ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ଚିହ୍ନଟ କିଟ୍ ପ୍ରସ୍ତୁତ କରିବାରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରେ ପ୍ରଥମ ଥର ପାଇଁ କୋଭିଡ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇଛି।  ଓଡ଼ିଶାର ଆଞ୍ଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର(ଆରଏମଆରସି) ପକ୍ଷରୁ ସ୍ଵଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ରାପିଡ ଆଣ୍ଟିଜେନ ପରୀକ୍ଷା କିଟ୍ ବ୍ୟବହାର ପାଇଁ ଆଇସିଏମଆରସିର ମଞ୍ଜୁରି ମିଳିଛି। ଏହି କିଟ୍ କୋଭିଡର ଯେ କୌଣସି ଭୂତାଣୁ ଚିହ୍ନଟ କରିବାକୁ ସକ୍ଷମ ହେବ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି କହିଛନ୍ତି।

ଇମଜେନେକ୍ସ ଇଣ୍ଡିଆ ଏବଂ ଆରଏମଆରସିର ମିଳିତ ସହଯୋଗରେ ପ୍ରସ୍ତୁତ ଏହି କିଟର ନାମ ରହିଛି ଆଇଏମ ସିଓଭି ଆଣ୍ଟିଜେନ କିଟ୍। ଓଡ଼ିଶାରେ ପ୍ରସ୍ତୁତ କୋଭିଡ କିଟର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇମଜେନେକ୍ସ ଇଣ୍ଡିଆ ଏବଂ ଆରଏମଆରସିକୁ କୃତଜ୍ଞତା ଜଣାଇଛନ୍ତି।

ପ୍ରାୟ ୧୫୦ ନମୁନା ପରୀକ୍ଷା ପରେ ରିପୋର୍ଟ ସନ୍ତୋଷଜନକ ଆସିବାରୁ ଆଇଏମ ସିଓଭି ଆଣ୍ଟିଜେନ କିଟକୁ ନୂଆଦିଲ୍ଲୀସ୍ଥିତ ଆଇସିଏମଆର ନିକଟକୁ ଅନୁମୋଦନ ପାଇଁ ପଠାଯାଇଥିଲା। ତୃତୀୟ ପକ୍ଷର ନିରୀକ୍ଷଣ ପରେ ଆଇଏମ ସିଓଭି ଆଣ୍ଟିଜେନ କିଟକୁ ବ୍ୟବହାର ପାଇଁ ଅନୁମତି ମିଳିଛି। ନାକରୁ ନମୁନା ନେଇ ଏହି କିଟରେ ପରୀକ୍ଷା କରାଯିବ। କିଟ ପ୍ରସ୍ତୁତି ପାଇଁ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ଦୁଇମାସ ମଧ୍ୟରେ ବଜାରରେ ଉପଲବ୍ଧ ହେବ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି କହିଛନ୍ତି।

LEAVE A REPLY

Please enter your comment!
Please enter your name here