ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଗାୟକ କେକେ ଓରଫ କୃଷ୍ଣକୁମାର କୁନ୍ନଥଙ୍କ ସ୍ଵର ବର୍ତ୍ତମାନ ସବୁଦିନ ପାଇଁ ନିରବୀ ଗଲା। ନିଜ ସ୍ଵରର ଯାଦୁରେ ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ମତୁଆଲା କରୁଥିବା କେକେ ଜୀବନର ଶେଷ ଗୀତ ଗାଇ ଦୁନିଆକୁ ଅଲବିଦା କହି ଚାଲିଗଲେ ଅଫେରା ରାଇଜକୁ।

ବଲିଉଡର ନାଁକରା ଗାୟକ କେକେ। କେକେ ନାଁରେ ତାଙ୍କର ସଂଗୀତ ଦୁନିଆରେ ଭିନ୍ନ ପରିଚୟ। ତାଙ୍କର ପ୍ରକୃତ ନାଁ ହେଲା କୁଷ୍ଣକୁମାର କୁନ୍ନଥ। ତାଙ୍କର ଜନ୍ମ ନୂଆଦିଲ୍ଲୀରେ ଏକ ମଲାୟଲୀ ପରିବାରରେ ହୋଇଥିଲା। ଦିଲ୍ଲୀର ମାଉଣ୍ଟ ସେଣ୍ଟ ମେରି ସ୍କୁଲରେ ପାଠପଢ଼ା ସାରିବା ପରେ କିରୋଡି ମଲ କଲେଜରୁ ଗ୍ରାଜୁଏନସ କରିଥିଲେ କେକେ।

ସ୍କୁଲରୁ ମିଳିଥିଲା ସଂଗୀତ ଶିକ୍ଷା

ପିଲାଟି ଦିନରୁ କେକେ ସଂଗୀତ ପ୍ରେମରେ ପଡ଼ିଥିଲେ। ଗୀତ ଗାଉଥିଲେ। ଦ୍ଵିତୀୟ ଶ୍ରେଣୀରେ ପାଠପଢ଼ିବା ସମୟରେ ସେ ଗୀତ ଗାଇଥିବା ଏକ ସାକ୍ଷାତ କାରରେ କହିଥିଲେ। ସ୍କୁଲରେ ଗୀତ ଗାଇବା ସମୟରେ କେକେ ଭଲ ଗୀତ ଗାଉଥିବା ତାଙ୍କ ଶିକ୍ଷକ ଏବଂ ସାଙ୍ଗମାନେ କହିବା ସହ ଖୁବ୍ ପ୍ରଶଂସା କରୁଥିଲେ। ସେତେବେଳେ କୌଣସି ସଂଗୀତ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଗୀତ ଗାଇ ସମସ୍ତଙ୍କ ମନ ଜିଣିପାରୁ ଥିଲେ କେକେ। ନିଜ ସ୍କୁଲରୁ ହିଁ ତାଙ୍କୁ ସଂଗୀତ ଶିକ୍ଷା ମିଳିଥିଲା। କେକେ ଭଲ ଗୀତ ବୋଲୁଥିବା ଜାଣିବା ପରେ ତାଙ୍କ ସ୍କୁଲର ଜଣେ ଶିକ୍ଷକ ତାଙ୍କୁ ଉତ୍ସାହିତ କରିବା ସହ ତାଙ୍କୁ ଟ୍ରେନିଂ ଦେବା ପାଇଁ ସଂଗୀତ ଶିକ୍ଷକ ନିଯୁକ୍ତ କରିଥିଲେ। ଏହା ପରେ ଇଣ୍ଟର ସ୍କୁଲ ସହ ଅନ୍ୟ ସ୍କୁଲକୁ ଗୀତ ବୋଲିବା ପାଇଁ ନିମନ୍ତ୍ରଣ ପାଉଥିଲେ କେକେ।

