଗୋପାଳ ଓଗାଳରୁ ବହୁଦିନ ପରେ ଜାଣିଲି ସେମିତି ଅନେକ ପ୍ରଶ୍ନର ଉତ୍ତର। ବଗୁଲୀ ଅଣ୍ଡା ଦେଇ ସାରି ଟିକିଏ ଅଳସ ଭାଙ୍ଗିବା ପାଇଁ ବାହାରି ଥାଏ। ବଗ ଅଣ୍ଡାକୁ ଜଗେ। ବଗ ଜାତିର ଅଲିଖିତ ନିୟମ। ବଗୁଲୀ ଶିକାର କରେ। ବଗ ପାଟିରେ ଦିଏ। ବଗ ଜଗୁଆଳି, ଜଗିଥାଏ। ମାଛ ମାରିବା ପାଇଁ ବଗ ଗୋଟିଏ ଗୋଡ଼ରେ କେମିତି ଧ୍ୟାନସ୍ଥ ଥାଏ, ତା’ ମୁଁ ବହୁବାର ଲକ୍ଷ୍ୟ କରିଛି। ପରେ ‘ବକ ଧ୍ୟାନ’ କଥା ପଢିଲା ବେଳକୁ ଆଉ ବୁଝିବାରେ ଅସୁବିଧା ହୋଇନି। ଏମିତି କେତେ ଛୋଟ ଛୋଟ, ଅଥଚ ଗୁରୁତ୍ୱପୂର୍ଣ୍ଣ କଥା।
ଶଗଡ଼ର ପିଚିକିଳା ଭାଙ୍ଗିଗଲେ, ଚକ ଖସିଯିବ, ଦାଉଁଳି ଭାଙ୍ଗିଲେ ବଳଦ ଖସିଯିବେ। କଂଟି ଭାଙ୍ଗିଲେ, ଲଙ୍ଗଳ ଲୁହା ରନ୍ଥଡ଼ା ହେଲେ ଜୁଆଳିର ଟିପା ଚଡ଼କିଲେ, ଆଉ କି ହଳ କରି ହେବ! ଜୀବନରେ ଛୋଟ ଛୋଟ ଜିନିଷର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଟାଣ ଦେଖେଇଲେ କଚଡ଼ା, ନଇଁଲେ ଢେଉ ମାଡ଼ ପାରି।
(ଲେଖକ ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି। ମତାମତ ନିଜସ୍ୱ)