ଓଡ଼ିଶାଲାଇଭ୍ ବ୍ୟୁରୋ

‘କାର୍ ଫେଷ୍ଟିଭାଲ୍’ ନୁହେଁ ରଥଯାତ୍ରାକୁ ଇଂରାଜୀ ଭାଷାରେ ମଧ୍ୟ ‘ରଥଯାତ୍ରା’ କୁହାଯାଉ ଏବଂ ଲେଖାଯାଉ। ଏଭଳି ଏକ ଅଭିନବ ସ୍ଲୋଗାନ ଦେଇ ପୁରୀକୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି କଟକର କିଛି ସାଇକ୍ଲିଷ୍ଟ୍‌।ଆଗାମୀ ଦିନରେ ରଥଯାତ୍ରାକୁ ଇଂରାଜୀରେ କାର୍ ଫେଷ୍ଟିଭାଲ୍ ପରିବର୍ତ୍ତେ କିପରି ରଥଯାତ୍ରା କୁହାଯାଇପାରିବ ସେଥିପ୍ରତି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ସାଇକ୍ଲିଷ୍ଟ୍‌ମାନେ ଅପିଲ କରିଛନ୍ତି।

ପ୍ରଥମ ଦିନ ଅର୍ଥାତ ଶ୍ରୀଗୁଣ୍ଡିଚା ଯାତ୍ରାରେ ସାଇକ୍ଲିଷ୍ଟ୍‌ମାନେ କଟକ ସହରର ସମସ୍ତ ଜଗନ୍ନାଥ ମନ୍ଦିରକୁ ସାଇକେଲ ଯାତ୍ରା କରିଛନ୍ତି। ଶନିବାର ଦିନ ସେମାନେ ଭୁବନେଶ୍ଵରର ସମସ୍ତ ଜଗନ୍ନାଥ ମନ୍ଦିରକୁ ଯାଇ ଏହି ବାର୍ତ୍ତା ବାଣ୍ଟିବେ। ଏହାପରେ ରବିବାର ଦିନ ଏହି ସାଇକେଲ ଗ୍ରୁପ୍ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ। ଏଥିରେ ବିଭିନ୍ନ ସ୍ଥାନରୁ ଅନ୍ୟ ସାଇକ୍ଲିଷ୍ଟ୍‌ମାନେ ମଧ୍ୟ ତାଙ୍କ ସହ ସାମିଲ ହେବେ।“ରଥଯାତ୍ରା ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେତୁ ସାଇକେଲରେ ଆମ ଗ୍ରୁପ ସହିତ ପୁରୀ ଯିବା ସମ୍ଭବ ନୁହେଁ। ତେଣୁ ପ୍ରଥମେ ଆମେ କଟକ ସହର ମଧ୍ୟରେ ଥିବା ପ୍ରତ୍ୟେକ ଜଗନ୍ନାଥ ମନ୍ଦିର ଯାତ୍ରା କରିଛୁ। ଦ୍ୱିତୀୟ ଦିନରେ ଭୁବନେଶ୍ଵରରେ ଥିବା ପ୍ରତ୍ୟେକ ଜଗନ୍ନାଥ ମନ୍ଦିର ଯାତ୍ରା କରିବୁ। ରବିବାର ଦିନ ଗ୍ରୁପ ସହ ଏହି ବାର୍ତ୍ତା ନେଇ ଆମେ ସାଇକେଲରେ ପୁରୀ ଯାତ୍ରା କରିବୁ। ଏହି ଯାତ୍ରା ଆସନ୍ତା ୧୦ ତାରିଖ ସୁନାବେଶ ଯାଏଁ ଜାରି ରହିବ”, କହିଛନ୍ତି ସାଇକ୍ଲିଷ୍ଟ୍ ସହଦେବ ସାହୁ।ସାଇକେଲ ଚଳାଇବା ଦ୍ୱାରା ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଲାଭ ହୋଇଥାଏ। ସାଇକେଲ ଦ୍ଵାରା ପରିବେଶ ମଧ୍ୟ ପ୍ରଦୂଷଣ ମୁକ୍ତ ରହିଥାଏ। ତେଣୁ ଆଜିର ଯୁବପିଢ଼ି ପ୍ରତିଦିନ କିଛି ସମୟ ସାଇକେଲ ଚଲାଇବା ଆବଶ୍ୟକ ବୋଲି କଟକ ସାଇକ୍ଲିଷ୍ଟ୍‌ମାନେ ବାର୍ତ୍ତା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ସାଇକେଲ ଯାତ୍ରାରେ କଟକରୁ ସିନିୟର୍ ସାଇକ୍ଲିଷ୍ଟ କେ ବାଲାଜୀ ସୁବୁଦ୍ଧି, ଅମିତ୍ ପାଇକରାୟ, ଚିନ୍ମୟ ନନ୍ଦ, ଦୀପକ ପ୍ରଧାନ, ବଂଶୀଧର ବେହେରା ଏବଂ ଅଭିଜିତ ସାମନ୍ତ ଯୋଗ ଦେଇଥିଲେ।

Tags: #RathaJatra #RathYatra #Puri #LordJagannath #CarFestival #Odisha #RathYatra2022 #ବଡ଼ଦାଣ୍ଡ #ରଥଯାତ୍ରା #ଶ୍ରୀକ୍ଷେତ୍ର #ପୁରୀ #CuttackCyclistGroup

Comment