ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ମାସ ବ୍ୟବଧାନ ପରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦେଶରେ ଏବେ କୋଭିଡ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ସବୁଠାରୁ ଅଧିକ କୋଭିଡ ମାମଲା ଦେଖିବାକୁ ମିଳିଛି। ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ସମେତ ଦେଶର ୫ଟି ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଦେଶରେ ପୁଣି ଥରେ କୋଭିଡ ମାମଲା ବିଢ଼ିବା ଆରମ୍ଭ ହୋଇଛି। ଦିଲ୍ଲୀରେ ଏବେ ପରିସ୍ଥିତି ଚିନ୍ତାଜନକ ରହିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ପ୍ରତିଶତ କୋଭିଡ ମାମଲା ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗତ ମଙ୍ଗଳବାର ଦିନ ଦିଲ୍ଲୀରେ ୬୩୨ ଜଣ ନୂତନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଗତ ସୋମବାର ୫୦୧ଟି କୋଭଡ ମାମଲା ସାମ୍ନାକୁ ଆସିଥିଲା। ଦିଲ୍ଲୀରେ ସକ୍ରିୟ ମାମଲା ବୃଦ୍ଧି ପାଇ ୧,୨୭୪ରେ ପହଞ୍ଚିଛି।
ଉତ୍ତରପ୍ରଦେଶରେ ମଧ୍ୟ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୧୬୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଠାରେ ମୋଟ ୭୮୯ଟି ସକ୍ରିୟ ମାମଲା ରହିଛି।
ସେହିପରି ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାର ରିପୋର୍ଟକୁ ଦେଖିଲେ ୧୩୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ଦିନ ୫୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମହାରାଷ୍ଟ୍ରରେ ଗତ ଏକ ସପ୍ତାହ ମଧ୍ୟରେ ମୋଟ ୬୯୩ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ହରିଆଣା ଏବଂ ମିଜୋରାମରେ କୋଭିଡ ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ଵସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସବୁ ରାଜ୍ୟଗୁଡ଼ିକୁ ଆଡଭାଇଜାରୀ ଜାରି କରାଯାଇଛି। ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଦରକାର ପଡ଼ିଲେ କୋଭିଡ ରୋକିବାକୁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ପୂର୍ବ ପରି ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଏବଂ ସାନଇଟାଇଜର ବ୍ୟବହାର କରିବାକୁ କେନ୍ଦ୍ରୀୟ ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରାମର୍ଶ ଦେଇଛନ୍ତି।
Tags: #Covid19 #Corona #CoronaVirus