ଶୁଭଶ୍ରୀ ନାୟକ

ଟେଲିଭିଜନ୍ ପରଦାରେ ସେ ହୁଏତ ଥିଲେ ଜଣେ ଜବରଦସ୍ତ ଖଳନାୟିକା। ନେଗେଟିଭ୍‌ ହସ ସାଙ୍ଗକୁ ଦମଦାର ଡାଇଲଗ୍‌ ପାଇଁ ସେ ଘରେ ଘରେ ଥିଲେ ପରିଚିତା। ପରଦା ଉପରେ ସେ ସିନା ଖଳନାୟିକା ଥିଲେ ହେଲେ ବ୍ୟକ୍ତିଗତ ଭାବେ ସେ ଥିଲେ ବେଶ୍‌ ଖୋଲା ହୃଦୟର ମଣିଷ ଟେ। କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗରେ ପୀଡ଼ିତ ହୋଇ ସେ ଯେମିତି ହସି ହସି ବଞ୍ଚୁଥିଲେ ତାହା ଆଜି ସମସ୍ତଙ୍କ ପାଇଁ ଶିଖିବାର କଥା।

ପ୍ରାୟ ୨ ବର୍ଷ ପୂର୍ବେ ଓଡ଼ିଶାଲାଇଭ୍‌ରେ ତାଙ୍କ ଏକ ଛୋଟ ସାକ୍ଷାତକାର ଦେଖିଥିଲି। ଯାହାର ଟାଇଟଲ ଥିଲା ‘ମୃତ୍ୟୁର ପାହାଚ’ରେ ଜୀବନ। ସେତେବେଳେ ମୁଁ ତାଙ୍କ ବିଷୟରେ ବେଶୀ କିଛି ଜାଣିନଥିଲି। କିନ୍ତୁ ତାଙ୍କ ଜୀବନ କାହାଣୀ ମତେ ବେଶ୍‌ ଆକର୍ଷିତ କରିଥିଲା। ମୃତ୍ୟୁର ପାହାଚର ଛିଡ଼ା ହୋଇ ଜଣେ ମଣିଷ ଯେ ଏମିତି ବିନ୍ଦାସ ଜୀବନକୁ ଜୀଇଁ ପାରେ ଏ ସାହସ ମୁଁ ତାଙ୍କଠାରେ ହିଁ ଦେଖିଥିଲି।

ଆଉ ଏଇ ୪ ମାସ ର୍ପୂର୍ବେ ଅର୍ଥାତ୍‌ ଏପ୍ରିଲ ମାସରେ ମତେ ତାଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ତାଙ୍କ ସହିତ ମୋର ଏକ ସ୍ୱତନ୍ତ୍ର ସାକ୍ଷତାକର ହୋଇଥିଲା। ଏ ସମୟରେ ଅନ୍ କ୍ୟାମେରା ତ ଆମେ ବହୁତ ଲମ୍ବା କଥା ହୋଇଥିଲୁ। କିନ୍ତୁ ତା’ଠୁ ଅଧିକ କଥାବାର୍ତ୍ତା ବୋଧେ ଅଫ୍‌ କ୍ୟାମେରାରେ ହୋଇଥିଲା। ପୂର୍ବରୁ ୨/୩ ଥର ଫୋନ କଲ୍‌ ତା’ପରେ ତାଙ୍କ ସହିତ ଥରେ ଦେଖା, ବାସ୍‌ ଏତେ କମ୍‌ ସମୟରେ ସେ ଯେମିତି ମୋର ଅତି ଘନିଷ୍ଠ ହୋଇପଡ଼ିଥିଲେ।

ସେଦିନ ମୁଁ ତାଙ୍କୁ ପଚାରିଥିଲି, ମାଡାମ୍‌ ସତ କହିବେ, ଆପଣଙ୍କୁ ସତରେ ଡର ଲାଗେନି? ସେ ହସି ହସି ଉତ୍ତର ଦେଇଥିଲେ, ‘‘ମୁଁ ସତକୁ ଗ୍ରହଣ କରିବା ଶିଖିଛି। ଯେତେବେଳେ ଆମେ ସତକୁ ଗ୍ରହଣ କରିନିଅନ୍ତି ତା’ପରେ ଆଉ ଡର ଲାଗେନି। ଜୀବନ, ମୃତ୍ୟୁ ସୁନିଶ୍ଚିତ। ଏଥିରେ ଡରିବି କାହିଁକି? ଯେତିକି ଦିନ ବଞ୍ଚିବି ଖୁସିରେ ରହିବି’’।

ସେଦିନ ତାଙ୍କର ଏ ପଦକ କଥା ମତେ ଭାରି ଆଶ୍ଚର୍ଯ୍ୟ କରିଥିଲା। ଯେଉଁଠି ଆମେ ଛୋଟିଆ ଅସୁବିଧା ଟେ ହେଲେ ଡରି ଯାଆନ୍ତି ସେଇଠି ରାଜେଶ୍ୱରୀ ଏତେ ବଡ଼ ଦୁଃଖରେ ଥାଇ ବି ନିଜକୁ ଦୃଢ଼ କରିପାରିଥିବା ଦେଖି ମନେ ମନେ ବେଶ୍‌ ଖୁସି ମଧ୍ୟ ଲାଗିଥିଲା।

