ଶୁଭଶ୍ରୀ ନାୟକ
ଆଥଲେଟିକ୍ସ ଦୁନିଆରେ ହର୍ଡଲସ୍ ଏକ କଷ୍ଟସାଧ୍ୟ ଇଭେଣ୍ଟସ। ଏଭଳି ଏକ କ୍ରୀଡ଼ାରେ ଦୀର୍ଘ ୨୦ ବର୍ଷ ଯାଏଁ ନିଜର ରେକର୍ଡ ବଜାୟ ରଖିଥିଲେ ଅନୁରାଧା ବିଶ୍ୱାଳ। ଯେତେବେଳେ ଓଡ଼ିଶାର ସଫଳ କ୍ରୀଡ଼ାବିତଙ୍କ ବିଷୟରେ ଆଲୋଚନା କରାଯାଏ ସେତେବେଳେ ତାଙ୍କ ନାଁ ମନକୁ ଆସେ। ଓଡ଼ିଶା କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଅନୁରାଧା ବିଶ୍ୱାଳଙ୍କ ସହିତ ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର।…
ଆପଣ ଯେଉଁ ସମୟରେ କ୍ରୀଡ଼ା ଦୁନିଆକୁ ଆସିଥିଲେ, ସେତେବେଳେ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ଏତେ ସୁଦୃଢ଼ ନଥିଲା। ପୁଣି ଝିଅ ହୋଇ ଖେଳରେ କ୍ୟାରିୟର କରିବା ବି ଗୋଟେ ଚାଲେଞ୍ଜ ଥିଲା। ତଥାପି କେମିତି ଆପଣ ଏହି ପ୍ଲାଟଫର୍ମକୁ ବାଛିଲେ?
ମୁଁ କ୍ରୀଡ଼ା ପରିବାରରୁ ଆସିଛି। ମୋ ବାପା ଖେଳୁଥିଲେ। ତାଙ୍କଠୁ ଦେଖି ମୁଁ ଖେଳ ପ୍ରତି ଅନୁପ୍ରାଣୀତ ହୋଇଛି। ସେ ସମୟରେ ଝିଅ ହିସାବରେ ଖେଳକୁଦ କରିବା ଯଦିଓ ସହଜ ନଥିଲା କିନ୍ତୁ ମୋ ବାପା, ମା’ ଯେହେତୁ ଖେଳ ପ୍ରତି ଆଗ୍ରହୀ ଥିଲେ, ତେଣୁ ମତେ ଏ ପ୍ଲାଟର୍ଫମକୁ ଆସିବା ସହଜ ହୋଇଥିଲା। ସ୍କୁଲ ସମୟରୁ ମୁଁ ଖେଳ ଆରମ୍ଭ କରିଥିଲି। ମୋର ପ୍ରଥମ କୋଚ୍ ପଞ୍ଚାନନ ଗନ୍ତାୟତ ବୋଧେ ମୋ ଭିତରେ ଥିବା ପ୍ରତିଭାକୁ ଚିହ୍ନି ପାରିଥିଲେ। କିନ୍ତୁ ମୁଁ ଜାଣିନଥିଲି ଏ ଯାତ୍ରା ଏତେ ଲମ୍ବା ଚାଲିବ। ମୁଁ ଦିନେ ଅଲିମ୍ପିଆନ ହେବି ଆଉ ମୋ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବି।
ଆପଣଙ୍କ ଜନ୍ମ କଟକରେ। କିନ୍ତୁ ପଢ଼ିଛନ୍ତି ଓ ବଢ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଇସ୍ପାତ ନଗରୀ ରାଉରକେଲାରେ। ପାଠ ପଢ଼ିବା ସମୟରେ ଆପଣଙ୍କ ଭିତରେ ଥିବା ପ୍ରତିଭା ବାହାରକୁ ଆସିଥିଲା। ତେବେ ଏ ଦିଗରେ ଆଗକୁ ବଢ଼ିବା ପାଇଁ ସବୁଠୁ ଅଧିକ ପ୍ରେରଣା ଆପଣଙ୍କୁ କିଏ ଦେଇଥିଲେ?