ଗୀତ ପାଇଁ ପ୍ରଥମ ଥର ମିଳିଥିଲା ୧,୫୦୦ ଟଙ୍କା

କେକେ ଯେବେଠାରୁ ଗୀତ ବୋଲିବା ଆରମ୍ଭ କରିଥିଲେ ସେବେଠାରୁ ତାଙ୍କୁ ପ୍ରଶଂସା ସହ ପୁରସ୍କାର ମଧ୍ୟ ମିଳୁଥିଲା। ସ୍କୁଲ ପରେ କଲେଜରେ ପଢ଼ିବା ସମୟରେ ମଧ୍ୟ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ମିଳିଲା। କଲେଜରେ ଗୀତ ଗାଇବା ସମୟରେ ତାଙ୍କୁ ଟଙ୍କା ମଧ୍ୟ ମିଳୁଥିଲା। ପ୍ରଥମ ଥର ପାଇଁ ତାଙ୍କୁ ୧,୫୦୦ ଟଙ୍କା ମିଳିଥିଲା। କେକେ ରୋଡିମଲର ଥିବାରୁ ସେଠାରେ ତାଙ୍କୁ ଭଲ ସଂଗୀତ ପରିବେଶ ମଧ୍ୟ ମିଳୁଥିଲା। ସେ କିଶୋର କୁମାରଙ୍କ ଗୀତ ସହ ଓ୍ଵେଷ୍ଟର୍ଣ୍ଣ ଗୀତ ମଧ୍ୟ ଶୁଣୁଥିଲେ। ଏହା ପରେ ପରେ ସେ ରକ୍ ଶୁଣିବା ଆରମ୍ଭ କରିଥିଲେ।

କଲେଜ ସମୟରେ କେକେଙ୍କର ଥିଲା ୩ଟି ରକ୍ ବ୍ୟାଣ୍ଡ

କେକେ କଲେଜ କ୍ୟାରିଅର ସମୟରେ ହିଁ ତିନୋଟି ରକ୍ ବ୍ୟାଣ୍ଡ କରିଥିଲେ। ସେଥିପାଇଁ ଗୀତ ମଧ୍ୟ ତିଆରୁଥିଲେ। ସମସ୍ତଙ୍କର ମ୍ୟୁଜିକ ମଧ୍ୟ ଅଲଗା ଅଲଗା ରହୁଥିଲା। ଗୋଟିଏର କ୍ଲାସିକଲ, ଦ୍ଵିତୀୟରେ ନିଓ ରକ୍ ଏବଂ ତୃତୀୟରେ ପପ୍ ଥିଲା। ଦିଲ୍ଲୀରେ ପ୍ରତିଟି ଫେଷ୍ଟିଭାଲରେ କେକେଙ୍କର ରକ୍ ବ୍ୟାଣ୍ଡର ଚାହିଦା ସବୁଠାରୁ ଅଧିକ ଥିଲା। ସେତେବେଳେ ବିଭିନ୍ନ ସ୍ଥାନ ବୁଲି ବୁଲି ପର୍ଫମ କରୁଥିଲେ ସେ।

୫ ବର୍ଷରେ ୩,୫୦୦ ଜିଙ୍ଗଲ ଗାଇଥିଲେ କେକେ

ଦିଲ୍ଲୀରୁ ହିଁ କେକେ ନିଜର ସିଙ୍ଗିଂ ଜର୍ଣ୍ଣି ଆରମ୍ଭ କରିଦେଇଥିଲେ। ଏହା ପରେ ସେ ମୁମ୍ବାଇ ଆସି ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହିଁଥିଲେ। ସେ ୟୁଟିଭି ପାଇଁ ୫ ବର୍ଷ ମଧ୍ୟରେ ଅଲଗା ଅଲଗା ଭାଷାରେ ପ୍ରାୟ ୩,୫୦୦ ଜିଙ୍ଗଲ ଗାଇଥିଲେ। ଏହାପରେ ଏ ଆର ରହମାନଙ୍କ ସହ କେକେଙ୍କର ଦେଖା ହୋଇଥିଲା। ରହମାନ ‘କଲୁରି ସାଲେ’ ଏବଂ ‘ଷ୍ଟ୍ରବେରୀ କାନାଏ’ ଭଳି ହିଟ୍ ଗୀତ ଗାଇବାକୁ କେକେଙ୍କୁ ସୁଯୋଗ ଦେଇଥିଲେ। କେକେଙ୍କ ସ୍ଵର ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଦୁଇଟି ଗୀତ କେକେଙ୍କ ପାଇଁ ବଲିଉଡକୁ ବଟ ଖୋଲିଦେଇଥିଲା।

