ଓଡ଼ିଶାଲାଇଭ୍ ବ୍ୟୁରୋ

ଯିଏ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଗାଦିରେ ବସୁଛନ୍ତି, ସ୍ଵଳ୍ପ ସମୟ ମଧ୍ୟରେ କ୍ଷମତା ହରାଉଛନ୍ତି। ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ବଦଳରେ ଆଗକୁ ବଢ଼ିଚାଲିଛି।

ପଡ଼ୋଶୀ ପାକିସ୍ତାନ ଭାରତର ଗୋଟେ ଦିନ ପୂର୍ବରୁ ସ୍ୱାଧୀନ ହୋଇଥିଲା। ଏହି ଦେଶ ସେନା ଦ୍ୱାରା ପରିଚାଳିତ। ମେଣ୍ଟ ହେଉ କି ବହୁମତ, ଶପଥ ନେଇଥିବା ପ୍ରଧାନମନ୍ତ୍ରୀ ଏଠି କିନ୍ତୁ ସ୍ଥିର ହୋଇ ରହିପାରନ୍ତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ଜଣେ ହେଲେ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାନ୍ତି।

ଏହି ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରିବର୍ତ୍ତେ ଏହା ଜାରି ରହିଛି। ବିଶ୍ୱର ଏମିତି କୌଣସି ଗଣତନ୍ତ୍ର ନଥିବ ଯେଉଁଠି ନିର୍ବାଚିତ ସରକାରର ପ୍ରଧାନମନ୍ତ୍ରୀଙ୍କୁ ବିତାଡ଼ିତ ହେବାକୁ ପଡ଼ୁଥିବ। ପୂର୍ବରୁ ଏମିତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ ବିଦା ହୋଇଛନ୍ତି। ଏବେ ବିଦା ହୋଇଛନ୍ତି ଇମ୍ରାନ ଖାନ। ଆଗକୁ ଯେ ଆଉ କାହା ପାଳି ନ ପଡ଼ିବ ତାହା କହିବା ମୁସ୍କିଲ।

ଇମ୍ରାନ ଖାନ୍

ଇମ୍ରାନ ଖାନ୍। ପୂରା ନାମ ଇମ୍ରାନ ଅହମ୍ମଦ ଖାନ୍ ନିଆଜି। କ୍ରିକେଟରେ ୨୨ ବର୍ଷର ଲମ୍ବା କ୍ୟାରିଅର। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ଇମ୍ରାନ। ୧୯୯୬ ମସିହାରେ ଇମ୍ରାନ ଖାନ ପାକିସ୍ତାନ- ତେହେରିକ ଏ ଇନସାଫ୍ ବା ପିଟିଆଇ ନାମରେ ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ। ୨୦୦୨ରେ ତାଙ୍କ ଦଳ ଗୋଟିଏ ସାଂସଦ ପଦ ଜିତିଥିଲା। ଏହି ବିଜୟ ପରେ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଲେ ଇମ୍ରାନ। ୨୦୦୮ ନିର୍ବାଚନକୁ ବୟକଟ୍ କରିଥିଲା ଇମ୍ରାନଙ୍କ ପିଟିଆଇ। ତଥାପି  ତାଙ୍କୁ ପାକିସ୍ତାନ ଲୋକେ ପସନ୍ଦ କରିବା ଆରମ୍ଭ କରିଥିଲେ। ପପୁଲାର ଭୋଟରେ ତାଙ୍କ ଦଳ ସମସ୍ତଙ୍କ ଠାରୁ ଆଗରେ ରହିଥିଲା।

୨୦୧୮ରେ ଇତିହାସ ରଚି ଥିଲେ ଇମ୍ରାନ ଖାନ। ନ୍ୟାସନାଲ ଆସେମ୍ବ୍ଲି ନିର୍ବାଚନରେ ତାଙ୍କ ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ସ୍ୱାଧୀନ ସାଂସଦମାନଙ୍କ ସହ ମେଣ୍ଟ କରି ସେ ସରକାର ଗଢ଼ି ଥିଲେ। କିନ୍ତୁ ଇମ୍ରାନ ମଧ୍ୟ ପାକିସ୍ତାନର ରାଜନୀତିକୁ ନିୟନ୍ତ୍ରଣ କରିପାରିଲେନି। ବିରୋଧ ଯୋଗୁଁ ତାଙ୍କୁ ବି ବିଦା ହେବାକୁ ପଡ଼ିଲା।

କ୍ଷମତା ହରାଇଥିବା ପ୍ରଧାନମନ୍ତ୍ରୀ

ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଇତିହାସରେ ଜଣେ ବି କେହି ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରିନାହାନ୍ତି। ପାକିସ୍ତାନର ୩ ଜଣ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ପୂର୍ଣ୍ଣ ହେବାର ବର୍ଷକ ଆଗରୁ ପଦ ହରାଇଛନ୍ତି। ଜେନେରାଲ ଜିଆ ସାମରିକ ଶାସକ ଭାବେ ୧୦ ବର୍ଷ ଧରି ପାକିସ୍ତାନକୁ ଶାସନ କରିଥିଲେ। ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରେ ପୁଣି ନିର୍ବାଚିତ ସରକାର ଶାସନ କରିଥିଲେ।

