ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜସେବା ପାଇଁ ପୁଣି ଆଗକୁ ଆସିଛନ୍ତି ବାଗ୍‌ଚୀ ଦମ୍ପତି। ଓଡ଼ିଶା ପରେ ଏବେ ବେଙ୍ଗାଳୁରୁରେ ହସ୍‌ପିଟାଲ ନିର୍ମାଣ ଲାଗି ଅର୍ଥ ଦାନ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ।ବେଙ୍ଗାଲୁରୁସ୍ଥିତ ଦେଶର ପ୍ରସିଦ୍ଧ ବିଜ୍ଞାନ ଓ ଗବେଷଣା ଶିକ୍ଷାନୁଷ୍ଠାନ ଭାରତୀୟ ବିଜ୍ଞାନ ସଂସ୍ଥାନ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ) ପରିସରରେ ଏକ ମେଡିକାଲ କଲେଜ ଓ ୮୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ପ୍ରତିଷ୍ଠା ପାଇଁ ବାଗ୍‌ଚୀ ଦମ୍ପତି ଏବଂ ତାଙ୍କ ସହଯୋଗୀ ରାଧା ଓ ଏନ. ପାର୍ଥସାରଥୀ ମିଳିତ ଭାବେ ୪୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହି ହସ୍‌ପିଟାଲର ନାଁ ହେବ ବାଗ୍‌ଚୀ-ପାର୍ଥସାରଥୀ ହସ୍‌ପିଟାଲ। ଏନ. ପାର୍ଥସାରଥୀ ହେଉଛନ୍ତି ମାଇଣ୍ଡ ଟ୍ରିର ଅନ୍ୟତମ ପ୍ରତିଷ୍ଠାତା ତଥା ସୁବ୍ରତ ବାଗ୍‌ଚୀଙ୍କ ପୂର୍ବତନ ସହଯୋଗୀ।ବେଙ୍ଗାଳୁରୁଠାରେ ହସ୍‌ପିଟାଲ ନିର୍ମାଣ ପାଇଁ ଦାନ କରିବା ନେଇ ଉଭୟ ସୁବ୍ରତ ବାଗ୍‌ଚୀ ଏବଂ ସୁସ୍ମିତା ବାଗ୍‌ଚୀ ନିଜ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ଏହି ଅବସରରେ ସୁସ୍ମିତା ବାଗ୍‌ଚୀ କହିଛନ୍ତି, “ଓଡ଼ିଶା ଆମକୁ ଜୀବନ ଦେଇଛି, ଆଉ କର୍ଣ୍ଣାଟକ ଆମକୁ ଦେଇଛି ପରିଚୟ। ତେଣୁ ବେଙ୍ଗାଳୁରୁଠାରେ ଆମର ସହଯୋଗୀମାନଙ୍କ ସହ ମିଶି ବାଗ୍‌ଚୀ-ପାର୍ଥସାରଥୀ ହସ୍‌ପିଟାଲ ନିର୍ମାଣ ପାଇଁ ଅର୍ଥରାଶି ଦାନ କରି ଆମେ ଖୁସି। ଏହି ହସ୍‌ପିଟାଲ ଦ୍ଵାରା ପ୍ରଯୁକ୍ତି, ବିଜ୍ଞାନ ଏବଂ ଭେଷଜ ଗୋଟିଏ ଛାତ ତଳେ ରହିପାରିବେ।”

୨୦୨୧ରେ ଓଡ଼ିଶାରେ ଏକ କ୍ୟାନସର ହସ୍‌ପିଟାଲ ଓ ପାଲିଏଟିଭ କେୟାର କେନ୍ଦ୍ର ସ୍ଥାପନ ପାଇଁ ବାଗ୍‌ଚୀ ଦମ୍ପତି ୩୪୦ କୋଟି ଟଙ୍କା ଦାନ କରିଥିଲେ।

Comment