ସତ କହିବାକୁ ଗଲେ, ମୁଁ ହର୍ଡଲସ କ’ଣ ଜାଣିନଥିଲି। ସ୍କୁଲ ବେଳୁ ମୁଁ ରନିଂ, ଲଙ୍ଗ୍ ଜମ୍ପ ଓ ହାଇଜମ୍ପ କରୁଥିଲି। କିନ୍ତୁ ବାପାଙ୍କର ଇଚ୍ଛା ଥିଲା ମୁଁ ହର୍ଡଲସ କରେ। ଯେହେତୁ ମୁଁ ରନିଂ ଓ ଲଙ୍ଗ୍ ଜମ୍, ହାଇଜମ୍ପ କରୁଥିଲି ତେଣୁ ହର୍ଡଲସ ମୋ ପାଇଁ ସହଜ ହୋଇଗଲା। ତା’ ପରେ କୋଚ୍ଙ୍କଠାରୁ ଟ୍ରେନିଂ ନେଲି। ଖେଳାଳି ପରିବାରରୁ ଆସିଥିବାରୁ ବାପା, ମା’ ଓ ପରିବାର ସମସ୍ତେ ମତେ ବହୁତ ପ୍ରେରଣା ଦେଇଥିଲେ। ମୁଁ ଆଗକୁ ବଢ଼ିପାରିଲି।
୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସ କୁହନ୍ତୁ ବା, ୨୦୦୬ରେ କଲୋମ୍ବଠାରେ ଅନୁଷ୍ଠିତ ସାଫ୍ କ୍ରୀଡ଼ା । ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଆପଣ ବିଭିନ୍ନ ସ୍ଥାନରେ ଖେଳିଛନ୍ତି। କ୍ରୀଡ଼ା ଦୁନିଆର ଏହି ଲମ୍ବା ଯାତ୍ରା ପାଇଁ ଅନୁରାଧାଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଛି?
ସଂଘର୍ଷ ହିଁ ସଫତଳତାର ଚାବିକାଠି। ମୁଁ ଯେଉଁ ସମୟରେ ଖେଳ ଆରମ୍ଭ କରିଥିଲି ସେତେବେଳେ ସ୍ଥିତି ଏତେ ଭଲ ନଥିଲା। ଆର୍ଥକ ସମସ୍ୟା ଯୋଗୁଁ ମୁଁ ଟ୍ରେନିଂ ପାଇଁ ଜୋତା ବି କିଣିପାରୁନଥିଲି। ପରିବାର ଉପରେ ସେ ସବୁ ବୋଝ ହୋଇଯାଉଥିଲା। ହଷ୍ଟେଲରେ ରହିବା , ପାଠ ପଢ଼ିବା, ଟ୍ରେନିଂ ନେବା ଏ ସବୁ ସହଜ ନଥିଲା। ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲି ମା’ ମତେ ହଷ୍ଟେଲରେ ଛାଡ଼ିଦେଲେ। ସେବେଠୁ ମୋର ସଂଘର୍ଷ ଆରମ୍ଭ ହୋଇଗଲା। ଜୀବନରେ ବହୁତ ଉତଥାନ, ପତନ ଆସିଛି କିନ୍ତୁ ମୁଁ କେବେ ହାରିଯାଇନି। କଥାରେ କହନ୍ତି ବିଫଳତା ହିଁ ସଫଳତାର ଚାବିକାଠି। ଆଉ ଏ କଥାକୁ ମୁଁ ସବୁବେଳେ ଗ୍ରହଣ କରିଆସିଛି।
ଆପଣଙ୍କ ମତରେ ସଫଳତାର ପରିଭାଷା କ’ଣ? ଏହାକୁ ଆପଣ କେମିତି ବର୍ଣ୍ଣନା କରିବେ?
