ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସ୍ମାର୍ଟଫୋନ କବଳରେ ପଡ଼ିଛନ୍ତି କୋମଳମତି ଶିଶୁ। ମୋବାଇଲ ପିଲାଙ୍କ ମାନସିକ, ଶାରୀରିକ ଏବଂ ବୌଦ୍ଧିକ ବିକାଶ ପ୍ରଭାବିତ କରୁଛି। ମୋବାଇଲ ଯୋଗୁଁ ପିଲାଙ୍କର କ’ଣ ସବୁ କ୍ଷତି ହୁଏ ଏବଂ କିପରି ସେମାନଙ୍କୁ ମୋବାଇଲଠାରୁ ଦୂରେଇ ରଖିବେ ସେ ନେଇ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ ।

ବର୍ତ୍ତମାନ ଘରେ ଘରେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ। ଛୋଟ ପିଲା ମଧ୍ୟ ମୋବାଇଲ ବ୍ୟବହାର କରିବାରେ ପଛରେ ରହିନାହାନ୍ତି। ମୋବାଇଲ ପ୍ରତି ପିଲାମାନେ ଏତେ ଆକର୍ଷିତ ହୋଇଯାଇଛନ୍ତି ଯେ, ଖେଳକୁଦ କରିବାକୁ କିମ୍ବା ପରିବାର ସଦସ୍ୟଙ୍କ ସହ ମିଶିବାକୁ ସେମାନେ ଚାହୁଁନାହାନ୍ତି। ଯାହା ଦ୍ଵାରା ପିଲାମାନଙ୍କର ମାନସିକ, ଶାରୀରିକ ଏବଂ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼।

ମୋବାଇଲ ଦେଖିବା ଦ୍ଵାରା ପିଲାମାନେ କେଉଁ ସବୁ ସମସ୍ୟା ଭୋଗିଥାନ୍ତି?

ଏବେ ଅଧିକାଂଶ ପିଲା ମୋବାଇଲ ନିଶାରେ ପଡ଼ିଯାଇଛନ୍ତି। ମୋବାଇଲକୁ ସେମାନେ ନିଜର ଦୁନିଆ ଭାବି ଦେଇଥିବା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଯାହା ଫଳରେ କେବଳ ମୋବାଇଲ ସ୍କ୍ରିନ ଭିତରେ ପିଲାମାନେ ସୀମିତ ହୋଇ ରହିଯାଉଛନ୍ତି।

  • ଅଧିକ ମୋବାଇଲ ଦେଖିବା ଦ୍ଵାରା ପିଲାଙ୍କ ଆଖିରୁ ଲୁହ ବୋହିଥାଏ
  • କମ୍ ବୟସରରେ ଆଖି ଖରାପ ହେବା ସହ ଚଷମା ପିନ୍ଧିବାକୁ ପଡ଼ିଥାଏ
  • ଅଧିକ ମୋବାଇଲ ବ୍ୟବହାର ପିଲାଙ୍କ ମାନସିକ ବିକାଶକୁ ରୋକି ଥାଏ
  • ମୋବାଇଲରୁ ଯାହା ଦେଖିଥାନ୍ତି ତାକୁ ଅନୁକରଣ କରିଥାନ୍ତି
  • ପାଠପଢ଼ା ପ୍ରତି ମନ ଲାଗେ ନାହିଁ

“ବର୍ତ୍ତମାନ ସମୟରେ ଯଦି ଦେଖିବା ସ୍କୁଲ ଆସୁଥିବା ପ୍ରାୟ ୧୦ରୁ ୧୫ ପ୍ରତିଶତ ପିଲା ଚଷମା ପିନ୍ଧୁଛନ୍ତି। ୧୫ ବର୍ଷ ପଛକୁ ଗଲେ ଦେଖିବା ସେତେବେଳେ ସ୍କୁଲ କଲେଜ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଖୁବ୍ କମ୍ ଚଷମା ବ୍ୟବହାର କରୁଥିଲେ। ମୋବାଇଲ ବ୍ୟବହାର ପାଇଁ ଏବେ ଏହି ପରିସ୍ଥିତି ଉପୁଜିଛି”, କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼।