ବଲିଉଡ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ଲୋକ ପ୍ରିୟ ଗୀତ ‘ତଡପ ତଡପ କେ ଇସ ଦିଲ ସେ..’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁ ନଥିଲେ କେକେ। ଏହା ପରେ ବଲିଉଡ ସିନେମା ‘ମାଚିସ’ର ଗୀତ ‘ଛୋଡ ଆଏ ହମ ବୋ ଗଲିଆ’ର କିଛି ଅଂଶ ଗାଇଥିଲେ। କିନ୍ତୁ ‘ୟାରୋ ଦୋସ୍ତି’ ଏବଂ ‘ପ୍ୟାର କେ ପଲ’ ଗୀତ ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥିଲା। ବର୍ତ୍ତମାନ ଏହି ଦୁଇଟି ଗୀତ ଶ୍ରୋତାଙ୍କ ପାଇଁ ଚିର ସବୁଜ ହୋଇରହିଛି।

କୃଷ୍ଣକୁମାର କୁନ୍ନଥ ମ୍ୟୁଜିକ ଇଣ୍ଡିଷ୍ଟ୍ରିର କେକେ କେମିତି ହେଲେ?

କେକେଙ୍କ ଅସଲ ନାଁ ହେଉଛି କୃଷ୍ଣକୁମାର କୁନ୍ନଥ। କିନ୍ତୁ କୃଷ୍ଣକୁମାରରୁ କେକେ କେମିତି ହେଲେ, ତା’ ପଛର କାହାଣୀ କହିଛନ୍ତି ନିଜେ କେକେ। ଏକ ସୋ’ରେ କେକେ ଏହି ବିଷୟରେ କହିଛନ୍ତି। ସେ କହିଥିଲେ ଯେତେବେଳେ ସେ ଦିଲ୍ଲୀରେ ଥିଲେ ସେବେଠାରୁ ଲୋକେ ତାଙ୍କୁ ଶ୍ରଦ୍ଧାରେ କେକେ ଡାକୁଥିଲେ। ମୁମ୍ବାଇ ଆସିବା ପରେ ନିଜ ନାଁକୁ କୃଷ୍ଣକୁମାର କରିବାକୁ ଚିନ୍ତା କରିଥିଲେ। କିନ୍ତୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ନାଁ ପରିବର୍ତ୍ତନ କରିବାର ଟ୍ରେଣ୍ଡ ଯେହେତୁ ଚାଲେ ତେଣୁ ନିଜର ନାଁକୁ ଟିକିଏ ଭିନ୍ନ କରିବାକୁ ଭାବିଥିଲେ କେକେ। ଏହା ପରେ ଅନେକ ନାଁ ଚିନ୍ତା କରିଥିଲେ। ଶେଷରେ ଦିଲ୍ଲୀରେ ଲୋକେ ଶ୍ରଦ୍ଧାରେ ଡାକୁ ଥିବା କେକେ ନାଁ ତାଙ୍କ ମନକୁ ବେଶ୍ ଛୁଇଁଥିଲା। ଏହା ପରଠାରୁ ସେ ନିଜକୁ କେକେ ଭାବେ ପରିଚିତ କରାଇବା ଆରମ୍ଭ କରିଥିଲେ। ଦେଖୁ ଦେଖୁ କୃଷ୍ଣକୁମାର କୁନ୍ନଥ କେକେ ଭାବେ ମ୍ୟୁଜିକ ଇଣ୍ଡଷ୍ଟ୍ରିଜରେ ରାଜ କରିବା ଆରମ୍ଭ କରିଦେଲେ।

ପିଲାଦିନର ବାନ୍ଧବୀ ହେଲେ ଜୀବନ ସାଥୀ

ନିଜ ପିଲାଦିନର ବାନ୍ଧବୀ ଜ୍ୟୋତିଙ୍କୁ ଜୀବନ ସାଥୀ କରିଥିଲେ କେକେ। ଷଷ୍ଠରେ ପାଠପଢ଼ିବା ସମୟରେ ଜ୍ୟୋତିଙ୍କ ସହ ଦେଖା ହୋଇଥିଲା କେକେଙ୍କର। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଅ ନକୁଲ କୃଷ୍ଣ କୁନ୍ନଥ ଏବଂ ଝିଅ ତମାରା କୁନ୍ନଥ।