କଠିନ ପରିଶ୍ରମ ହେଉଛି ସଫଳତା ପାଇବାର ବାଟ। ତ୍ୟାଗ, ନିଷ୍ଠା ଓ ଦୃଢ଼ ମନୋବଳ ରଖିପାରିଲେ ହିଁ ଆମେ ସଫଳତା ପାଇପାରିବା।
ବିବାହ ପରେ, ଏମିତିକି ମା’ ହେବା ପରେ ବି ଆପଣ ଖେଳିବା ଜାରି ରଖିଥିଲେ। ୨୦୦୬ରେ କଲମ୍ବୋରେ ଯେଉଁ ସାଫ୍ କ୍ରୀଡ଼ା ହୋଇଥିଲା, ସେଥିରେ ଆପଣ ମେଡାଲ ଜିତିକି ଫେରିଥିଲେ। କିନ୍ତୁ ଦେଖାଯାଏ, ଅନେକ ମହିଳା କ୍ରୀଡ଼ାବିତ ସାଧାରଣତଃ ବିବାହ ପରେ ବା ମା’ ହେବା ପରେ ବିଭିନ୍ନ କାରଣରୁ ପ୍ରତିଯୋଗିତାକୁ ଫେରିପାରନ୍ତନି। କିନ୍ତୁ ଆପଣ ଗ୍ରାଉଣ୍ଡକୁ ଫେରିଛନ୍ତି ଆଉ ମେଡାଲ ବି ଆଣିଛନ୍ତି। ଏହି ସଫଳ କାହାଣୀ ପଛରେ ଅସଲ ରାଜ୍ କ’ଣ?
ମୋ ସଫଳତାର ଶ୍ରେୟ ମୁଁ ମୋ ସ୍ୱାମୀ ପରାମାନନ୍ଦ ରାଉତରାୟଙ୍କୁ ଦେବି। କାରଣ ବାହାଘର ପରେ ସ୍ୱାମୀ ଓ ଶାଶୂଘର ଲୋକଙ୍କ ସମର୍ଥନ ଯୋଗୁଁ ମୁଁ ଖେଳ ଜାରି ରଖିପାରିଲି। ପ୍ରତି ପାଦରେ ସେମାନଙ୍କ ସାଥ୍ ମତେ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କରିଛି। ମୋ ସ୍ୱାମୀ ଖେଳକୁ ଅତି ନିକଟରୁ ବୁଝିଥିଲେ। ମୋ ପାଇଁ ଖେଳ କେତେ ଗୁରୁତ୍ୱ ରଖେ ସେ ଜାଣିଥିଲେ। ମୋ ଝିଅ ଜନ୍ମ ହେବାର ୬ ମାସ ପରେ ହିଁ ମୁଁ ଟ୍ରେନିଂ ଆରମ୍ଭ କରିଦେଇଥିଲି। ମୋ ଦୃଢ଼ ବିଶ୍ୱାସ ଥିଲା ମୁଁ ଏବେ ବି ଖେଳିପାରିବି।
ସାଧାରଣତଃ ଡାକ୍ତରର ପିଲା ଡାକ୍ତର, ଇଞ୍ଜିନିୟର ପିଲା ଇଞ୍ଜିନିୟର, ଏଇଭଳି ପରମ୍ପରା ଆମେ ଦେଖି ଆସୁଛୁ। ଆପଣଙ୍କ କ୍ଷେତ୍ରରେ ବି ସମାନ ଘଟଣା। ଆପଣଙ୍କ ଟ୍ରାକରେ ଏବେ ଝିଅ ଆଂଶିକା। ଏଇଟା ଆପଣଙ୍କ ଇଚ୍ଛା, ଆପଣଙ୍କ ପ୍ରଭାବ ନା ଝିଅ ବି ଚାହୁଁଥିଲେ?
