ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାତର ଦ୍ଵିତୀୟ ଥର ମଣିପୁରର ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ଏନ୍ ବୀରେନ ସିଂହ। ସୋମବାର ରାଜବଭନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବୀରେନ ସିଂହଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ମଣିପୁର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏନ୍ ବୀରେନ ସିଂହ ପୁଣି ଥରେ ମଣିପୁରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମଣିପୁରର ରାଜଧାନୀ ଇମ୍ଫାଲସ୍ଥିତ ରାଜଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏଲ୍ ଗଣେଶନ ବୀରେନ ସିଂହଙ୍କୁ ମଣିପୁରର ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ। ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ ୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହି ମନ୍ତ୍ରୀମାନେ ହେଲେ ବିଶ୍ଵଜିତ ସିଂହ, ଓ୍ଵାଇ ଖେମଚନ ସିଂହ, ନେମ୍‌ଚା କିପଗେନ, ଅଭଙ୍ଗବୋଉ ନେଭମାଇ ଏବଂ ଗୋବିନ୍ଦଦାସ କୋଂଥୌଜମ।

ଏହି ଶପଥ ପାଠ ଉତ୍ସବରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମରଣିପୁର ବିଜେପି ସଭାପତି ଏ ଶାରଦା ଦେବୀ ଉପସ୍ଥିତ ଥିଲେ। ଗୋଟିଏ ଦିନ ପୂର୍ବରୁ ବିଜେପିର ବିଧାୟକମାନେ ବୀରେନ ସିଂଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରିଥିଲେ। ଗତ ୨୦ ତାରିଖରେ ମଣିପୁର ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାତରମ ଏବଂ ସହ ପର୍ଯ୍ୟବେକ୍ଷକ କିରେନ ରିଜିଜୁ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏନ ବୀରେନ ସିଂହଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା। ମଣିପୁର ବିଧାନସଭା ୨୦୨୨ ନିର୍ବାଚନରେ ବିଜେପିକୁ ବିପୁଳ ଜନସମର୍ଥନ ମିଳିଥିଲା। ମୋଟ ୬୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୩୨ଟି ଆସନରେ ବିଜୟ ହାସଲ କରିଥିଲା। ୨୦୧୭ ମସିହାରେ ମଧ୍ୟ ବିଜେପି ମଣିପୁରରେ ସରକାର ଗଠନ କରିଥିଲା। ସେତେବେଳେ ବିଜେପି ୨୧ଟି ଆସନରେ ବିଜୟ ହାସଲ କରିଥିଲା।

Tags: #AssemblyElection #ManipurAssemblyElection #AssemblyElection2022 #ManipurCM #CMNBirenSingh

Comment