ଓଡ଼ିଶାଲାଇଭ୍ ବ୍ୟୁରୋ

ତତଲା କଢ଼େଇରେ ଏବେ ଓଡ଼ିଶା। ଅସହ୍ୟ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ତାପରୁ ନିସ୍ତାର ମିଳିବ ନାହିଁ ଓଡ଼ିଶାକୁ। ପ୍ରତିଦିନ ତାପମାତ୍ରାରେ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୪.୫ ଡିଗ୍ରୀ ରହିଛି।

ସେହିପରି ଝାରସୁଗୁଡ଼ା, ବାରିପଦା, ବଲାଙ୍ଗିର ସୋନପୁର, ଟିଟିଲାଗଡ଼, ତାଳଚେର, ଅନୁଗୁଳ, ସମ୍ବୁଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି।

ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି। ପ୍ରତିଦିନ ତାପମାତ୍ରା ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହେଉଛି। ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରାଯାଉଛି।

ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ହିଟଓ୍ୱେଭ୍ ପ୍ରଭାବ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତାପମାତ୍ରା ବୃଦ୍ଧିକୁ ନେଇ କିଛି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଆବଶ୍ୟକ ନହେଲେ ଘରୁ ବାହାରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Tags: #Weather #Summer #HeatWave

Comment