ମୋ ଝିଅ ଗୋଟିଏ ଖେଳ ପରିବେଶରେ ବଢ଼ିଛି। ଛୁଆ ବେଳୁ ହିଁ ସେ ଖେଳ ସହ ଜଡ଼ିତ ଅଛି। ମୁଁ ଯେତେବେଳେ ଟ୍ରେନିଂରେ ଯାଏ ସେ ବି ମୋ ସହିତ ଯାଏ। ମତେ ଦେଖି ତା’ ଭିତରେ ବି ଖେଳ ପ୍ରତି ଇଚ୍ଛା ସୃଷ୍ଟି ହୋଇଥିଲା। ଏବେ ସେ ସଟପୁଟ, ଡିସକସ୍ ଖେଳୁଛି। ତା’ର ବି ଖେଳରେ ନାଁ କରି ଓଡ଼ିଶା ପାଇଁ ଗୌରବ ଆଣିବାକୁ ସ୍ୱପ୍ନ ଅଛି। ଆମର ବି ବିଶ୍ୱାସ ଅଛି ସେ ବି ଦିନେ ଅଲିମ୍ପିକ୍ସ ଖେଳିବ।
ଜଣେ କ୍ରୀଡ଼ାବିତ୍ ହିସାବରେ ଆପଣ ଅନେକ ପ୍ରତିଯୋଗିତା ଜିତିଛନ୍ତି। ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖେଳି ପାଖାପାଖି ୮୦ଟି ଗୋଲ୍ଡ, ୫୦ଟି ସିଲଭର ଏବଂ ୩୭ଟି ବ୍ରୋଞ୍ଜ୍ ମେଡାଲ ହାସଲ କରିଛନ୍ତି। କିନ୍ତୁ ୟାକୁ ଛାଡ଼ି ଦେଲା ପରେ ଆପଣଙ୍କୁ ନିଜ ଜୀବନ ଦୌଡ଼ରେ କୋଉଠି ହାରିଗଲା ଭଳି କେବେ ଅନୁଭବ ହୋଇଛି କି?
ଖେଳ କ୍ୟାରିୟର ଭିତରେ ମୁଁ କଠିନ ପରିଶ୍ରମ ଯୋଗୁଁ ଅନେକ ସଫଳତା ସାଉଣ୍ଟିଛି। ସବୁବେଳେ ଚେଷ୍ଟା କରି ଆସିଛି ବୃତ୍ତିଗତ ଜୀବନର ପ୍ରଭାବ ବ୍ୟକ୍ତିଗତ ଜୀବନରେ ନପଡ଼ୁ। ସେଥିପାଇଁ ମୁଁ ନିଜକୁ ସେଇପରି ଭାବେ ଗଢ଼ି ତୋଳିଛି। ତା’ ଛଡ଼ା ଜୀବନରେ ତ ହାର ଜିତ ଲାଗି ରହିଛି। କିନ୍ତୁ ମୁଁ ହାରିବାରେ ହାରିଯାଏନି ବରଂ ନିଜକୁ ଅଧିକ ଦୃଢ଼ କରିଦିଏ। ସେ ଖେଳ ପଡ଼ିଆରେ ହେଉ ବା ନିଜ ଜୀବନରେ।
ଆପଣ ଜଣେ ସଫଳ କ୍ରୀଡ଼ାବିତ୍। କିନ୍ତୁ କ୍ରୀଡ଼ା ଜଗତରେ ସଫଳ କ୍ରୀଡ଼ା ତାରକାଙ୍କ ପାଇଁ ଯେଉଁ ସମ୍ମାନଜନକ ପୁରସ୍କାର ସବୁ ରହିଛି, ସେ ଅର୍ଜୁନ ପୁରସ୍କାର ହେଉ ବା ଧ୍ୟାନଚାନ୍ଦ ପୁରସ୍କାର, ତାହା ଆପଣଙ୍କୁ ମିଳିନି, କେବେ ଅବଶୋଷ ହୁଏ?
ହଁ, ନିହାତି ମୋର ଅବଶୋଷ ରହିଛି। କିନ୍ତୁ ତାକୁ ନେଇ ମୁଁ ଦୁଃଖ କରୁନି। ଖେଳ ପ୍ରତି ମୁଁ ସମ୍ପୂର୍ଣ୍ଣ ସମର୍ପିତ।ପୁରସ୍କାର ଆଜି ନହେଲେ କାଲି ମିଳିବ।
ଅନୁରାଧା ଆରମ୍ଭ କରିଥିବା ଖେଳ ଜଗତର ଚିତ୍ର ଓ ଆଜିର ଖେଳ ଦୁନିଆର ଚିତ୍ର – କେତେ ପରିବର୍ତ୍ତନ ଦେଖୁଛନ୍ତି?
