ଶୁଭଶ୍ରୀ ନାୟକ

କ୍ୟାନ୍‌ସରକୁ ଜିଣିଥିବା ରାଜେଶ୍ଵରୀଙ୍କ ସଂଘର୍ଷମୟ କାହାଣୀକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରୟାସ।

ଓଡ଼ିଆ ଟେଲି ଜଗତର ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ ରାୟ ମହାପାତ୍ର । ଗାଁଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିଏଲ ପ୍ରେମୀଙ୍କ ନିକଟରେ ସେ ଖୁବ୍ ପରିଚିତ। ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କେତେବେଳେ ସେ ହସାଇଛନ୍ତି ତ ଆଉ କେତେବେଳେ କନ୍ଦାଇଛନ୍ତି। ଏବେ ସେ କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସହ ଲଢ଼ି ନୂଆ ଜୀବନ ପାଇଛନ୍ତି।

‘‘ମୁଁ ଛୁଆବେଳୁ ସତ୍ୟକୁ ଗ୍ରହଣ କରିବା ଶିଖିଛି। ଯେତେବେଳେ ମୁଁ ଜାଣିଲି ମତେ କ୍ୟାନ୍‌ସର ହୋଇଛି, ମୁଁ କିଛି ସେକେଣ୍ଡ ପାଇଁ ସ୍ତବ୍ଧ ହୋଇଯାଇଥିଲି ସତ ହେଲେ ପରେ ଏହି ସତ୍ୟକୁ ଗ୍ରହଣ କରି ନେଇଥିଲି। କ୍ୟାନସର ହୋଇଛି ଯଦି ଟ୍ରିଟ୍‌ମେଣ୍ଟ ବି କରିବି’’, ଉତ୍ସାହର ସହ ଓଡ଼ିଶାଲାଇଭ୍‌କୁ କହିଛନ୍ତି ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଚତୁର୍ଥ ଷ୍ଟେଜରେ କ୍ୟାନ୍‌ସର ହୋଇଛି ବୋଲି ମୁଁ ଜାଣିବାକୁ ପାଇଲି। ଏ କଥା ଶୁଣି ମୋ’ ପରିବାର କାଳେ ଦୁଃଖରେ ଭାଙ୍ଗିଯିବ ସେଥିପାଇଁ ମୁଁ ମୋ ସ୍ୱାମୀ ଓ ପରିବାରକୁ ଆଗ କହିଲି। ମତେ କିଏ ସାନ୍ତ୍ୱନା ଦେବା ଆଗରୁ ମୁଁ ସମସ୍ତଙ୍କୁ ସାନ୍ତ୍ୱନା ଦେଲି ଯେ, ବ୍ୟସ୍ତ ହୁଅନି। ତା’ପରେ ମୁଁ ବମ୍ବେ ଯାଇ ଚିକିତ୍ସା କଲି। କଷ୍ଟ ଆସିଛି ତାକୁ ଦୃଢ଼ତାର ସହ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଥିଲି’’।

ରାଜେଶ୍ୱରୀ ଲୋକପ୍ରିୟ ସିରିଏଲ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇଥିଲେ । ସେହିପରି ଅନ୍ୟ ଏକ ଲୋକପ୍ରିୟ ସିରିଏଲ ‘ତୋ ପାଇଁ ମୁଁ’ ସିରିଏଲ୍‌ରେ ତାରା ପଟ୍ଟନାୟକ ଚରିତ୍ରରେ ଅଭିନୟ କରି ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ।

ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ  ପ୍ରବେଶ କରିଥିଲେ। କିନ୍ତୁ ଲେଡି ଭିଲେନ୍‌ ଭାବେ ସେ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି। ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଛି । ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’। ତା’ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଭଳି ଫିଲ୍ମରେ ବି ସେ ନଜର ଆସିଛନ୍ତି। ତାଙ୍କର ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’।

