ଓଡ଼ିଶାଲାଇଭ୍ ବ୍ୟୁରୋ

  • ବୈଷୟିକ ଶିକ୍ଷା କ୍ଷେତ୍ରର ହେବ ରୂପାନ୍ତର
  • ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
  • ୩ ବର୍ଷରେ ଖର୍ଚ୍ଚ ହେବ ୧,୫୦୦ କୋଟି ଟଙ୍କା
  • ଆଗାମୀ ୫ ବର୍ଷରେ ୧୦ ହଜାର ବିଦ୍ୟାର୍ଥୀଙ୍କୁ ମିଳିବ ସୁଯୋଗ

ଓଡ଼ିଶାର ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ଵବିଦ୍ୟାଳୟ(ଓୟୁଟିଆର୍)ର ନବକଳେବର ହେବ। ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟି ଭାବେ ପରିଚିତ ଥିଲା। ଭିତ୍ତିଭୂମିଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ରୂପାନ୍ତର ହେବ। ୩ ବର୍ଷ ମଧ୍ୟରେ ୩ଟି ପର୍ଯ୍ୟାୟରେ ଏଥିପାଇଁ ୧,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ପ୍ରଥମ ବର୍ଷରେ ୧୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଆଇଆଇଏମ୍, ଆଇଆଇଟି ଏବଂ ଏନଆଇଟି ଭଳି ବୈଷୟିକ ଅନୁଷ୍ଠାନ ପରି ଓୟୁଟିଆରର ବିକାଶ କରାଯିବାକୁ ଲକ୍ଷ୍ୟ ରହିଛି। ଓୟୁଟିଆରର ବିକାଶ ନିମନ୍ତେ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନକୁ ମଙ୍ଗଳବାର ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବର୍ତ୍ତମାନ ଓୟୁଟିଆରରେ ୪,୬୦୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଓୟୁଟିଆରକୁ ଆଇଆଇଟି ଢାଞ୍ଚାରେ ବିକାଶ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓୟୁଟିଆରର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବିଶ୍ଵବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ମାନ ଉପରେ ଗୁରୁତ୍ଵ ଦେଇଛନ୍ତି।

ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ଵବିଦ୍ୟାଳୟ ସହ ସହଭାଗିତାରେ କାର୍ଯ୍ୟ କରାଯିବ। ପ୍ରଯୁକ୍ତି ବିଦ୍ୟା ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଷ୍ଟାର୍ଟଅପ୍ କଲଚରକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ପାଇଁ ଧ୍ୟାନ ଦିଆଯିବ।

ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ଓୟୁଟିଆର(ସିଇଟି) ପରିଦର୍ଶନ କରି ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଅନୁଷ୍ଠାନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓୟୁଟିଆରର ରୂପାନ୍ତର ସମ୍ପର୍କୀତ ଏକ ଉପସ୍ଥାପନା ରଖିଥିଲେ। ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଓୟୁଟିଆରର ଓଏସଡି ଡକ୍ଟର ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Tags: #OUTR #OUTRTransformation #Engineering #Education #Odisha #CET #CMOdisha

Comment