ମୋବାଇଲ ବ୍ୟବହାର ଯୋଗୁଁ ଶିଶୁମାନଙ୍କର ମାନସିକ, ଶାରୀରିକ ଏବଂ ବୌଦ୍ଧିକ ବିକାଶ ହୋଇପାରୁ ନାହିଁ। ପିଲା ଜିଦି କଲେ ବାପାମା’ ମୋବାଇଲ ଧରାଇ ଦେଉଛନ୍ତି। ମୋବାଇଲ ଦେଖି ଗୋଟିଏ ପିଲାର ମାନସିକ ବିକାଶ କେବଳ ମୋବାଇଲ ଭିତରରେ ସୀମିତ ହୋଇ ରହିଯାଉଛି। ମୋବାଇଲ ଏକ ପ୍ରକାର ପିଲାଙ୍କର ଦୁନିଆ ପାଲଟି ଯାଇଥିବାରୁ ସେମାନେ ସାମାଜିକ ସମ୍ପର୍କଠାରୁ ଦୂରେଇ ଯାଉଛନ୍ତି। ଫଳରେ ଆଜି କାଲିର ପିଲାଙ୍କଠାରେ ସଭ୍ୟତା, ସାଂସ୍କାର ଏବଂ ସଂସ୍କୃତିର ଅଭାବ ଦେଖାଯାଉଛି। ଯାହା ଉଭୟ ଶିଶୁ ଏବଂ ସମାଜ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଅଧିକ ସମୟ ମୋବାଇଲ ଦେଖିବା ଯୋଗୁଁ ଶିଶୁ ଅଟିଷ୍ଟିକ ସ୍ପେକ୍ଟ୍ରମ ଡିଜଅର୍ଡରର ଶିକାର ହୋଇଥାନ୍ତି। ଅଟିଷ୍ଟିକ ସ୍ପେକ୍ଟ୍ରମ ଡିଜଅର୍ଡରର ଶିକାର ହେଉଥିବା ପିଲାଙ୍କଠାରେ ହାଇପର ଆକ୍ଟିଭିଟି ଦେଖିବାକୁ ମିଳିଥାଏ ବୋଲି ଡାକ୍ତର କୁହନ୍ତି।

ହାଇପର ଆକ୍ଟିଭିଟି କ’ଣ ?

ହାଇପର ଆକ୍ଟିଭିଟିକୁ ଗୋଟିଏ ରୋଗ କୁହାଯାଉନଥିଲେ ମଧ୍ୟ ଏହା ଶିଶୁମାନଙ୍କ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଉପରେ ବେଶ୍ ପ୍ରଭାବ ପକାଇଥାଏ।

  • ଏହାର ଶିକାର ହେଉଥିବା ପିଲାମାନେ କାହା କଥା ଶୁଣନ୍ତି ନାହିଁ
  • ଏଥିରେ ପ୍ରଭାବିତ ପିଲାମାନେ ଏକା ଏକା ରହିବାକୁ ପସନ୍ଦ କରିଥାନ୍ତି
  • ସାଧାରଣ ପିଲାଙ୍କ ତୁଳନାରେ ଏମାନଙ୍କର କାର୍ଯ୍ୟକଳାପ ଅଧିକ ଉତ୍ତେଜିତ ହୋଇଥାଏ
  • ଏହି ପିଲାମାନେ ଜୋର ଜୋର କଥା ହୋଇଥାନ୍ତି, କାନ୍ଦି ଥାନ୍ତି ଏବଂ ଜୋର ହସିଥାନ୍ତି
  • ମୋବାଇଲ ଦେଖୁଥିବା ପିଲା ସହଜରେ କାହା ସହିତ ମିଶି ପାରନ୍ତି ନାହିଁ