୨୦୧୯ରେ ରାଜେଶ୍ୱରୀ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଥିଲେ ଯେ ସେ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। ସେତେବେଳେକୁ ସେ କ୍ୟାନ୍‌ସରର ଚତୁର୍ଥ ଷ୍ଟେଜ୍‌ରେ ଥିଲେ।

ସେ ଓଡ଼ିଶାଲାଇଭ୍‌କୁ ଆହୁରି ମଧ୍ୟ କହିଛନ୍ତି, ‘‘ନିଜ ପାଇଁ ନ ହେଉ ନିଜ ପରିବାର ଓ ସ୍ୱାମୀ ପାଇଁ ମତେ ବଞ୍ଚିବାର ଥିଲା। ଜୀବନ ମରଣ ଆମ ହାତରେ ନାହିଁ ଏବଂ ମୁଁ କେବେ ଭାବିନି ବି ମୁଁ କେତେ ଦିନ ବଞ୍ଚିବି। ହେଲେ ଯେତିକି ଦିନ ବଞ୍ଚିବି ଖୁସିରେ ବଞ୍ଚିବି।’’

କ୍ୟାନ୍‌ସର ହେବା ପୂର୍ବର ଜୀବନଶୈଳୀ ଓ କ୍ୟାନ୍‌ସର ହେବା ପରର ଜୀବନ ଶୈଳୀ ରାଜେଶ୍ୱରୀଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। କ୍ୟାନ୍‌ସର ପୂର୍ବରୁ ସୁଟିଂର ବ୍ୟସ୍ତତା ଭିତରେ ଓ ଖାଦ୍ୟପେୟର ଅନିୟମିତତା, ଶୋଇବାର ସମୟସୀମାରେ ବହୁତ ଫରକ ଥିଲା। ହେଲେ ବର୍ତ୍ତମାନ ଖାଦ୍ୟପେୟ ଉପରେ ବେଶି ଧ୍ୟାନ, ଠିକ୍‌ ସମୟରେ ଶୋଇବା ଓ ଉଠିବା ଉପରେ ସେ ବିଶେଷ ଧ୍ୟାନ ଦେଉଛନ୍ତି।

ରାଜେଶ୍ୱରୀଙ୍କ ସ୍ୱାମୀ ସଞ୍ଜୟ ମହାପାତ୍ର ବିଦେଶରେ ଚାକିରି କରୁଥିଲେ। ସ୍ତ୍ରୀ ଅସୁସ୍ଥତା ଜାଣି ସେ ଓଡ଼ିଶା ଫେରି ଆସିଥିଲେ। ଖାଲି ସେତିକି ନୁହେଁ, ଆଜି ରାଜେଶ୍ୱରୀଙ୍କ ଭିତରେ ଯେଉଁ ଦୃଢ଼ତା ଦେଖିବାକୁ ମିଳିଛି ତାହା ତାଙ୍କ ସ୍ୱାମୀଙ୍କ ପାଇଁ ସମ୍ଭବ ହୋଇପାରିଛି।

‘‘ଜଣେ ରୋଗୀ ଶାରୀରିକ ଭାବେ ଦୁର୍ବଳ ଥାଏ। ସେହି ସମୟରେ ତାକୁ ମାନସିକ ଭାବେ ଦୃଢ଼ ହେବା ଦରକାର। ଏ ଦାୟିତ୍ୱ ତା’ ପରିବାରର। ତେଣୁ କୌଣସି ରୋଗୀକୁ ବି ଏକା ଛାଡ଼ି ଦିଅନ୍ତୁ ନାହିଁ। ସେମାନଙ୍କ ସହିତ ରହନ୍ତୁ। ସେମାନଙ୍କୁ ପ୍ରେରଣା ଯୋଗାଇ ଦେବା ଦରକାର’’, କହିଛନ୍ତି ରାଜେଶ୍ୱରୀ ରାୟ ମହାପାତ୍ର।

Tags: #Cancer #Life #Succces #RajeswariRayMohapatra

Comment