ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ବର୍ଷ ପରେ ଶେଷ ହେବାକୁ ଯାଉଛି କୋଭିଡକୁ ନେଇ ଲାଗୁ ହୋଇଥିବା ସମସ୍ତ କଟକଣା। ଆସନ୍ତା ମାର୍ଚ୍ଚ ୩୧ ତାରିଖଠାରୁ କୋଭିଡ ୧୯ର ସମସ୍ତ କଟକଣା ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମଗ୍ର ବିଶ୍ୱରେ କୋଭିଡ ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହେବା ପରେ କୋଭିଡକୁ ମହାମାରୀ ବର୍ଗରେ ସାମିଲ କରାଯାଇଥିଲା।

୨୦୨୦ ମାର୍ଚ୍ଚ ୨୪ ତାରିଖ ପ୍ରାକୃତିକ ଦୁର୍ବିପାକ ପରିଚାଳନା ଅଧିନିୟମ-୨୦୦୫ ଅନ୍ତର୍ଗତ ପ୍ରଥମ ଥର ଲାଗି କୋଭିଡ ମହାମାରୀ କଟକଣା ଜାରି କରାଯାଇଥିଲା। କୋଭିଡ ପରିସ୍ଥିତିକୁ ଦେଖି ବିଭିନ୍ନ ସମୟରେ ଏହି କଟକଣାରେ ପରିବର୍ତ୍ତନ ମଧ୍ୟ କରାଯାଉଥିଲା। ଦେଶରେ କୋଭିଡ ସଂକ୍ରମଣ ହାର ହ୍ରାସ ପାଇବାରୁ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସାମାଜିକ ଦୂରତା ସହ ମାସ୍କ ପରିଧାନ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ପରାମର୍ଶ ଦେଇଛନ୍ତି।

କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ ସଂକ୍ରମଣ ହାର ବୃଦ୍ଧି ପାଇଲେ ସମ୍ପୃକ୍ତ ରାଜ୍ୟଗୁଡ଼ିକ କୋଭିଡ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ନିୟମ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି।

Tags: #Covid19 #CovidRestriction #CoronaVirus #India #Odisha #WearingMask

LEAVE A REPLY

Please enter your comment!
Please enter your name here