ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଖୁ ଦେଖୁ ୧୦୦ ଟଙ୍କା ଟପିଲା ଟମାଟୋ ଦର। କିଲୋ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଆଜି ୧୨୦ ଟଙ୍କାରେ ବିକ୍ରି ହେଉଛି।

ଟମାଟୋ ଦର ଶୁଣି ଛାନିଆଁ ହୋଇଛନ୍ତି ସାଧାରଣ ଗ୍ରାହକ। ରାଜ୍ୟର ବିଭିନ୍ନ ଖୁଚୁରା ବଜାରରେ ଏବେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ଭୁବନେଶ୍ଵର ୧ ନମ୍ବର ମାର୍କେଟରେ ଟମାଟୋ କିଲୋ ପିଛା ୯୦ରୁ ୧୦୦ ଟଙ୍କା ରହିଛି।

କଟକରେ ଟମାଟୋ କିଲୋ ପିଛା ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବ୍ରହ୍ମପୁର, ବାଲେଶ୍ଵରର ବିଭିନ୍ନ ବଜାରରେ ଟମାଟୋ କିଲୋ ୧୦୦ ଟଙ୍କା ରହିଛି। ସେହିପରି ରାଉରକେଲାରେ ଟମାଟୋ କିଲୋ ୯୦ ଟଙ୍କାରେ ବିକ୍ରି ହେଉଥିବାବେଳେ ସମ୍ବଲପୁରରେ ୮୦ରୁ ୯୦ ଟଙ୍କା ରହିଛି।

ରୋଷେଇ ଘରେ ଟମାଟୋର ଚାହିଦା ଢେର ଅଧିକ। ଏବେ ଟମାଟୋ ମୂଲରେ ବୃଦ୍ଧି ହୋଇଥିବାରୁ ଏହାକୁ ନେଇ ଗୃହିଣୀମାନଙ୍କର ଚିନ୍ତା ବଢ଼ିଯାଇଛି। ବଢାଇଛି।

“ସାଧାରଣତଃ ବେଙ୍ଗାଳୁରୁ ଏବଂ ଛତିଶଗଡ଼ରୁ ଓଡ଼ିଶାକୁ ଟମାଟୋ ଆସିଥାଏ। କିନ୍ତୁ ବେଙ୍ଗାଳୁରୁରେ ଏବେ ପୋକ ଲାଗି ଟମାଟୋ ଚାଷ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଗୋଟିଏ ଗଛରୁ ୭ରୁ ୮ କେଜି ଟମାଟୋ ଉତ୍ପାଦନ ହେଉଥିବାବେଳେ ଏବେ ମାତ୍ର କେଜିଏରୁ ଦେଢ଼ କେଜି ବାହାରୁଛି। ଉତ୍ପାଦନ ହ୍ରାସ ଯୋଗୁଁ ଟମାଟୋ ମୂଲ୍ୟରେ ଢେର ବୃଦ୍ଧି ହୋଇଛି। ତେଣୁ ଓଡ଼ିଶା ପାଇଁ ଯେତିକି ଟମାଟୋ ଆବଶ୍ୟକ ବର୍ତ୍ତମାନ ତା’ର ମାତ୍ର ୧୦ ପ୍ରତିଶତ ରାଜ୍ୟକୁ ଆମଦାନୀ ହେଉଛି”, କହିଛନ୍ତି କଞ୍ଚାପରିବା ବ୍ୟବସାୟୀ ମହାସଂଘ ସଭାପତି କବିରାଜ ସ୍ଵାଇଁ।

ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ଓଡ଼ିଶାରେ ଟମାଟୋ ଉତ୍ପାଦନ ହୋଇଥାଏ। ଫଳରେ ଟମାଟୋ ଦର ସ୍ଵାଭାବିକ ରୁହେ। କିନ୍ତୁ ବର୍ଷର ଅନ୍ୟ ସମୟରେ ବେଙ୍ଗାଳୁରୁ ଏବଂ ଛତିଶଗଡ଼ରୁ ଓଡ଼ିଶାକୁ ଟମାଟୋ ଆମଦାନୀ ହୋଇଥାଏ। ଫଳରେ ଏହି ଦୁଇ ରାଜ୍ୟରେ ଉତ୍ପାଦନ ପ୍ରଭାବିତ ହେଲେ ଦର ବଢ଼ିଥାଏ। ଅତ୍ୟଧିକ ଗରମ, ଉତ୍ପାଦନ ହ୍ରାସ, ବିଳମ୍ବ ମୌସୁମୀ ଏବଂ ବର୍ଷାର ଅଭାବ ଯୋଗୁଁ ଟମାଟୋ ମୂଲ୍ୟର  ବୃଦ୍ଧିର ଆଉ ଏକ କାରଣ। କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଏବେ ଟମାଟୋ ମୂଲ ବେଶ ବଢ଼ିଛି ବୋଲି କଞ୍ଚାପରିବା ବ୍ୟବସାୟୀ କୁହନ୍ତି।

Tags: #Food #Tomato #TomatoPriceHike #Odisha

LEAVE A REPLY

Please enter your comment!
Please enter your name here