ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ ଦକ୍ଷତା ରାଜଧାନୀରେ ପରିଣତ କରିବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଭୁବନେଶ୍ୱର ଏସ୍‌ଡିଆଇରେ ଉଦଘାଟିତ ହୋଇଛି। ଏହାକୁ ଦକ୍ଷତା ବିକାଶ, ଉଦ୍ୟୋଗ ତଥା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି। ଏହା ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ(ଏସ୍‌ଡିଆଇ) ଭୁବନେଶ୍ୱର ଏବଂ ଏସ୍‌ଡିସି ଇଣ୍ଟରନ୍ୟାସନାଲର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଛି। ବିଦେଶରେ ସୁଯୋଗକୁ ବଢ଼ାଇବା ଲକ୍ଷ୍ୟରେ ଏଠାରେ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଭାରତୀୟ ଯୁବକମାନଙ୍କୁ ତାଲିମ ପ୍ରଦାନ କରାଯିବ।

ୱାର୍ଲ୍ଡ ସ୍କିଲ୍ ପ୍ରତିଯୋଗିତା ପାଇଁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଏକ ଜାତୀୟ ଏକାଡେମୀ ଉଦ୍‌ଘାଟନ କରିଛନ୍ତି। ୱାର୍ଲ୍ଡ ସ୍କିଲ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୁବକମାନଙ୍କୁ ଏଠାରେ ଉଚ୍ଚମାନର ତାଲିମ ଦିଆଯିବ। ଶିକ୍ଷକ ଏବଂ ମୂଲ୍ୟାଙ୍କନକାରୀଙ୍କ ଦକ୍ଷତା ତାଲିମ ପାଇଁ ଏସଡିଆଇ କ୍ୟାମ୍ପସରେ ଏକ ଜାତୀୟ ଏକାଡେମୀ ପ୍ରତିଷ୍ଠା କରାଯିବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଏସ୍‌ଡିଏ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ଏସ୍‌ଡିଆଇ ଭୁବନେଶ୍ୱର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ଆଇସିଏଲ୍ ମାନବ ସମ୍ବଳ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଅଫିସିଏଟିଙ୍ଗ ସିଇଓ ବେଦମଣି ତିୱାରୀ ଏବଂ ଏସଡିଆଇ ସିଇଓ ସଞ୍ଜୟ ଶ୍ରୀବାସ୍ତବଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଭାରତୀୟ ଯୁବକମାନଙ୍କୁ ଉଚ୍ଚମାନର ତାଲିମ ପ୍ରଦାନ କରିବ। ୟୁଏଇ, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଜିସିସି ଅଞ୍ଚଳରେ ଅନ୍ତର୍ଜାତୀୟ ନିଯୁକ୍ତିଦାତାଙ୍କ ଚାହିଦା ଅନୁଯାୟୀ ଦକ୍ଷତା ବୃଦ୍ଧି କରିବାକୁ ଏହି କେନ୍ଦ୍ରରେ ତାଲିମ ସୁବିଧା ଯୋଗାଇ ଦିଆଯିବ। ଏହି କେନ୍ଦ୍ରରେ ମୋବାଇଲାଇଜେଶନ, କାଉନସେଲିଂ, ସ୍କିଲ୍ ଟ୍ରେନିଂ, ପ୍ରି-ଡିପାରଚର ଓରିଏଣ୍ଟେସନ, ବିଦେଶୀ ଭାଷା ତାଲିମ, ପ୍ଲେସମେଣ୍ଟ ଏବଂ ଇମିଗ୍ରେସନ ଓ ପୋଷ୍ଟ-ପ୍ଲେସମେଣ୍ଟ ସହାୟତା ଭଳି ସେବା ପ୍ରଦାନ କରାଯିବ।

