ଓଡ଼ିଶାଲାଇଭ୍ ବ୍ୟୁରୋ

ମୃତ୍ତିକା ସଂରକ୍ଷଣ ନିମନ୍ତେ ବିଶ୍ଵବାସୀଙ୍କୁ ସଚେତନ କରିବା ପାଇଁ ପରିବେଶବିତ ତଥା ଆଧ୍ୟାତ୍ମିକ ଗୁରୁ ସଦଗୁରୁ ୧୦୦ ଦିନର ବାଇକ୍ ଯାତ୍ରାରେ ବାହାରିଛନ୍ତି। ବାଇକ୍‌ରେ ସଦଗୁରୁ ୨୭ଟି ଦେଶରେ ପହଞ୍ଚି ଲୋକଙ୍କୁ ମୃତ୍ତିକା ସଂରକ୍ଷଣ ସମ୍ପର୍କରେ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା କାଳରେ ସଦଗୁରୁ ଲଣ୍ଡନରୁ ବାଇକରେ ବାହାରି ବାହାରିନରେ ପହଞ୍ଚିଥିଲେ।

ସଦଗୁରୁ ବାହାରିନରେ ପହଞ୍ଚିବା ପରେ ବାହାରିନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରବାସୀ ଭାରତୀୟମାନଙ୍କ ସହ ମୃତ୍ତିକା ସଂରକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ। ସଦଗୁରୁ କହିଥିଲେ କେବଳ ଭାରତ ନୁହେଁ ସମଗ୍ର ବିଶ୍ଵ ମୃତ୍ତିକା ସଂରକ୍ଷଣ ସମ୍ପର୍କରେ ସଚେତନ ହେବା ଆବଶ୍ୟକ।

ମାଟିରେ ରାସାୟନିକ ସାର ବ୍ୟବହାର କରିବା ଦ୍ଵାରା ମାଟି ତା’ର ଅସ୍ତିତ୍ଵ ହରାଉଛି। ଫଳରେ ଧୀରେ ଧୀରେ ଉର୍ବର କ୍ଷେତ ଭଲ ଫସଲ ପାଇଁ ସକ୍ଷମ ହେଉନାହିଁ। କୌଣସି ବି ଦେଶରେ ଜୈବିକ କ୍ଷେତକୁ ପ୍ରାଧାନ୍ୟ ଦିଆଯାଉ ନାହିଁ। ମାଟିର ଉର୍ବରତା କମିବା ଯୋଗୁଁ ଫସଲ ଭଲ ହେଉନାହିଁ। ଯଦ୍ଵାରା ଖାଦ୍ୟ ଶସ୍ୟର ଘୋର ଅଭାବ ଦେଖା ଦେଉଛି। ଆଗକୁ ମଧ୍ୟ ଏହି ସମସ୍ୟା ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ଖାଦ୍ୟ ଶସ୍ୟ ଅଭାବରୁ ଅନାହାର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି। ତେଣୁ ବିଶ୍ଵବାସୀଙ୍କୁ ମୃତ୍ତିକା ସଂରକ୍ଷଣ ସହ ଜୈବକ କ୍ଷେତ ଉପରେ ଗୁରୁତ୍ଵ ଦେବାକୁ ସଚେତନ କରିବା ନିମନ୍ତେ ଅଭିଯାନ ଆରମ୍ଭ କରିଛନ୍ତି ସଦଗୁରୁ।

ବାହାରିନଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଡକ୍ଟର ଅରୁଣ ପ୍ରହରାଜ ସଦଗୁରୁଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହ ଜୈବିକ ସାର ପ୍ରୟୋଗ କରି ଚାଷ କାର୍ଯ୍ୟ କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ରାଷ୍ଟ୍ରଦୂତ ପିୟୁଷ ଶ୍ରୀବାସ୍ତବ ଏବଂ ବହାରିନର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ସଦଗୁରୁଙ୍କ ମୃତ୍ତିକା ସଂରକ୍ଷଣ ଅଭିଯାନକୁ ପ୍ରଶଂସା କରିବା ସହ ସମର୍ଥନ ଜଣାଇଥିଲେ।

Tags: #SaveSoilMovement #SpiritualLeader #Sadhguru #Bahrain

Comment