ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କୃଷି ବିଜ୍ଞାନୀ ନହେଲେ ମଧ୍ୟ ନିଆରା ମଣିଷଟିଏ ହେଉଛନ୍ତି ପଶ୍ଚିମବଙ୍ଗର ବିଶିଷ୍ଟ ପରିବେଶ ବିଜ୍ଞାନୀ ଡକ୍ଟର ଦେଓଲ ଦେଓ। କେବଳ ପରୀକ୍ଷା କରି ଅନୁଭୂତି ସାଉଣ୍ଟିବା ପାଇଁ ମାଟିରେ ହଜାଇ ଦେଇଛନ୍ତି ସାରା ଜୀବନ।
ପ୍ରାୟ ୧,୫୦୦ ପ୍ରଜାତିର ବିରଳ ଦେଶୀ ଧାନ ବିହନ ସଂରକ୍ଷଣ କରିବାରେ ସଫଳତା ମଧ୍ୟ ପାଇଛନ୍ତି ଡକ୍ଟର ଦେଓ। ଡକ୍ଟର ଦେଓଲ ଦେଓଙ୍କ ଜନ୍ମ ପଶ୍ଚିମବଙ୍ଗର ବାରାକପୁରରେ। କିନ୍ତୁ କର୍ମଭୂମୀ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକର ଏକ ନିପଟ ମଫସଲ ଗାଁ କେରାଣ୍ଡିଗୁଡ଼ା। ନିଜର ୨୫ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଦୀର୍ଘ ୧୨ ବର୍ଷ ଧରି ଏହି ଗାଁରେ ତାଙ୍କର ସାଧନା ଜାରି ରଖିଛନ୍ତି। ମାଟିର ବାସ୍ନାରୁ ସେ ଜାଣି ପାରନ୍ତି କେଉଁ କିସମର ଧାନର ଆବଶ୍ୟକତା ରହିଛି କ୍ଷେତ ପାଇଁ।
କହିବାକୁ ଗଲେ ପ୍ରକୃତି ପ୍ରଦତ୍ତ ଜୀବଜଗତକୁ ଅତି ପାଖରୁ ଅନୁଧ୍ୟାନ କରିଛନ୍ତି ସେ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କେରାଣ୍ଡିଗୁଡ଼ାରେ ଗ୍ରାମବାସୀଙ୍କ ୩ ଏକର ଜମିକୁ ସେ ନିଜର ପ୍ରୟୋଗଶାଳା କରି ପାରମ୍ପାରିକ ବିହନକୁ ସଂରକ୍ଷଣ କରିବାର ଅହରହ ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୧,୫୦୦ ପ୍ରକାର ଦେଶୀ ଧାନ ସଂରକ୍ଷଣ କରିବା ସହ ୫୫୮ ପ୍ରଜାତିର ଧାନ ଉପରେ ଗବେଷଣା କରି ବିଷ୍ମୟକର ତଥ୍ୟ ପ୍ରକାଶ କରି ସାରା ଦେଶରେ ଚର୍ଚ୍ଚିତ ହୋଇପାରିଛନ୍ତି।
ଏହି ମାଟିରେ ପାରମ୍ପରିକ ଦେଶୀ ବିହନ ଧୀରେ ଧୀରେ ତା’ର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଅଧିକ ଅମଳ ଆଶାରେ କ୍ଷେତରେ ରାସାୟନିକ ସାର ପ୍ରୟୋଗ କରି ବିଷ ବଳୟ ମଧ୍ୟରେ ପାରମ୍ପାରିକ ବିହନଠାରୁ ଦୂରେଇ ବସିଲେଣି ଆଜିର ଚାଷୀକୂଳ। ପୁଣି ଥରେ ଜୈବିକ ସାର ସହ ପାରମ୍ପରିକ ବିହନ ଚାଷକୁ ପ୍ରବର୍ତ୍ତାଇବା ପାଇଁ ସୁଦୂର କଲିକତାରୁ ଆସି ଚାଷୀଙ୍କୁ ପ୍ରେରଣା ଦେଇଚାଲିଛନ୍ତି ଡକ୍ଟର ଦେଓଲ ଦେଓ।
କେବଳ ପ୍ରେରଣା ନୁହେଁ, ନିଜ ପ୍ରୟୋଗଶାଳାରେ ପ୍ରମାଣ କରି ଦେଖାଇଛନ୍ତି ସାମ୍ପ୍ରତିକ ସ୍ଥିତିରେ ଚାଷର କୌଶଳ। କେରାଣ୍ଡିଗୁଡ଼ାରେ ରହିଛି ଦେଓଲ ଦେଓଙ୍କ ଗୋଟିଏ ନଡ଼ା ଛପର ଘରଟିଏ। ଘର ଚାରିପଟେ ୩ ଏକର ଜମିକୁ ପ୍ରୟୋଗଶାଳା କରି ନିଜର ଅନୁଧ୍ୟାନ ଜାର ରଖିଛନ୍ତି। ଦେଓଲଙ୍କ ପ୍ରୟୋଗଶାଳାର ନିୟମ ଟିକେ ଭିନ୍ନ। ଏଠି ବିହନ ବିକ୍ରି ହୁଏନି, ବିହନ ବଦଳରେ ଦୁଇଗୁଣ ସମାନ କିଶମର ବିହନ ଚାଷୀଙ୍କ ଠାରୁ ଆଦାୟ କରାଯାଇଥାଏ।
ମାତ୍ର ୩ ଏକର ଜମିରେ ୧,୫୦୦ ପ୍ରକାର ଅତି ପୁରାତନ ଧାନ ବିହନ ଉତ୍ପାଦନ କରି ଚାଷୀଙ୍କୁ ଯୋଗାଇ ଚାଲିଛନ୍ତି ଦେଶୀ ଧାନ ବିହନ। ସେ କୁହନ୍ତି ଅଧିକ ଅମଳ ଦେଉଥିବା ବିହନ ବୁଣିବା ଦ୍ୱାରା ଜମିକୁ ଅଧିକ ରାସାୟନିକ ସାରର ଆବଶ୍ୟକତା ପଡ଼ିଥାଏ। ଫଳରେ ପର୍ଯ୍ୟାୟକ୍ରମେ ଜମିର ଉର୍ବରତା ହ୍ରାସ ପାଇଥାଏ। ଯଦ୍ୱାରା ଦୀର୍ଘ ବର୍ଷ ଧରି ଏହାର ବ୍ୟବହାର ଯୋଗୁଁ ମାଟି ମା’ ବନ୍ଧ୍ୟା ହେବାରେ ଲାଗିଛି।
Tags: #Cultivation #PaddyProcurment #DrDeolDeo #Rayagada