ଆପଣ ଦେଖିଥିବେ ଅନେକ ଲୋକ କ୍ୟାନ୍ସରର ନାଁ ଶୁଣିଲେ ଡରି ଯାଆନ୍ତି, ଭାଙ୍ଗି ପଡ଼ନ୍ତି।  କିନ୍ତୁ ରାଜେଶ୍ୱରୀ ପ୍ରାୟ ୪ ବର୍ଷ ଏହି ରୋଗ ସହ ଲଢ଼ିଛନ୍ତି। ତେଣୁ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ରାଜେଶ୍ୱରୀଙ୍କ ଦମ୍ଭ ତାଙ୍କୁ ଏତେ ଦିନ ବଞ୍ଚାଇ ରଖିପାରିଥିଲା କହିଲେ କିଛି ଭୁଲ ହେବ ନାହିଁ। ଖାଲି ସେିତିକି ନୁହେଁ ଯାଉ ଯାଉ ସେ ସମସ୍ତଙ୍କୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇ ଯାଇଥିଲେ।

କହିଥିଲେ,  ‘‘ଜଣେ ରୋଗୀ ଶାରୀରିକ ଭାବେ ଦୁର୍ବଳ ଥାଏ। ସେହି ସମୟରେ ତାକୁ ମାନସିକ ଭାବେ ଦୃଢ଼ ହେବା ଦରକାର। ଏ ଦାୟିତ୍ୱ ତା’ ପରିବାରର। ତେଣୁ କୌଣସି ରୋଗୀକୁ ବି ଏକା ଛାଡ଼ି ଦିଅନ୍ତୁ ନାହିଁ। ସେମାନଙ୍କ ସହିତ ରହନ୍ତୁ। ସେମାନଙ୍କୁ ପ୍ରେରଣା ଯୋଗାଇ ଦେବା ଦରକାର’’।

ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲରେ ରାଜେଶ୍ୱରୀଙ୍କ ସାକ୍ଷାତକାର ରହିଛି। ଏହା ସମ୍ଭବତଃ ତାଙ୍କର ଶେଷ ଦୀର୍ଘ ସାକ୍ଷାତକାର। ଏଥିରେ ସେ ତାଙ୍କର ଛାତ୍ର ଜୀବନ, ଅଭିନୟ ଜୀବନର ଆରମ୍ଭ, ବିବାହ ଏବଂ ଜୀବନର ବିଭିନ୍ନ ସଂଘର୍ଷ ତଥା ମୋଡ଼ ସମ୍ପର୍କରେ ଅତି ସୁନ୍ଦର ଭାବେ ଖୋଲି କହିଛନ୍ତି।

ରାଜେଶ୍ୱରୀଙ୍କ ସ୍ୱାମୀ ସଞ୍ଜୟ ମହାପାତ୍ର ବିଦେଶରେ ଚାକିରି କରୁଥିଲେ। ସ୍ତ୍ରୀ ଅସୁସ୍ଥତା ଜାଣି ସେ ଓଡ଼ିଶା ଫେରି ଆସିଥିଲେ। ଖାଲି ସେତିକି ନୁହେଁ, ଆଜି ରାଜେଶ୍ୱରୀଙ୍କ ଭିତରେ ଯେଉଁ ଦୃଢ଼ତା ଦେଖିବାକୁ ମିଳିଛି ତାହା ତାଙ୍କ ସ୍ୱାମୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।

ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ  ପ୍ରବେଶ କରିଥିଲେ। କିନ୍ତୁ ଲେଡି ଭିଲେନ୍‌ ଭାବେ ସେ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି। ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଛି । ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’। ତା’ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଭଳି ଫିଲ୍ମରେ ବି ସେ ନଜର ଆସିଛନ୍ତି। ତାଙ୍କର ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’।

ଓଡ଼ିଶାଲାଇଭ୍‌ରେ ଅପଲୋଡ୍‌ ହୋଇଥିବା ରାଜେଶ୍ୱରୀଙ୍କ ସାକ୍ଷାତକାରଟିକୁ ଏଯାବତ୍‌ ପ୍ରାୟ ୩ ଲକ୍ଷ ୧୭ ହଜାରରୁ ଅଧିକ ଦର୍ଶକ ଦେଖିଛନ୍ତି। ଏଥିରେ ପ୍ରାୟ ୨୦୦ରୁ ଅଧିକ ବ୍ୟକ୍ତିଙ୍କ କମେଣ୍ଟ ରହିଛି। ଏଥିରୁ ଜଣା ପଡ଼େ ଯେ ସେ ସିନା ଖଳନାୟିକା ଭୂମିକାରେ ଅଭିନୟ କରୁଥିଲେ କିନ୍ତୁ ଦର୍ଶକ ତାଙ୍କୁ ଜଣେ ଭଲ ମଣିଷ ହିସାବରେ ଗ୍ରହଣ କରି ନେଇଥିଲେ।

Comment