କେକେଙ୍କୁ ପରିଚୟ ଦେଇଥିବା ଆଲବମର ଲିରିକ୍ସ ମେହେବୁବ ଲେଖିଥିଲେ। ୧୯୯୮ ମସିହାରେ ସିଙ୍ଗର ଏବଂ ମ୍ୟୁଜିକ କମ୍ପୋଜର ଲେଜଲୀ ଲୁଇସ କେକେଙ୍କୁ ଡେବ୍ୟୁ ଆର୍ଟିଷ୍ଟ ହିସାବରେ ସାଇନ କରିଥିଲେ। ଏହି ଆଲବଲମଟି ୬ରୁ ୮ ମାସ ମଧ୍ୟରେ ହିଟ ହୋଇଥିଲା। ଏହି ଆଲବମଟି ଏତେ ସଫଳ ହେବ ବୋଲି କେକେ କଳ୍ପନା ମଧ୍ୟ କରିନଥିଲେ।

ଟିଭି ସିରିଏଲ ପାଇଁ ଗାଇଛନ୍ତି ଗୀତ

ଫିଲ୍ମ ସହ ଟିଭି ସିରିଏଲ ପାଇଁ ଗୀତ ବୋଲୁଥିଲେ କେକେ। ଆଲବମରୁ ସଫଳତା ପରେ ଫିଲ୍ମରେ ଗୀତ ବୋଲିବାର ସୁଯୋଗ କେକେଙ୍କୁ ମିଳିଥିଲା। ଗୋଟିଏ ପରେ ଗୋଟିଏ ସଫତା ପାଇଚାଲିଥିଲେ କେକେ। କେକେ କେବଳ ଫିଲ୍ମ ଗୀତ ନୁହେଁ ଫିଲ୍ମ ଗୀତ ସହ ଟିଭି ସିରିଏଲଗୁଡ଼ିକ ପାଇଁ ମଧ୍ୟ ଗୀତ ଗାଉଥିଲେ। ‘ଜଷ୍ଟ ମୋହବତ’, ‘ସାକା ଲାକା ବୁମ ବୁମ୍’, ‘କୁଛ ଝୁକି ସି ପଲକେ’, ‘ହିପ ହିପ୍ ହୁରେ’, ‘କାବ୍ୟାଞ୍ଜଳି’ ଏବଂ ‘ଜଷ୍ଟ ଡ୍ୟାନ୍ସ’ ଭଳି ଫେମସ ଟିଭି ସୋ’ ପାଇଁ ଗୀତ ଗାଇଛନ୍ତି। ଅନେକ ରିଅଲିଟି ସୋ’ରେ ସେ ଜଜ ମଧ୍ୟ ହୋଇଛନ୍ତି।

୨୦୨୦ ମସିହାରେ ବଲିଉଡ ମ୍ୟୁଜିକ ଇଣ୍ଡଷ୍ଟ୍ରିଜରେ ୨୫ ବର୍ଷ ପୂର୍ଣ୍ଣ କରିଥିଲେ କେକେ। କେକେଙ୍କ ସ୍ଵର ଦର୍ଶକଙ୍କ ଦୃଦୟ ଜୟ କରୁଥିଲା। ବଲିଉଡର ଅନେକ ହିଟ ଗୀତ କେକେଙ୍କ କଣ୍ଠରେ ରେକର୍ଡ ହୋଇଛି। ଅଚାନକ କେକେଙ୍କ ଦେହାନ୍ତ ପ୍ରଶଂସକଙ୍କୁ ଗଭୀର ଆଘାତ ଦେଇଛି। କେକେଙ୍କର ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଶ୍ରୋତା। ଏବେ ଦୁନିଆକୁ ଅଲବିଦା କହି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି କେକେ।

Tags: #BollywoodSinger #Music #KK #PlaybackSinger

Comment