ଏନ୍ଏସଡିସିଆଇ ଏବଂ ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି (ଓଏସଡିଏ) ମଧ୍ୟମରେ ଓଡ଼ିଶାରୁ ଅନ୍ୟ ଦେଶକୁ କୁଶଳୀ ତଥା ପ୍ରାମଣପତ୍ରପ୍ରାପ୍ତ ଶ୍ରମିକଙ୍କ ଗମନାଗମନ ପାଇଁ ଅନ୍ତର୍ଜାତୀୟ କର୍ମଜୀବୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ସ୍ମାରକପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ ବିଦେଶୀ ନିଯୁକ୍ତିଦାତା ଏବଂ କୁଶଳୀ ଭାରତୀୟ ଯୁବକମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଆବଶ୍ୟକ ସହାୟତା ଯୋଗାଇ ଦେବ। ଓଡ଼ିଶାରୁ ଅନ୍ତର୍ଜାତୀୟ ଶ୍ରମିକମାନଙ୍କ ଗତିଶୀଳତାକୁ ବୃଦ୍ଧି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦେଶର କୁଶଳୀ ଶ୍ରମିକ ଚାହିଦା ପୂରଣ କରିବା ସହିତ ଭାରତରୁ ଅନ୍ତର୍ଜାତୀୟ କ୍ଷେତ୍ରକୁ ଶ୍ରମିକଙ୍କ ଗତିଶୀଳତାକୁ ବଢ଼ାଇବ। ଏହା ଦ୍ୱାରା ଯୁବବର୍ଗଙ୍କ ଆଶା ଅକାଂକ୍ଷା ପୂରଣ ହୋଇପାରିବ”।

ଭାରତରେ ଦକ୍ଷତା ବିକାଶ ଧାରା ଜାରି ରହିଛି। ଏହି ପଦକ୍ଷେପ ଦକ୍ଷତା ବିକାଶ କ୍ଷେତ୍ରରେ ଅତୁଳନୀୟ ସାବ୍ୟସ୍ତ ହେବ। ଏହା ଜାତୀୟ ତଥା ବିଶ୍ୱ ଅର୍ଥନୀତି ପାଇଁ ଉପଯୋଗୀ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 

ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ସହିତ ଭୁବନେଶ୍ୱରର ଏସଡିଆଇରେ ଆଉ ଦୁଇଟି ଏକାଡେମୀ ପ୍ରତିଷ୍ଠା କରାଯିବ। ଏକାଡେମୀ ପ୍ରଶିକ୍ଷକଙ୍କ ତାଲିମ, କର୍ପୋରେଟ ଟ୍ରେନିଂ, ଅପସ୍କିଲିଂ ଏବଂ ବାଣିଜ୍ୟ ଆଦିର ପରୀକ୍ଷଣ କରିବ। ଯାହା ଦ୍ୱାରା ଇଣ୍ଡିଆ ସ୍କିଲ୍ ଏବଂ ୱାର୍ଲ୍ଡ ସ୍କିଲ୍ ପ୍ରତିଯୋଗିତା ପାଇଁ ସମ୍ଭାବ୍ୟ ପ୍ରତିଯୋଗୀମାନଙ୍କର ଏକ ପୁଲ୍ ସୃଷ୍ଟି ହେବ।

ଶିକ୍ଷକମାନଙ୍କ ପାଇଁ ଏକ ଜାତୀୟ ଦକ୍ଷତା ଏକାଡେମୀ ପ୍ରତିଷ୍ଠା ହେବ, ଯାହା ଶିଳ୍ପର ଉଦୀୟମାନ ଆବଶ୍ୟକତା ସହିତ ସମାନ୍ତରାଳ ଭାବେ ଶିକ୍ଷକ ଏବଂ ମୂଲ୍ୟାଙ୍କନକାରୀଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବ। ଗୁଣାତ୍ମକ ତାଲିମ ପ୍ରୋଗ୍ରାମ, ଶିକ୍ଷାଦାନ ଏବଂ ଚାକିରି ପାଇଁ ଦକ୍ଷତା ତାଲିମ ପ୍ରଦାନ ଲାଗି କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବ। 

ଏନ୍‌ଏସ୍‌ଡିସି ନିର୍ଦ୍ଦେଶକ ବେଦମଣି ତିୱାରୀ ଏବଂ ଇଏଫଏସ୍ ଫାସିଲିଟି ଗ୍ରୁପ୍ ଚେୟାରମ୍ୟାନ ତାରିକ ଚୌହ୍ୱାନଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭାରତରେ ସ୍କିଲିଂ ଏବଂ ଟ୍ରେନିଂ ହବ ପ୍ରତିଷ୍ଠା କରିବାର ସମ୍ଭାବନା ଏବଂ ତାଲିମପ୍ରାପ୍ତ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ୟୁଏଇର ବିଭିନ୍ନ କମ୍ପାନୀର ପ୍ରତିନିଧି ଉପସ୍ଥିତ ଥିଲେ।

Tags: #SkillIndiaInternationalCentre #CentralMinister #DharmendraPradhan #SubratBagchi #RanjanKumarMohapatr #SkillDevelopmet #Employment

LEAVE A REPLY

Please enter your comment!
Please enter your name here