ହେଲେ ପ୍ରଧାନମନ୍ତ୍ରୀ ଭାବେ କେହି ବି ଜଣେ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ପିପିପି ପାର୍ଟିର ବେନଜୀର ଭୁଟ୍ଟୋ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ମୁସଲିମ ବହୁଳ ଦେଶଗୁଡ଼ିକ ମଧ୍ୟରୁ ପାକିସ୍ତାନରେ ପ୍ରଥମେ ଜଣେ ମହିଳା ପ୍ରଧାନମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଥିଲେ। ସେ ୧୯୮୮ ମସିହାରେ ଗାଦି ସମ୍ଭାଳି ଥିଲେ। ୧୯୯୦ରେ ତାଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା।

ପିଏମ୍ଏଲ୍-ଏନ୍ ପାର୍ଟିର ନଓ୍ୱାଜ ସରିଫ୍ ୧୯୯୦ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ୧୯୯୩ ମସିହା ପର୍ଯ୍ୟନ୍ତ ପଦବୀରେ ରହିଥିଲେ। ତାଙ୍କୁ ବି ଗାଦି ଛାଡ଼ିବାକୁ ପଡ଼ିଥିଲା। ଏହା ପରେ ବେନଜୀର ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର ମଧ୍ୟ ସେ ମାତ୍ର ୩ ବର୍ଷ କ୍ଷମତାରେ ରହିଥିଲେ। ବେନଜୀରଙ୍କ ପରେ ପୁଣି ନଓ୍ୱାଜ ସରିଫ୍ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର କିନ୍ତୁ ମାତ୍ର ୨ ବର୍ଷ ପାଇଁ ସେ ଶାସନ କରିପାରିଲେ। 

ୟୁସୁଫ ରାଜା ଗିଲାନୀ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ପରେ ୨୦୧୨ରୁ ୨୦୧୩ ରାଜା ପରଭେଜ୍ ଅସ୍‌ରଫ ପ୍ରଧାନମନ୍ତ୍ରୀ ହୋଇଥିଲେ। ଗିଲାନୀଙ୍କ ପୂର୍ବରୁ ଓ ନଓ୍ୱାଜ ସରିଫଙ୍କ ସମୟରେ ଅର୍ଥାତ ୧୯୯୯ରୁ ୨୦୦୭ ଜେନେରାଲ ପରଭେଜ୍ ମୁସାରଫଙ୍କ ନେତୃତ୍ୱରେ ପାକିସ୍ତାନରେ ସାମରିକ ଶାସନ ଚାଲିଥିଲା। ସାମରିକ ଶାସନ ସମୟରେ ୩ ଜଣ ପ୍ରଧାନମନ୍ତ୍ରୀ ମଧ୍ୟ ଦାୟିତ୍ୱରେ ରହିଥିଲେ। ସାମରିକ ଶାସନ ଶେଷ ହେବା ପରେ ଗିଲାନି ଓ ପରଭେଜ୍ ଆସରଫ୍ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏ ଦୁଇ ଜଣଙ୍କ ପରେ ନଓ୍ୱାଜ ସରିଫ୍ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର ବି ସେ କାର୍ଯ୍ୟକାଳ ପୂରଣ କରିପାରିନଥିଲେ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ନଓ୍ୱାଜ ସରିଫ୍। ଫଳରେ ସେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିଲେ। ତାଙ୍କ ପରେ ସହିଦ ଅଓ୍ୱାସୀ ମାତ୍ର ବର୍ଷେ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଇମ୍ରାନ ଖାନ୍ ୨୦୧୮ରେ ଆସିଲେ। ସେ ମଧ୍ୟ କାର୍ଯ୍ୟକାଳ ପୂର୍ଣ୍ଣ କରିପାରିଲେ ନାହିଁ।

ଲିଆକତ୍ ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ଖ୍ୱାଜା ନିଜାମୁଦ୍ଦିନ, ମହମ୍ମଦ ଅଲ୍ଲି ବୋଗ୍ରା ଏବଂ ଚୌଧୁରୀ ମହମ୍ମଦ ଅଲ୍ଲି ୫ ବର୍ଷ ପୂରା କରିନଥିଲେ। ଇବ୍ରାହିମ୍ ଇଜମାଇଲ୍ ଚୁନ୍ଦ୍ରିଗର ମାତ୍ର ୬୦ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ନୁରୁଲ ଆମିନ ମାତ୍ର ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦବୀରେ ବସିଥିଲେ। ଚୌଧୁରୀ ସୁଜାତ ହୁସେନ ମାତ୍ର ୫୭ ଦିନ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ।

Tags: #Pakistan #PakistanPolitics #PakitanPM #PoliticalCrisis #PMRuling #ControversialPM

Comment