“ମୋବାଇଲ ବର୍ତ୍ତମାନ ପରିବାରରେ ରହିଥିବା ସମ୍ପର୍କକୁ ଭାଙ୍ଗିବାରେ ବଡ଼ ଭୂମିକା ଗ୍ରହଣ କରିଛି। ଆଗ ଭଳି ପରସ୍ପର ପ୍ରତି ସ୍ନେହ, ଭଲ ପାଇବା ଏବଂ ସମ୍ମାନ ରହୁନାହିଁ। ପିଲାଙ୍କୁ ନୀତି ଆଦର୍ଶ, ସଭ୍ୟତା ଏବଂ ସଂସ୍କୃତି ଶିଖାଇବାକୁ କାହା ପାଖରେ ସମୟ ରହୁନାହିଁ। ବାପା ମା’ କାର୍ଯ୍ୟବ୍ୟସ୍ତ ରହୁଥିବାରୁ ପିଲାକୁ ମୋବାଇଲଟିଏ ଧରେଇ ଦେଇ ବ୍ୟସ୍ତ ହୋଇଯାନ୍ତି। ଏହା ଦ୍ଵାରା କେବେଳ ଶିଶୁର ନୁହେଁ ପରିବାର ଏବଂ ସମାଜର ମଧ୍ୟ କ୍ଷତି ହେଉଛି,” କହିଛନ୍ତି ଡାକ୍ତର ନିର୍ମଳ କୁମାର ମହାକୁଡ଼।

ଅଭିଭାବକ ସଜାଗ ରହିବା ଆବଶ୍ୟକ

ମୋବାଇଲ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ନେଇଯାଉଛି। ସମୟ ଥାଉ ଥାଉ ଅଭିଭାବକମାନଙ୍କୁ ସଜାଗ ହେବାକୁ ପଡ଼ିବ। ପିଲାଙ୍କୁ ମୋବାଇଲଠାରୁ ଦୂରେଇ ରଖିବାକୁ ଯଥା ସମ୍ଭବ ଚେଷ୍ଟା କରିବାକୁ ପଡ଼ିବ।

ଅଭିଭାବକଙ୍କୁ ନିଜ ବ୍ୟସ୍ତ ବହୁଳ ସମୟରୁ କିଛି ସମୟ କାଢ଼ି ପିଲାଙ୍କ ସହ ଅତି ବାହିତ କରିବା ଆବଶ୍ୟକ। ପିଲାଙ୍କ ସହ ହସମଜା କରିବା ଏବଂ ସେମାନଙ୍କ ସହ ମିଶି ଖେଳିବାକୁ ପଡ଼ିବ। ପରିବାରର ଅନ୍ୟ ସଦସ୍ୟ ଏବଂ ଅଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ସହ ମିଶିବାକୁ ଉତ୍ସାହିତ କରିବାକୁ ହେବ। ନିଜ ପିଲାଙ୍କୁ ପ୍ରାରମ୍ଭରୁ ସାମାଜିକ ଚଳଣି, ପରମ୍ପରା ଏବଂ ସଂସ୍କୃତି ଆଦି ବିଷୟରେ ଶିକ୍ଷା ଦେବାକୁ ପଡ଼ିବ। ପିଲାଙ୍କ ଉପରେ ଅଧିକ କଟକଣା ଲଗାଇବା ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି।

ଶିଶୁଠାରେ ଅଟିଷ୍ଟିକ ସ୍ପେକ୍ଟ୍ରମ ଡିଜଅର୍ଡର ଦେଖା ଦେଲେ କ’ଣ କରିବେ?

ଶିଶୁଠାରେ ଅଟିଷ୍ଟିକ ସ୍ପେକ୍ଟ୍ରମ ଡିଜଅର୍ଡର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ଅନୁସଯାୟୀ ଶିଶୁର ଚିକିତ୍ସା କରାଇବା ଦରକାର। ସେମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ। ପ୍ରାରମ୍ଭିକ ଅବସ୍ଥାରେ ପିଲାଙ୍କର ଚିକିତ୍ସା କରାଇବା ଦ୍ଵାରା ସେମାନଙ୍କୁ ଶୀଘ୍ର ଠିକ କରାଯାଇପାରିବ।

ବର୍ତ୍ତମାନ ସମୟରେ ଯେତେ ସମ୍ଭବ ପିଲାଙ୍କୁ ମୋବାଇଲଠାରୁ ଦୂରେଇ ରଖିବା ସହ ଖେଳ କୁଦରେ ମନ ଲଗାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଏହିପରି କରିବା ଦ୍ଵାରା ମୋବାଇଲ ଯୋଗୁଁ ପିଲାମାନେ ଭୋଗୁଥିବା ସମସ୍ୟା ଆଉ ଉପୁଜିବ ନାହିଁ।

Comment