ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ମୁକାବିଲା ପାଇଁ ବର୍ତ୍ତମାନ ସମୟରେ ଟିକାକୁ ଗୁରୁତ୍ଵ ଦିଆଯାଉଛି। ଟିକାକୁ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଉଥିବାରୁ ଅନେକ ଟିକା ନେବା ପାଇଁ ଭୟ କରୁଥିଲେ। ଏହି ଭୟ ଏବେ ଦୂର ହେବାକୁ ଯାଉଛି। ଏବେ ବିନା ଛୁଞ୍ଚିରେ ନେଇ ହେବ କୋଭିଡ ଟିକା। ସ୍ଵଦେଶୀ ଫାର୍ମା କମ୍ପାନି ଜାଇଡସ କ୍ୟାଣ୍ଡିଲା ସରକାରଙ୍କୁ ଯୋଗାଣ କରିଛି ବିନା ଛୁଞ୍ଚିରେ ଦେଇ ହେଉଥିବା ଟିକା। ଏହି ଟିକାର ନାଁ ହେଉଛି ‘ଜାଇକୋଭ-ଡି’।
ସରକାର ‘ଜାଇକୋଭ-ଡି’ ଟିକାର ବ୍ୟବହାର ପାଇଁ ଗତ ବର୍ଷ ଅଗଷ୍ଟ ମାସରେ ମଞ୍ଜୁରୀ ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଏହି ଟିକାର ୧ କୋଟି ଡୋଜ ଅର୍ଡର କରିଥିଲେ। ବର୍ତ୍ତମାନ କମ୍ପାନି ପକ୍ଷରୁ ଟିକା ଯୋଗାଣ ଆରମ୍ଭ ହୋଇଛି।

କୋରନା ବିରୋଧରେ ଲଢ଼ିବା ପାଇଁ ଭାରତକୁ ଆଉ ଏକ ଅସ୍ତ୍ର ମିଳିଯାଇଛି। ଜାୟଡସ କ୍ୟାଣ୍ଡିଲାର କୋଭିଡ ଟିକା ‘ଜାଇକୋଭ-ଡି’ର ବ୍ୟବହାର ପାଇଁ ସରକାର ସବୁଜ ସଙ୍କେତ ଦେଇଛନ୍ତି। କମ୍ପାନି ପକ୍ଷରୁ ଏହି ଟିକାର ଯୋଗାଣ ଏବେ ଆରମ୍ଭ ହୋଇଛି। ଏହି ଟିକାକୁ ୧୨ ବର୍ଷର ପିଲା ଏବଂ ତା’ଠାରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ। କିନ୍ତୁ ଏବେ ଏହି ଟିକାକୁ ଭାରତରେ ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ଦିଆଯିବ।

‘ଜାଇକୋଭ-ଡି’ ଟିକା ଦେବା ପାଇଁ ଛୁଞ୍ଚିର ବ୍ୟବହାର ହେଉନଥିବାରୁ ଏହାକୁ ‘ନିଡଲ ଫ୍ରି’’ ଟିକା ମଧ୍ୟ କୁହାଯାଉଛି। କୋଭିଡ ମୁକାବିଲା ପାଇଁ ଏହି ଟିକାର ତିନିଟି ଡୋଜ ନେବାକୁ ପଡ଼ିବ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କେବଳ ଗୋଟିଏ କିମ୍ବା ଦୁଇଟି ଡୋଜ ଟିକା ଦିଆଯାଉଥିଲା।
କେମିତି ଦିଆଯିବ ଟିକା ?
ନିଡଲ ଫ୍ରି ଟିକା କୁହାଯାଉଥିବା ଜାଇକୋଭ-ଡିକୁ ‘ଜେଟ୍ ଇଞ୍ଜେକ୍ଟର’ ସହାୟତାରେ ଦିଆଯିବ। ହାଇ ପ୍ରେସର ଦେଇ ଲୋକଙ୍କ ସ୍କିନରେ ଏହି ଟିକାକୁ ଇଞ୍ଜେକ୍ଟ କରାଯିବ। ‘ଜେଟ୍ ଇଞ୍ଜେକ୍ଟର’ ଡିଭାଇସକୁ ୧୯୬୦ ମସିହାରେ ଆବିଷ୍କାର କରାଯାଇଥିଲା। ୨୦୧୩ ମସିହାରେ ଏହାର ବ୍ୟବହାର କରିବା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ଦିଆଯାଇଥିଲା।

ଜାଇକୋଭ-ଡି ବିଶ୍ଵର ପ୍ରଥମ ଡିଏନଏ ବେସ୍ଡ ଭ୍ୟାକ୍ସିନ। ବର୍ତ୍ତମାନ ପର୍ଯ୍ୟନ୍ତ ଯେତୋଟି ଭ୍ୟାକ୍ସିନ ରହିଛି, ସେ ସବୁ ଏମ୍ଆରଏନ୍ଏର ବ୍ୟବହାର କରୁଛନ୍ତି। କିନ୍ତୁ ‘ଜାଇକୋଭ-ଡି’ ଟିକା ଦେବା ଲାଗି ପ୍ଲାଜ୍ମିଡ-ଡିଏନଏର ବ୍ୟବହାର କରାଯାଇଥାଏ।
ଅନ୍ୟ ଟିକା ତୁଳନାରେ ‘ଜାଇକୋଭ-ଡି’କୁ ଷ୍ଟୋରେଜ କରିବା ଖୁବ୍ ସହଜ। ଏହାକୁ ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇପାରିବ। କେବଳ ଏତିକି ନୁହେଁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମଧ୍ୟ ଏହାକୁ ୪ ମାସ ପର୍ଯ୍ୟନ୍ତ ରଖାଯାଇପାରିବ।
କେତେଦିନ ବ୍ୟବଧାନରେ ଦିଆଯିବ ଜାଇକୋଭ-ଡି ଟିକା ?
‘ଜାଇକୋଭ-ଡି’ ଟିକା ନେଉଥିବା ବ୍ୟକ୍ତିଙ୍କୁ ଏହାର ତିନି ଡୋଜ ନେବାକୁ ପଡ଼ିବ। ୨୮ ଦିନ ବ୍ୟବଧାନରେ ଏହି ଟିକା ଦିଆଯିବ। ବର୍ତ୍ତମାନ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଭାରତରେ ଦିଆଯାଉଛି। କୋଭାକ୍ସିର ଦୁଇଟି ଡୋଜ ୨୮ ଦିନ ଅନ୍ତରରେ ଦିଆଯାଉଥିବାବେଳେ କୋଭିସିଲ୍ଡ ଟିକାକୁ ୮୪ ଦିନ ବ୍ୟବଧାନରେ ଦିଆଯାଉଛି।














