ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟର ଅହମ୍ମଦାବାଦରେ ୧୪ ବର୍ଷ ତଳେ ହୋଇଥିବା ସିରିଜ ବିସ୍ପୋରଣ ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ଅହମ୍ମଦାବାଦର ସ୍ୱତନ୍ତ୍ର କୋର୍ଟ ୪୯ ଜଣ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଏବଂ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ରାୟ ଭାରତର ନ୍ୟାୟିକ ଇତିହାସରେ ପ୍ରଥମ। କାରଣ ପୂର୍ବରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଦେବା ନେଇ ଘୋଷଣା ହୋଇନଥିଲା।
ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ସହିତ ସିରିଜ ବିସ୍ଫୋରଣ ପୀଡ଼ିତମାନଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧ ଲକ୍ଷ ଟଙ୍କା, ଗୁରୁତର ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଦୋଷୀ ଉସ୍ମାନ୍ ଅଗରବତିବାଲାଙ୍କୁ ‘ଆର୍ମସ୍ ଆକ୍ଟ’ ଦ୍ଵାରା ଆଉ ୧ ବର୍ଷ କାରା ଦଣ୍ଡାଦେଶ ଓ ଅତିରିକ୍ତ ୨.୮୮ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଥିସହ ଦୋଷୀ ସାବ୍ୟସ୍ତ ୪୮ଜଣଙ୍କ ଉପରେ ୨.୮୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି।୭୦ ମିନିଟରେ ୨୧ ବିସ୍ଫୋରଣ
୨୦୦୮ ମସିହା ଜୁଲାଇ ୨୬ ତାରିଖର ଘଟଣା। ଅହମ୍ମଦାବାଦର ମଣିନଗରଠାରେ ହୋଇଥିଲା ପ୍ରଥମ ବୋମା ବିସ୍ପୋରଣ। ଏହାର ୭୦ ମିନିଟ ଭିତରେ ଆହୁରି ୨୦ଟି ବିସ୍ଫୋରଣ ହୋଇଥିଲା। ଏହି ବିସ୍ପୋରଣରେ ମୋଟ ୫୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୦୨ ଗୋଧରା କାଣ୍ଡର ପ୍ରତିଶୋଧ ନେବା ପାଇଁ ଇଣ୍ଡିଆନ ମୁଜାହିଦୀନ ଏହି ବିସ୍ଫୋରଣ କରିଥିଲା।
ଆତଙ୍କବାଦୀମାନେ ଟିଫିନରେ ବୋମା ରଖି ସାଇକେଲରେ ଖଞ୍ଜି ଥିଲେ। ଲୋକ ଗହଳି ଅଞ୍ଚଳଗୁଡ଼ିକରେ ଏହି ସବୁ ବିସ୍ଫୋରଣ ହୋଇଥିଲା। ଏଥିରେ ଇଣ୍ଡିଆନ ମୁଜାହିଦୀନ (ଆଇଏମ) ଏବଂ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ସହ ଥିବା ଆତଙ୍କବାଦୀମାନେ ଜଡ଼ିତ ଥିଲେ। ବିସ୍ଫୋରଣର ୫ ମିନିଟ ପୂର୍ବରୁ ଆତଙ୍କବାଦୀମାନେ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ମେଲ କରି ଚ୍ୟାଲେଞ୍ଜ ଦେଇଥିଲେ ଯେ, ‘ପାରିବ ଯଦି, ଏହାକୁ ଅଟକାଇ କି ଦେଖାଅ’।୧୩ ବର୍ଷ ପରେ ପ୍ରକାଶ ପାଇଲା ରାୟ
ବିସ୍ଫୋରଣର ବର୍ଷକ ପରେ ଡିସେମ୍ଵର ୨୦୦୯ରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ହେଲେ କୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇ ନଥିଲେ। ୧୩ ବର୍ଷି ଧରି ମାମଲାଟି ଅଦାଲତରେ ବିଚାରଧୀନ ଥିବା ବେଳେ ୨୦୨୨ ଫେବ୍ରୁଆରି ୮ ତାରିଖରେ ଅହମ୍ମଦାବାଦଦ ସ୍ୱତନ୍ତ୍ର କୋର୍ଟ ୬,୭୫୨ ପୃଷ୍ଠାର ରାୟରେ ୪୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ଘୋଷିତ କରିଥିଲେ ଏବଂ ୨୮ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିଲେ। ପ୍ରଥମଥର ପାଇଁ ଏକକାଳୀନ ୪୯ ଅଭିଯୁକ୍ତଙ୍କୁ ଆତଙ୍କବାଦ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିମଧ୍ୟରୁ ୩୮ ଜଣଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ୧୧ ଆଜୀବ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଭାରତର କିଛି ଚର୍ଚ୍ଚିତ ଫାଶୀ ଦଣ୍ଡାଦେଶ
ଧନଞ୍ଜୟ ଚାଟାର୍ଜୀ
୧୯୯୦ ମସିହାରେ କୋଲକାତାର ଆନନ୍ଦ ଆପାର୍ଟମେଣ୍ଟରେ ଜଣେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେହି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଧନଞ୍ଜୟ ଚାଟାର୍ଜୀ ଏହି ମାମଲରେ ମୁଖ୍ୟ ଅଭିଯୁକ୍ତ ଥିଲେ। ତାଙ୍କୁ ୨୦୦୪ ମସିହାରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ ଦିଆଯାଇଥିଲା। ଏହି ଫାଶୀ ସେତେବେଳେ ବେଶ୍ ଚର୍ଚ୍ଚାରେ ରହିଥିଲା।ମହମ୍ମଦ ଅଜମଲ କସାବ
୨୦୦୮ ମୁମ୍ଵାଇ ଆକ୍ରମଣରେ ମୁଖ୍ୟ ଅଭିଯୁକ୍ତ ଥିଲା ମହମ୍ମଦ ଅଜମଲ କସାବ, ଯିଏକି ଜଣେ ପାକିସ୍ତାନୀ ଆତଙ୍କବାଦୀ ଏବଂ ଲସ୍କର-ଇ-ତାଇବା ଇସଲାମବାଦୀ ଆତଙ୍କବାଦୀ ସଂଗଠନର ସଦସ୍ୟ। ଏହି ଆକ୍ରମଣରେ ମୁମ୍ଵାଇର ଛତ୍ରପତି ଶିବାଜୀ ଟର୍ମିନାସ, ତାଜ ହୋଟେଲ ଇତ୍ୟାଦିରେ ଭୟଙ୍କର ଗୁଳି ଚାଳନା ହୋଇଥିଲା। ଏଥିରେ ଶତାଧିକ ମୃତାହତ ହୋଇଥିଲେ। ଶେଷରେ ମହମ୍ମଦ ଅଜମଲ କସାବ ପୋଲିସ ହାତରେ ଧରା ପଡ଼ିଥିଲା। ଘଟଣାର ୨ ବର୍ଷ ପରେ କସାବକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା, ଯାହାକି ସାରା ଭାରତରେ ଏକ ଚର୍ଚ୍ଚିତ ଫାଶୀ ଦଣ୍ଡ ଥିଲା।ଦିଲ୍ଲୀ ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ମାମଲା
୨୦୧୨ରେ ଘଟିଥିବା ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଘଟଣାର ଦୀର୍ଘ ୭ ବର୍ଷ ପରେ ୨୦୨୦ରେ ନିର୍ଭୟା ଏବଂ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଥିଲା। ୪ ଦୋଷୀ ମୁକେଶ ସିଂହ, ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ପୱନ ଗୁପ୍ତାଙ୍କୁ ସୁପ୍ରିମକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ।