ଓଡ଼ିଶାଲାଇଭ୍ ବ୍ୟୁରୋ

ଆଳୁ ଏବଂ କ୍ଷୀର ମୂଲ୍ୟରେ ବୃଦ୍ଧି ପରେ ଟମାଟୋର ମୂଲ୍ୟରେ ଆଶାତିତ ଭାବେ ବୃଦ୍ଧି ହୋଇଛି। ହଠାତ୍ ଟମାଟୋ ମୂଲ୍ୟ ୪୦ରୁ ୮୦ ଟଙ୍କାରେ ପହଞ୍ଚିଛି। ଟମାଟୋ ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ବ୍ୟାଗରୁ ଏବେ ଟମାଟୋ ଗାଏବ ହେବାକୁ ବସିଛି।

ହଠାତ୍ ବଢ଼ିଲା ଟମାଟୋ ଦର। ଗୋଟିଏ ଦିନରେ ଟମାଟୋ କିଲୋଗ୍ରାମ ପ୍ରତି ୪୦ ଟଙ୍କାରୁ ୮୦ ଟଙ୍କାରେ ପହଞ୍ଚିଲା। ଏହି ମୂଲ୍ୟ ବୃଦ୍ଧି ବିଷୟରେ ଶୁଣି ଗ୍ରାହକ ଛାନିଆଁ ହୋଇଛନ୍ତି। ଏବେ ଭୁବନେଶ୍ଵର ଏବଂ କଟକ ଗ୍ରାହକ ୭୦ରୁ ୮୦ ଟଙ୍କା ଦେଇ ଟମାଟୋ କିଣୁଥିବାବେଳେ ଗ୍ରାମାଞ୍ଚଳ ଏବଂ ଅନ୍ୟ ସହରଗୁଡ଼ିକରେ ୬୫ରୁ ୭୫ ଟଙ୍କା ଦେଇ ୧ କିଲୋଗ୍ରାମ ଟମାଟୋ କିଣିବାକୁ ପଡ଼ୁଛି।

ଗୁରୁବାର ସକାଳୁ ସକାଳୁ ପରିବା ବଜାରକୁ ଯାଇଥିବା କିଛି ଗ୍ରାହକ ଟମାଟୋ ମୂଲ୍ୟ ବୃଦ୍ଧି ବିଷୟରେ ଶୁଣି ଚମକି ପଡ଼ିଛନ୍ତି। ଗୋଟିଏ କେଜି ଟମାଟୋ ଘରକୁ ନେଉଥିବା ଗ୍ରାହକ ଏବେ ଓଜନ କମାଇ ଟମାଟୋ କିଣିବା କଥା ଚିନ୍ତା କରୁଛନ୍ତି। ଗତ ସପ୍ତାହରେ ବଜାରରେ ଟମାଟୋ କିଲୋଗ୍ରାମ ପ୍ରତି ୩୦ରୁ ୪୦ ଟଙ୍କା ରହିଥିଲା। ହଠାତ୍ ଟମାଟୋ ମୂଲ୍ୟରେ ଦୁଇଗୁଣା ବୃଦ୍ଧି ଦେଖି ଗ୍ରାହକ ଚିନ୍ତାରେ ପଡ଼ିଯାଇଛନ୍ତି।

କାହିଁକି ବଢ଼ିଲା ଟମାଟୋ ଦର?

ଚଳିତ ବର୍ଷ ଓଡ଼ିଶାରେ ଟମାଟୋ ଉତ୍ପାଦନ ଭଲ ହୋଇପାରିନାହିଁ। ଯାହା ଟମାଟୋ ଫସଲ ହୋଇଥିଲା ତାକୁ ସଂରକ୍ଷଣ କରାଯାଇପାରିଲା ନାହିଁ। ଫଳରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାକୁ ଅସମର୍ଥ ହୋଇଛି ଓଡ଼ିଶା ଟମାଟୋ। ଏହି ଆବଶ୍ୟକତା ପୂରଣ କରିବାକୁ ରାଜ୍ୟକୁ ଛତିଶଗଡ଼ର ରାୟପୁର, କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରର ନାସିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ସ୍ଥାନଗୁଡ଼ିକରୁ ଟମାଟୋ ଆମଦାନୀ କରାଯାଇ ଓଡ଼ିଶା ବଜାରରେ ବିକ୍ରି କରାଯାଉଛି। କିନ୍ତୁ ଏହି ତିନି ସ୍ଥାନରେ ମଧ୍ୟ ଚଳିତ ବର୍ଷ ଟମାଟୋ ଉତ୍ପାଦନ କମ୍ ହୋଇଛି। ଫଳରେ ଏହି ରାଜ୍ୟଗୁଡ଼ିକରେ ନିଅଣ୍ଟିଆ ସ୍ଥିତି ଥିବାରୁ ଓଡ଼ିଶାକୁ ଠିକ୍ ଭାବେ ଟମାଟୋ ଯୋଗାଣ ହୋଇପାରୁ ନାହିଁ। ତେଣୁ ଟମାଟୋ ମୂଲ୍ୟରେ ବୃଦ୍ଧି କରାଯାଇଥିବା କହିଛନ୍ତି ଭୁବନେଶ୍ଵରର ପନିପରିବା ବ୍ୟବସାୟୀ ମହାସଂଘ।

ମାର୍ଚ୍ଚରେ ୨ ଟଙ୍କା ମେ’ରେ ୮୦ ଟଙ୍କା ଟମାଟୋ କେଜି

୨୦୨୨ ମସିହା ମାର୍ଚ୍ଚ ମାସରେ ଟମାଟୋ କିଲୋଗ୍ରାମ ପ୍ରତି ୨ ଟଙ୍କାରେ ବିକ୍ରି ହେଉଥିଲା। ଏପରିକି ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଟମାଟୋ ଟ୍ରେ’ ପିଛା ୨୫ରୁ ୩୦ ଟଙ୍କା ବିକ୍ରି କରିଥିଲେ। ମୂଲ୍ୟ ନମିଳିବାରୁ ଚାଷୀ କୁଢ଼କୁଢ଼ ଟମାଟୋ ରାସ୍ତାକଡ଼ରେ ଗଦାକଲେ। ଯାହା ଟମାଟୋ ଆମଦାନୀ କରି ବିକ୍ରି ପାଇଁ ଆଶା କରିଥିଲେ ଗତ କିଛି ଦିନ ଧରି ଲାଗି ରହିଥିବା ଅସହ୍ୟ ତାତି ଯୋଗୁଁ ତାହା ପଚି ନଷ୍ଟ ହୋଇଗଲା। ଆବଶ୍ୟକ ସଂରକ୍ଷଣ ଅଭାବରୁ ଟମାଟୋକୁ ଚାଷୀମାନେ ସୁରକ୍ଷିତ ରଖିବାରେ ଅସମର୍ଥ ହେଲେ। ଟମାଟୋର ନିଅଣ୍ଟିଆ ପରିସ୍ଥିତି ଯୋଗୁଁ ଏବେ କିଲୋଗ୍ରାମ ପିଛା ୮୦ ଟଙ୍କା ହୋଇଛି ଟମାଟୋ ମୂଲ୍ୟ।

ଟମାଟୋର ପ୍ରଭାବ ଏବେ ଅନ୍ୟ ପରିବା ଉପରେ

ଟମାଟୋ ମୂଲ୍ୟରେ ହଠାତ୍ ବୃଦ୍ଧି ହେବା ପରେ ଏହାର ପ୍ରଭାବ ଅନ୍ୟ ପନିପରିବା ଉପରେ ପଡ଼ିଛି। ପରିବା ଦୋକାନୀଙ୍କଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ପରିବା ମୂଲ୍ୟରେ ବୃଦ୍ଧି କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଆଳୁ କିଲୋଗ୍ରାମ ପ୍ରତି ୨୫ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ସବୁଜ ପରିବା ମୂଲ୍ୟ କିଲୋଗ୍ରାମ ପିଛା ୪୦ରୁ ୫୦ ଟଙ୍କା ରହିଛି। କେବଳ ଭେଣ୍ଡି କିଲୋଗ୍ରାମ ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି।

ଚାଷ ଜମିରେ ସଢ଼ିଲା ଟମାଟୋ

ଟମାଟୋ ଉତ୍ପାଦନ ସମୟରେ ଟମାଟୋର ମୂଲ୍ୟ ବହୁତ କମ୍ ରହିଥିଲା। ଏପରିକି ଗତ ମାର୍ଚ୍ଚ ମାସରେ ଟମାଟୋ କିଲୋଗ୍ରାମ ପ୍ରତି ୨ରୁ ୫ ଟଙ୍କାରେ ବିକ୍ରି ହେଉଥିଲା। ପରିଶ୍ରମ ଅନୁସାରେ ଚାଷୀଙ୍କୁ ଟମାଟୋ ଉତ୍ପାଦନର ମୂଲ୍ୟ ମିଳିଲା ନାହିଁ। ଟ୍ରେ’ ଟ୍ରେ’ ଟମାଟୋକୁ ୨୫ରୁ ୩୦ ଟଙ୍କାରେ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଲେ। ଅନେକ ଚାଷୀ ଟମାଟୋ ଅମଳ ନକରି ଚାଷ ଜମିରେ ଛାଡ଼ି ଦେଲେ। ଟମାଟୋ ସବୁକୁ କିଛି ଗାଈ ଗୋରୁ ଖାଇଲେ, ଆଉ କିଛି ଚାଷ ଜମିରେ ପଚି ନଷ୍ଟ ହେଲା। ସଂରକ୍ଷଣ ଅଭାବରୁ ଏବେ ରାଜ୍ୟରେ ଟମାଟୋର ଅଭାବ ଦେଖାଦେଇଥିବାବେଳେ ଏଥିପାଇଁ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି।

ଆଗକୁ ବାତ୍ୟା ସମ୍ଭାବନା ରହିଥିବାରୁ ଟମାଟୋ ସହ ଅନ୍ୟ ପନିପରିବା ମୂଲ୍ୟ ବଢ଼ିଥିବା କୁହାଯାଉଥିବେଳେ ପନିପରିବାର ନିଅଣ୍ଟିଆ ପରିସ୍ଥିତି ଯୋଗୁଁ ଦର ବୃଦ୍ଧି ହୋଇଛି ଏବଂ ଆଗକୁ ଏହି ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପରିବା ବ୍ୟବସାୟୀମାନେ କହିଛନ୍ତି।

Tags: #Tomato #TomatoCultivation #TomatoPriceHike #OdishaMarket #Vegatable

Comment