ଆମ ବେଳେ ଖେଳ ପାଇଁ ଏତେ ସବୁ ସୁବିଧା ନଥିଲା। ଟ୍ରେନିଂର ଭଲ ସୁଯୋଗ ନଥିଲା। ଏବେ ପିଲାଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି। ଆମ ରାଜ୍ୟ ସରକାର ବି ଖେଳ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ତେଣୁ ଆମ ରାଜ୍ୟରେ ପିଲାମାନେ ବି କ୍ରୀଡ଼ା କ୍ଷେତ୍ର ପ୍ରତି ଆକର୍ଷିତ ହେଲେଣି। ଅଧିକ ସଂଖ୍ୟାରେ ପିଲା ଆସୁଛନ୍ତି। ଆମ ପିଲା ବି ଦେଶ ବିଦେଶରେ ଖେଳି ଓଡ଼ିଶା ପାଇଁ ଗର୍ବ ଆଣୁଛନ୍ତି। ଓଡ଼ିଶା ସରକାର କୋଚିଂ ଆଉ ଟିକେ ଭଲ କଲେ ପିଲାମାନେ ଆହୁରି ଆଗକୁ ବଢ଼ିବେ। ଭଲ କୋଚ୍ ଆସିଲେ ଆମ ପିଲା ଭଲ ପ୍ରଦର୍ଶନ କରିପାରିବେ। ବିଶେଷ କରି ମୋର ଅନୁରୋଧ, ଯେଉଁ ଝିଅମାନେ ଖେଳିବାକୁ ଚାହୁଁଛନ୍ତି ସେମାନଙ୍କ ପରିବାର ତାଙ୍କୁ ସମର୍ଥନ କରନ୍ତୁ। ପରିବାରର ସମର୍ଥନ ବିନା ସେମାନେ କିଛି କରିପାରିବେନି। କ୍ରୀଡ଼ା ଦୁନିଆକୁ ଆସିଲେ ଚାକିରିର ବି ସୁଯୋଗ ଅଛି। ଏବେ ମୁଁ ନାଲକୋରେ କାର୍ଯ୍ୟରତ ଅଛି। ମୋ କମ୍ପାନି ମତେ ଖେଳ ପାଇଁ ବେଶ୍ ସାହାଯ୍ୟ କରିଛି।
କ୍ରୀଡ଼ା ହେଉଛି ଆମ ସ୍ୱାସ୍ଥ୍ୟର ଏକ ବଡ଼ ଦିଗ। କିନ୍ତୁ ଆଜିର ଦିନରେ ଲୋକ ମୋବାଇଲରେ ଏତେ ବିଜି ଖେଳକୁଦ କି ବ୍ୟାୟାମ କରୁନାହାନ୍ତି। ଜଣେ କ୍ରୀଡ଼ାବିତ୍ ଭାବେ ଫିଟନେସ୍ ପାଇଁ କ’ଣ କହିବେ?
ଗତ ଦୁଇ ବର୍ଷ ହେଲା କରୋନାରେ ଆମେ ସମସ୍ତେ ଘାଣ୍ଟି ହେଉଛନ୍ତି। ତେଣୁ ଏଭଳି ଏକ ସମୟରେ ଆମ ସମସ୍ତଙ୍କୁ ଫିଟ୍ ରହିବାର ଆବଶ୍ୟକତା ଅଛି। ମୋବାଇଲ ଛାଡ଼ି ଆମେ ଖେଳକୁଦ କଲେ ବା ଶାରୀରିକ ବ୍ୟାୟାମ କଲେ ଆମେ ସୁସ୍ଥ ରହିବା। ତେଣୁ ମୋର ଅନୁରୋଧ ନିଜ ବ୍ୟସ୍ତମୟ ଜୀବନରୁ ଅଳ୍ପ ସମୟ କାଢ଼ି ଖେଳନ୍ତୁ ନହେଲେ ବ୍ୟାୟମ କରନ୍ତୁ।
ଖୁବଶୀଘ୍ର ଓଡ଼ିଶାଲାଇଭ ୟୁଟ୍ୟୁବ ଚ୍ୟାନେଲରେ ଆପଣ ଅନୁରାଧା ବିଶ୍ୱାଳଙ୍କ ସମ୍ପୂର୍ଣ୍ଣ ସାକ୍ଷାତକାରକୁ ଦେଖିପାରିବେ।